ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱକପ୍‍ ବିଜୟକୁ ୧୦ ବର୍ଷ, ଭାରତକୁ ୨ୟଥର ବିଶ୍ୱବିଜୟୀ କରିଥିଲେ ଧୋନୀ

ଠିକ୍‍ ୧୦ ବର୍ଷ ତଳେ ଶ୍ରୀଲଙ୍କାର ନୁଆନ୍‍ କୁଳଶେଖରାଙ୍କୁ ଲଙ୍ଗ୍‍ ଅନ୍‍ ଉପରେ ବିରାଟକାୟ ଛକା ମାରି ମହେନ୍ଦ୍ର ସିଂହ ଧୋନୀ ଭାରତକୁ ବିଶ୍ୱବିଜେତା କରାଇଥିଲେ। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‍ରେ ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୨୭୫ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଭାରତ ୧୦ ବଲ୍‍ ଓ ୬ ୱିକେଟ୍‍ ବଳକା ଥାଇ ବିଜୟୀ ହୋଇଥିଲା। ଏଥିସହ ୨୮ ବର୍ଷର ବ୍ୟବଧାନ ପରେ ଭାରତ ୨ୟଥର ଲାଗି ଏକଦିବସୀୟ ବିଶ୍ୱକପ୍‍ ଟ୍ରଫି ଜିତିଥିଲା। ଧୋନୀଙ୍କ ନେତୃତ୍ୱରେ ଭାରତ ଏହି ଐତିହାସିକ ସଫଳତା ପାଇଥିଲା। ପୂର୍ବରୁ ଜୁନ୍‍ ୧୯୮୩ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ପ୍ରଥମଥର ଲାଗି ବିଶ୍ୱବିଜେତା ହେବାର ସ୍ୱାଦ ଚାଖିଥିଲା।

ଏକଦିବସୀୟ କ୍ରିକେଟ୍‍ ବିଶ୍ୱକପ୍‍ର ୧୦ମ ସଂସ୍କରଣ ଫାଇନାଲ ୨ ଏପ୍ରିଲ ୨୦୧୧ରେ ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଆୟୋଜକ ଭାରତର ମୁକାବିଲା ଏଥିରେ ପଡ଼ୋଶୀ ଶ୍ରୀଲଙ୍କା ସହ ହୋଇଥିଲା। ପ୍ରଥମଥର ଲାଗି ବିଶ୍ୱକପ୍‍ ଫାଇନାଲ ୨ ଏସୀୟ ଦେଶ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‍ରେ ଟସ୍‍ ଜିତି ସିଂହଳୀ ଦଳର ଅଧିନାୟକ କୁମାର ସାଙ୍ଗାକରା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତର ଷ୍ଟାର୍‍ ଦ୍ରୁତ ବୋଲର ଜାହିର୍‍ ଖାନ୍‍ ଆରମ୍ଭରୁ ପ୍ରଭାବୀ ବୋଲିଂ କରିଥିଲେ। ସେ ତାଙ୍କ ସ୍ପେଲର ପ୍ରଥମ ୩ ଓଭର ମେଡେନ୍‍ ପକାଇବା ସହ ଓପନର୍‍ ଉପୁଲ ଥରଙ୍ଗାଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଜାହିର ତାଙ୍କ ପ୍ରଥମ ୫ ଓଭରରେ ୩ ମେଡେନ୍‍ ସହ ୬ ରନ୍‍ ଦେଇ ଗୋଟିଏ ୱିକେଟ୍‍ ନେଇଥିଲେ। ଫଳରେ ଶ୍ରୀଲଙ୍କା ଧିମା ଆରମ୍ଭ କରିଥିଲା। ତେବେ ମଧ୍ୟକ୍ରମରେ ଅଭିଜ୍ଞ ମାହେଲା ଜୟବର୍ଦ୍ଧନେ (୧୦୩)ଙ୍କ ଅପରାଜିତ ଶତକ ଓ ସାଙ୍ଗାକରା (୪୮ ରନ୍‍)ଙ୍କ ଉପଯୋଗୀ ଇନିଂସ ବଳରେ ଶ୍ରୀଲଙ୍କା ୬ ୱିକେଟ୍‍ରେ ୨୭୪ ରନ୍‍ କରିପାରିଥିଲା। ନିମ୍ନକ୍ରମରେ କୁଳଶେଖରା ୩୨ ଓ ଥିସାରା ପେରେରା ୨୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଘରୋଇ ଦଳ ପକ୍ଷରୁ ଜାହିର ଓ ଯୁବରାଜ ସିଂହ ୨ଟି ଲେଖାଏ ଏବଂ ହରଭଜନ ସିଂହ ଗୋଟିଏ ୱିକେଟ୍‍ ସଫଳତା ପାଇଥିଲେ।

WORLD CUP

୨୭୫ ରନର ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍‍କୁ ପିଛା କରିଥିବା ଭାରତ ପ୍ରଥମ ଓଭରରେ ହିଁ ବିସ୍ଫୋରକ ଓପନର୍‍ ବୀରେନ୍ଦ୍ର ସେହ୍ୱାଗ (୦)ଙ୍କ ୱିକେଟ୍‍ ହରାଇଥିଲା। ଲସିଥ୍‍ ମାଲିଙ୍ଗା ଶ୍ରୀଲଙ୍କାକୁ ଏହି ବ୍ରେକ୍‍ଥ୍ରୁ ଦେଇଥିଲେ। ଏହାପରେ ଅନ୍ୟତମ ଓପନର୍‍ ସଚିନ ତେନ୍ଦୁଲକର (୧୮) ମଧ୍ୟ ସଅଳ ଆଉଟ୍‍ ହୋଇଯାଇଥିଲେ। ତୃତୀୟ ସ୍ଥାନରେ ଆସିଥିବା ଗୌତମ ଗମ୍ଭୀରଙ୍କ ସହ ମିଶି ବିରାଟ କୋହଲି ଦଳୀୟ ସ୍କୋରକୁ ୧୦୦ ରନ୍‍ ପାର୍‍ କରାଇଥିଲେ। କୋହଲି ୩୫ ରନରେ ତିଳକରତ୍ନେ ଦିଲସାନ୍‍ଙ୍କ ଶିକାର ହେବାପରେ ନିଜେ ଅଧିନାୟକ ଧୋନୀ ବ୍ୟାଟିଂକ୍ରମରେ ଉପରେ ଆସିଥିଲେ। ଗମ୍ଭୀର ଓ ଧୋନୀ ୪ର୍ଥ ୱିକେଟ୍‍ରେ ଶତକୀୟ ଭାଗୀଦାରି କରି ଭାରତକୁ ବିଜୟ ନିକଟତର କରାଇଥିଲେ। ଦଳୀୟ ସ୍କୋର ୨୨୩ ରନ ହୋଇଥିବାବେଳେ ଗମ୍ଭୀର ୧୨୨ ବଲରୁ ଧୈର୍ଯ୍ୟପୂର୍ଣ୍ଣ ୯୭ ରନର ଇନିଂସ ଖେଳି ପେରେରାଙ୍କ ଶିକାର ହୋଇଥିଲେ। ଏହାପରେ ଧୋନୀଙ୍କ ସହ ମିଶି ଯୁବରାଜ ଭାରତକୁ ଆଉ କୌଣସି କ୍ଷତି ହେବାକୁ ନ ଦେଇ ୪୮.୨ ଓଭରରେ ବିଜୟୀ କରାଇଥିଲେ। ୪୯ତମ ଓଭର ବୋଲିଂ କରିଥିବା କୁଳଶେଖରାଙ୍କ ୨ୟ ବଲ୍‍କୁ ଧୋନୀ ଲଙ୍ଗ୍‍ ଅନ୍‍ ଉପରେ ଛକା ମାରିବା ପରେ ପୁରା ୱାଙ୍ଖେଡା ଷ୍ଟାଡିୟମ ଝୁମି ଉଠିଥିଲା। ଧୋନୀ ୭୯ ବଲରୁ ୯୧ ଓ ଯୁବରାଜ ୨୧ ରନରେ ଅପରାଜିତ ରହିଥିଲେ। ଧୋନୀଙ୍କୁ ଫାଇନାଲର ଓ ଯୁବରାଜ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Leave A Reply

Your email address will not be published.