ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲେଙ୍ଗାନାକୁ ହିଁ ଓଡିଶାକୁ କାହିଁକି ନା? କେନ୍ଦ୍ର ଅର୍ଥମନ୍ତ୍ରୀ ଯାହା କହିଲେ ତାହା ସାଢ଼େ ୪ କୋଟି ଲୋକଙ୍କୁ ବାଧିଛି : ଶଶୀଭୂଷଣ ବେହେରା

ଭୁବନେଶ୍ବର : ଓଡ଼ିଶାକୁ ମିଳିବ ନାହିଁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର ପ୍ରସ୍ତାବ ନାହିଁ କିମ୍ବା ଭବିଷ୍ୟତରେ ଏ ସଂକ୍ରାନ୍ତ କୌଣସି ଯୋଜନା ନାହିଁ ବୋଲି ଗତକାଲି ରୋକ୍‌‌ଠୋକ୍‌‌ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତୀ ସୀତାରମଣ ଶୁକ୍ରବାର ବଜେଟ୍‌‌ ସଂକ୍ରାନ୍ତ ମତ ବିନିମୟ କାର୍ଯ୍ୟକ୍ରମରେ ଏହା ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଅଂଶ ବୃଦ୍ଧି କରାଯାଇଥିବାରୁ ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁସାରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଯାହାକୁ ନେଇ ରାଜ୍ୟର ଶାସକ ବିଜେଡି ସହ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ବୈମାତୃକ ମନୋଭାବ ନେଇ ବର୍ଷିଛନ୍ତି।

ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡାର ବିଧାୟକ  ଶଶୀଭୂଷଣ ବେହେରା କହିଛନ୍ତି ଓଡ଼ିଶା ଆସି ଏକ ଦୁର୍ଭାଗ୍ୟଜନକ ବକ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଓଡ଼ିଶାର ବିଗତ ବର୍ଷ ମାନଙ୍କର ଆର୍ଥିକ ସ୍ଥିତି ବାବଦରେ ସେ ଅବଗତ ଅଛନ୍ତି । ପାର୍ଲିଆମେଣ୍ଟରେ ସେ ତାଙ୍କର ଦକ୍ଷତା ପ୍ରମାଣିତ କରୁଛନ୍ତି । ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ରାଜ୍ୟ । ସାଂସଦ ଥିବା ସମୟରେ ରଘୁରାମ ରାଜନ କମିଟିକୁ ଆମେ ଭେଟିଥିଲୁ । ସେତେବେଳେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଉଚ୍ଛେଦ ନିଷ୍ପତ୍ତି କେନ୍ଦ୍ର ସରକାରରେ ହୋଇନଥିଲା । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡ଼ିଶା ସମସ୍ତ ସର୍ତ୍ତ ପୂରଣ କରୁଛି । ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ମଧ୍ୟ ଓଡ଼ିଶାର ଦାବି ବହୁ ପୁରୁଣା ଥିଲା । ତେଲେଙ୍ଗାନାଙ୍କୁ ଯଦି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଗଲା, ଓଡ଼ିଶା ବାବଦରେ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇପାରିଥାନ୍ତା । ଯଦି ସେ ନିଷ୍ପତ୍ତି ନିଆଯାଇପାରିନାହିଁ, ପରବର୍ତ୍ତୀ ଅବସ୍ଥାରେ ଫୋକ୍ସ ଷ୍ଟେଟ ଭାବେ ଗୁରୁତ୍ୱ ଦିଆଯାଇପାରିଥାନ୍ତା ।

ଅନ୍ୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଙ୍କୁ ଯେଉଁପରି ଗୁରୁତ୍ୱ ଦିଆଯାଇ ୯୦:୧୦ ପ୍ରତିଶତ ଯୋଜନା କାର୍ଯ୍ୟକାରୀ ହେଉଛି । ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ବହନ କରୁଥିବାବେଳେ ରାଜ୍ୟ ଖର୍ଚ୍ଚ କରୁଛି ୧୦ ପ୍ରତିଶତ । ଏମିତି ହୋଇଥିଲେ ଓଡ଼ିଶାର ସାମଗ୍ରିକ ବିକାଶ ହେବାରେ ସହାୟକ ହୋଇଥାନ୍ତା । ଏଭଳି ଗୁରୁତ୍ୱପୂର୍ଣ୍ଣ ଦାବିକୁ କେନ୍ଦ୍ରରେ ଥିବା ସରକାର ମାନେ ପ୍ରତ୍ୟାଖ୍ୟାନ କରୁଛନ୍ତି । ରାଜ୍ୟକୁ ଆସି, ରାଜ୍ୟବାସୀଙ୍କ ଭିତରେ ଏହି ବକ୍ତବ୍ୟ କ୍ଷୋଭଜାତ କରିଛି। ଏହି ସ୍ଥିତିକୁ ବରଦାସ୍ତ କରିବୁ ନାହିଁ । ଆମ ଦାବିକୁ ଦୋହରାଇ ଚାଲିବୁ । ସଂସଦୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ସମ୍ପର୍କ ତାକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରିବା ଉଚିତ । ରାଜ୍ୟର ଯଥାର୍ଥ ଦାବି ପୂରଣ କରିବା ଉଚିତ । କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଆସି ଏକଥା କହିଗଲେ, ତାହା ସାଢ଼େ ୪ କୋଟି ଲୋକଙ୍କୁ ବାଧିଛି । ଏହା ଏକ ପୁରୁଣା ଦାବି । ହଠାତ ଏହି ଦାବି ହୋଇନାହିଁ । ଏହା ଦାବିର ଯଥାର୍ଥତା ସମ୍ପର୍କରେ ବିଧାନସଭାରେ ଆଲୋଚନା ହୋଇପାରେ ବୋଲି ମଧ୍ୟ ଶଶୀଭୂଷଣ ବେହେରା କହିଛନ୍ତି।

ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉଠିଥିଲା। ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହ୍ୟ କରୁଛି। ବାତ୍ୟା ନିରୋଧୀ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଅଧିକ ଅର୍ଥ ଅନୁଦାନ ଦେବାର ଆବଶ୍ୟକତା ଅଛି। ବହୁ ଦିନ ହେଲା ଓଡ଼ିଶା ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରି ଆସୁଛି। ତେଣୁ ଏ ଦିଗରେ ନିତି ଆୟୋଗ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ସେତେବେଳେ ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗୁରୁତର ଭାବେ ବିଚାର କରାଯାଇ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ମାତ୍ର ଇତି ମଧ୍ୟରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି। ତେଲଙ୍ଗାନା ପରି ସମୃଦ୍ଧ ରାଜ୍ୟ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଥିବା ସତ୍ତ୍ବେ ଓଡ଼ିଶାକୁ ଅବହେଳା କରାଯାଇଛି।

ଓଡ଼ିଶା ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇ ଆସୁଛି। ବାତ୍ୟା, ମରୁଡ଼ି, ବନ୍ୟା ରାଜ୍ୟର ନିରନ୍ତର ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି।  ଗତ ୫ ଦଶନ୍ଧି ମଧ୍ୟରେ ୩୫ ଥର ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସହ ଜୁଝିଛି, ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସହ ୬ ବର୍ଷ ମରୁଡ଼ି ଓ ଭୟଙ୍କର ବନ୍ୟା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ହୋଇଛି। ଏପରିକି ବନ୍ୟା, ବାତ୍ୟା, ମରୁଡ଼ି ପରି ବିପର୍ଯ୍ୟୟ ସମ୍ମୁଖୀନ ହେବା ପରେ ଓଡ଼ିଶାର କ୍ଷତି ଓ ଦାବି ଅନୁରୂପ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିନାହାନ୍ତି। ବିଡ଼ମ୍ବନା ହେଉଛି ବିଭିନ୍ନ ସମୟରେ ଘୋଷିତ ସହାୟତା ମଧ୍ୟ ଓଡ଼ିଶାକୁ ମିଳିପାରି ନାହିଁ। ଅନ୍ୟପକ୍ଷରେ ବିଭିନ୍ନ ଯୋଜନାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ଅନ୍ୟ କିଛି ରାଜ୍ୟକୁ ଅନୁଦାନ ପରିମାଣ ୯୦:୧୦ ରଖା ଯାଇଥିବାବେଳେ ଓଡ଼ିଶାକୁ ଏହି ଅନୁପାତ ୬୦:୪୦ ବା ୫୦:୫୦କୁ ହ୍ରାସ ହୋଇ ସାରିଛି। ୮ଟି କେନ୍ଦ୍ରୀୟ ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ଓ ୩୩ଟି କାର୍ଯ୍ୟକ୍ରମରେ ଅନୁଦାନ ହ୍ରାସ କରାଯାଇଛି। ଯାହାଫଳରେ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଛି ଏବଂ ବାରମ୍ବାର ସ୍ୱତନ୍ତ୍ର ବା ଧ୍ୟାନ କେନ୍ଦ୍ରୀତ ରାଜ୍ୟ ମାନ୍ୟଦା ଦାବି କରି ଆସିଛି।

Leave A Reply

Your email address will not be published.