ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାଲିବାନର ଅଜବ ନିୟମ : ଦାଢି ଓ ଚୁଟି କଟା ଉପରେ ନୂଆ କଟକଣା ଲାଗୁକଲେ ତାଲିବାନ ସରକାର

କାବୁଲ : ଆଫଗାନିସ୍ତାନ ଦଖଲ କରି ସରକାର ଗଠନ ପରେ ଅଜବ ଅଜବ ନିୟମ ପ୍ରଣୟନ କରୁଛନ୍ତି ତାଲିବାନ ସରକାର। ନିଜକୁ ୨୦ ବର୍ଷ ତଳର ତାଲିବାନ ନୁହେଁ ବୋଲି ଦାବି କରୁଥିବା ତାଲିବାନ ସରକାରର ଅସଲ ଚେହେରା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି। ପ୍ରଥମେ ମହିଳା ବିରୋଧୀ ଆଇନ ପ୍ରଣୟନ କରୁଥିବା ତାଲିବାନ ବର୍ତ୍ତମାନ ପୁରୁଷ ମାନଙ୍କ ଉପରେ ଟାର୍ଗେଟ କରିଛନ୍ତି। ତାଲିବାନ ସରକାର ପୁରୁଷମାନଙ୍କ ଦାଢି ଓ ଚୁଟି କଟା ଉପରେ କଟକଣା ଲଗାଇଛନ୍ତି।

ଏଣିକି ଆଫଗାନର ପୁରୁଷମାନେ ଚୁଟି କିମ୍ବା ଦାଢି କାଟିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛି ତାଲିବାନ ସରକାର । ଆଫଗାନିସ୍ତାନର ଦକ୍ଷିଣ ଉପତ୍ୟକା ଅଞ୍ଚଳ ହେଲମଣ୍ଡରେ ଦେଖିବାକୁ ମିଳିଛି ତାଲିବାନର ଏହି ଅଜବ ଆଇନ । ତାଲିବାନ୍ ସରକାର ଗଠନ ସହ ସରିୟା ନିୟମ ଲାଗୁ ହେବା ପରେ ଏଠିକାର ସେଲୁନ୍ ଓ ପାର୍ଲର ଆଗରେ କଡା ନିୟମ ଲେଖାଥିବା ପୋଷ୍ଟର ଲଗାଯାଇଛି । ଫ୍ରଣ୍ଟିଅର ପୋଷ୍ଟ ରିପୋର୍ଟ ମୁତାବକ, କୌଣସି ଲୋକ ଦାଢି କାଟି ପାରିବେ ନାହିଁ । ଏଥିପାଇଁ ଟ୍ରିମର ବ୍ୟବହାର କରିପାରିବେ ନାହିଁ । କେଶ କାଟିବା ଉପରେ ବି କଟକଣା ରହିଛି। ଯଦି କେଶ କାଟନ୍ତି କୌଣସି ଷ୍ଟାଇଲିସ୍ ହେୟାର କଟ୍ କରିପାରିବେ ନାହିଁ । କେଶ କାଟିବାକୁ ମଧ୍ୟ ଟ୍ରିମର ବ୍ୟବହାର ହୋଇପାରିବ ନାହିଁ । କୌଣସି ସେଲୁନ୍ ଭିତରେ କୌଣସି ପ୍ରକାର ମ୍ୟୁଜିକ ଲାଗିବ ନାହିଁ । ଏସବୁ ଇସ୍ଲାମ ନିୟମର ଉଂଲଘନ କରୁଛି । ତେଣୁ ଏହି ନିୟମକୁ ନମାନିଲେ କଠୋର ଦଣ୍ଡ ଦିଆଯିବ ବୋଲି ନାପିତ(ବାରିକ)ଙ୍କୁ ଧମକ ଦେଇଛନ୍ତି ତାଲିବାନୀ ଅଧିକାରୀ ।

ତାଲିବାନ ଦ୍ୱାରା ଘୋଷଣା କରାଯାଉଥିବା ନୂଆ ନିୟମ ମାନିବାକୁ ମନା କଲେ ମୃତ୍ୟୁଦଣ୍ଡ ହିଁ ଏକମାତ୍ର ବିକଳ୍ପ ରହୁଛି। ଏପରିକି ମହିଳାଙ୍କୁ ସର୍ବସମ୍ମୁଖରେ ବିଚ୍‌ ରାସ୍ତାରେ ପ୍ରହାର କରାଯାଉଥିବା ବେଳେ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଝୁଲାଇ ଫାଶୀ ଦଣ୍ଡ ଦିଆଯାଉଛି।ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି। ଏପରିକି ଜମିରେ ହୋଇଥିବା ସେମାନଙ୍କ ଫସଲକୁ ଲୁଟି ନେଉଛନ୍ତି ତାଲିବାନୀ।

ସୂଚନାଯୋଗ୍ୟ ୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ୍ ସରକାର ଥିବାବେଳେ ମଧ୍ୟ ଆଫଗାନିସ୍ତାନରେ ଏପରି କଠୋର ନିୟମ ଥିଲା । ସେ ସମୟରେ ପୁରୁଷମାନେ ଦାଢି ଓ କେଶ ବଢାଇବାକୁ ବାଧ୍ୟ ହେଉଥିଲେ । ହେଲେ ୨୦୦୧ ପରେ ତାଲିବାନ୍ ସରକାରର ଅନ୍ତ ଘଟିବା ପରେ କ୍ଲିନ ସେଭ୍ ଲୁକ୍ ଓ ଷ୍ଟାଇଲିସ୍ ହେୟାର ଷ୍ଟାଇଲ ଟ୍ରେଣ୍ଡ ହୋଇଥିଲା । କିନ୍ତୁ ପୁଣିଥରେ ସେ ଅନ୍ଧାରି ଯୁଗ ଫେରିଆସିବା ପରେ ପୁରୁଣା କଠୋର ନିୟମ ବି ଆଫଗାନିସ୍ତାନକୁ ଫେରିଛି।

Leave A Reply

Your email address will not be published.