ଟି-୨୦ ବିଶ୍ୱକପ ପାଇଁ ଲଞ୍ଚ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି

ନୂଆଦିଲ୍ଲୀ : ଅକ୍ଟୋବର ୧୭ରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ବିସିସିଆଇ ବୁଧବାର ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ଦଳର ନୂଆ ଜର୍ସି ସେୟାର କରିଛି। ବିସିସିଆଇ ଟ୍ୱିଟ୍‌ରେ ଲେଖିଛି, ଉପସ୍ଥାପନ କରୁଛୁ ବିଲିୟନ ଚିଅର୍ସ ଜର୍ସି।’ ବିସିସିଆଇ ପକ୍ଷରୁ ଟ୍ୱିଟରରେ  ନୂଆ ଜର୍ସିର ଫଟୋ ସାର୍ବଜନୀନ କରାଯାଇଛି। ନୂଆ ଜର୍ସିକୁ ରୋହିତ ଶର୍ମା, ବିରାଟ କୋହଲି ଯଶପ୍ରୀତ ବୁମ୍ରା, କେଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ପରିଧାନ କରି ଫଟୋ ପୋଜ ଦେଇଛନ୍ତି।


ଏହି ଜର୍ସିକୁ ଏମପିଏଲ ସ୍ପୋର୍ଟସ ପକ୍ଷରୁ ଲଞ୍ଚ କରାଯାଇଛି। ୨୦୨୩ ଡିସେମ୍ବର ଯାଏ ଏମପିଏଲ ହିଁ ଟିମ ଇଣ୍ଡିଆର କିଟ୍‌ ପାର୍ଟନର ରହିଛି। ଏହି ନୂଆ ଜର୍ସି ପୂର୍ବରୁ ଥିବା ନେଭି ବ୍ଲ୍ୟୁ ରେଟ୍ରୋର ସ୍ଥାନ ନେବ। ଉକ୍ତ ଜର୍ସିଟି ୧୯୯୨ ବିଶ୍ୱକପ ଢାଞ୍ଚାରେ ତିଆରି କରାଯାଇଥିଲା। ବୁଧବାର ଟିମ୍ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ହେବ ବୋଲି ବିସିସିଆଇ ପୂର୍ବରୁ ସୂଚନା ଦେଇଥିଲା। ଟିମ୍ ଇଣ୍ଡିଆର ନୂଆ ଜର୍ସି ପୁରୁଣା ଜର୍ସିଠାରୁ ଟିକିଏ ଅଲଗା । ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପିନ୍ଧିଥିବା ଜର୍ସି ଗାଢ ନୀଳ ରଙ୍ଗର ଥିଲା। ଏହି ଜର୍ସି ମଧ୍ୟ ସମାନ ରଙ୍ଗର କିନ୍ତୁ ଏହାର ଡିଜାଇନ୍ ଅଲଗା । ଏହାର ମଝିରେ ହାଲୁକା ନୀଳ ରଙ୍ଗର ଷ୍ଟ୍ରାଇପ୍ ମଧ୍ୟ ଦିଆଯାଇଛି । ପୂର୍ବ ଜର୍ସିରେ କାନ୍ଧରେ ଏକ ତ୍ରିରଙ୍ଗା ଥିଲା, କିନ୍ତୁ ଏହି ଜର୍ସିର କାନ୍ଧରେ କୌଣସି ଡିଜାଇନ୍ ନାହିଁ ।

Leave a comment