ଭତ୍ତା ପାଇଁ ଲାଞ୍ଚ କାରବାରର ଅଡିଓ ଭାଇରାଲ

ଜଳେଶ୍ୱର : ଭିନ୍ନକ୍ଷମ ଭତ୍ତା ପାଇଁ ଲାଞ୍ଚ କାରବାରର ଏକ ଅଡିଓ ଜଳେଶ୍ବର ଅଞ୍ଚଳରେ ଭାଇରାଲ ହୋଇଛି। ଅଡିଓରେ ମହିଳା ଅଧିକାରୀ ଜଣକ ଉପରିସ୍ଥ ଅଫିସରଙ୍କୁ ଖୁସି କରାଇବାକୁ ଯାଇ ଜଣେ ଗରିବ ଅସହାୟଙ୍କୁ ପ୍ରଥମେ ତିନି ହଜାର ଏବଂ ପରେ ସର୍ବନିମ୍ନ ଦୁଇ ହଜାର ଟଙ୍କା ନ ଦେଲେ ଅଫିସର କାମ କରାଇବେ ନାହିଁ କହୁଥିବା ଜଣାପଡ଼ିଛି। ଅଡିଓରେ କଥା ହେଉଥିବା ମହିଳା ଅଧିକାରୀ ଜଣକ ଜଳେଶ୍ଵର ବ୍ଲକ କାର୍ଯ୍ୟାଳୟର ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ସୁଗୋ ପଞ୍ଚାୟତର ଧାନ ସିମୁଳିଆ ଗ୍ରାମର ଦୃଷ୍ଟିହୀନ ହେମନ୍ତ ଜେନା (୬୫) ଙ୍କ ପୁଅ କମଳାକାନ୍ତ ଜେନା ବାପାଙ୍କ ନାମରେ ବିକଳାଙ୍ଗ ଭତ୍ତା ପାଇଁ ପଞ୍ଚାୟତ, ବ୍ଲକ, ଜିପିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ କରିଥିଲେ ।
ହେଲେ କୌଣସି ସୁଫଳ ନ ମିଳିବାରୁ କିଛିଦିନ ତଳେ ସେ ବ୍ଲକର ସମ୍ପୃକ୍ତା ମହିଳା ଅଧିକାରୀଙ୍କୁ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଅଧିକାରୀ ଜଣକ କମଳାକାନ୍ତଙ୍କୁ ଫୋନ କରି ଭତ୍ତା ପାଇଁ ଲାଞ୍ଚ ଦାବି କରିଥିଲେ । ଏହି ବାର୍ତ୍ତାଳାପର ଅଡିଓ ଏବେ ଭାଇରାଲ ହୋଇଛି। ଏ ନେଇ ରବିବାର ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରିଜୱାନା କଅକବ ଏବଂ ଜଳେଶ୍ବର ବିଡିଓ ଦୀପ୍ତିରଞ୍ଜନ ସେଠୀ ମିଳିତ ଭାବେ ତଦନ୍ତ କରିଛନ୍ତି।