ନାକଫୁଲ ପିନ୍ଧିଲେ ତାହିର୍

ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଓ ଅଭିନେତା ତାହିର୍ ରାଜ୍ ଭସିନ୍ଙ୍କ ଆଗାମୀ ଚଳଚ୍ଚିତ୍ର ‘ଲୁପ୍ ଲପେଟା’ର ଟ୍ରେଲର୍ ଇତିମଧ୍ୟରେ ରିଲିଜ୍ ହୋଇଛି। ଫିଲ୍ମରେ ତାହିର୍ଙ୍କ ଲୁକ୍କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା। ଏହି ଫିଲ୍ମରେ ତାହିର୍ ନାକଫୁଲ ପିନ୍ଧିଥିବାର ଦେଖାଯାଇଛି। ଏହାପୂର୍ବରୁ ବଲିଉଡ୍ର ଅନେକ ଅଭିନେତା ମଧ୍ୟ ମହିଳାଙ୍କ ଫେସନ୍କୁ ଅନୁକରଣ କରିଥିବାର ଦେଖାଯାଇଛି। ସବୁବେଳେ ନିଜର ଅଜବ ପୋଷାକ ପିନ୍ଧା ଷ୍ଟାଇଲ୍କୁ ନେଇ ଚର୍ଚ୍ଚିତ ରଣବୀର ସିଂହ ଅନେକ ସମୟରେ ମହିଳାଙ୍କ ଫେସନ୍କୁ ଅନୁକରଣ କରୁଥିବାର ଦେଖାଯାଇଛି। ‘ଏଲ୍ଅଫିସିଏଲ୍’ ନାମକ ଏକ ମାଗାଜିନ୍ର କଭର୍ ପେଜ୍ରେ ରଣବୀର ନୋଥ ପିନ୍ଧି ନଜର ଆସିଥିଲେ।
୨୦୧୮ରେ ଅମିର୍ ଖାନ୍ ‘ଠଗସ୍ ଅଫ୍ ହିନ୍ଦୁସ୍ତାନ’ରେ ନାକଫୁଲ ପିନ୍ଧିଥିବାର ଦେଖାଯାଇଥିଲେ। କେବଳ ସେତିକି ନୁହେଁ, ୧୯୨୦ ମସିହାର ଲୋକଙ୍କ ଭଳି ଦେଖାଯିବା ପାଇଁ ଅମିର୍ କାନଫୁଲ ମଧ୍ୟ ପିନ୍ଧିଥିଲେ। ନବେ ଦଶକରେ ଅକ୍ଷୟ କୁମାର ଏକ ଫଟୋସୁଟ୍ରେ ନୋଥ ପିନ୍ଧି ନଜର ଆସିଥିଲେ। ୧୯୯୮ ମସିହାରେ ମିଥୁନ୍ ଚକ୍ରବର୍ତ୍ତୀ ‘ସେର୍-ଏ-ହିନ୍ଦୁସ୍ତାନ’ ଫିଲ୍ମରେ ଇନ୍ସପେକ୍ଟର କ୍ରାନ୍ତି କୁମାର ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ଜଣେ ଗୁଣ୍ଡା ତାଙ୍କୁ ଅପମାନ ଦେବାପାଇଁ ଜୋର୍ ଜବରଦସ୍ତ ନାକରେ ନାକଫୁଲ ପିନ୍ଧାଇ ଦେଇଥିଲା। ମିଥୁନ୍ ସେହି ଘଟଣାର ପ୍ରତିଶୋଧ ନେବା ନିମନ୍ତେ ତାକୁ ପିନ୍ଧିଥିଲେ ଓ ଶେଷରେ ସେହି ନାକଫୁଲଟିକୁ ସେହି ଗୁଣ୍ଡାଟିକୁ ପିନ୍ଧାଇଥିଲେ। ‘ଲୁପ୍ ଲପେଟା’ ଫେବୃୟାରୀ ୪ ତାରିଖରେ ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ।