ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାନ୍‌ରେ ‘ଭୁବନ’ ହରାଇଥିଲେ, ହେଲେ ରୋହିତ ବାହିନୀ ପାରିଲାନି : ୧୦ ୱିକେଟରେ ବିଜୟ ସହ ଫାଇନାଲରେ ଇଂଲଣ୍ଡ

ଆଡିଲେଡ୍‌ : ଆଡିଲେଡ୍ ଓଭାଲଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ୨ୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତର ୧୬୯ବିଜୟ ଲକ୍ଷ୍ୟକୁ ଅତି ସହଜରେ ବିନା କୌଣସି ୱିକେଟ ହରାଇ ହାସଲ କରିନେଇଛି ଇଂଲଣ୍ଡ। ଇଂଲଣ୍ଡ ଦଳର ଦୁଇ ଓପନର ଜସ୍‌ ବଟ୍‌ଲର ଓ ଆଲେକ୍ସ ହେଲ୍ସ ପ୍ରଥମରୁ ଭାରତୀୟ ବୋଲରଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଭାରତର କୌଣସି ବୋଲରଙ୍କ ବଲ୍‌ ଇଂଲଣ୍ଡର ଦୁଇ ଓପନରଙ୍କ ଆଗରେ କାମ କରିନଥିଲା। ନା ପ୍ରେସର ନା ସ୍ପିନର କାହାକୁ ବି ଛାଡିନଥିଲେ ଜସ୍‌ ବଟ୍‌ଲର ଓ ଆଲେକ୍ସ ହେଲ୍ସ । ଇଂଲଣ୍ଡର ଉଭୟ ଓପନର ବିସ୍ଫୋରକ ବ୍ୟାଟିଂ କରି ଅତି ସହଜରେ ଭାରତକୁ ହରାଇ ଫାଇନାଲରେ ପ୍ରବେଶ କରାଇଛନ୍ତି। ଆଜି ମ୍ୟାଚରେ ବିଜୟ ସହ ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ।

ଭାରତୀୟ ବୋଲରଙ୍କ ଦୟନୀୟ ପ୍ରଦର୍ଶନ ସହିତ ଇଂରେଜ ଦଳର ଅଧିନାୟକ ଜୋସ୍ ଟବଲର ଏବଂ ଆଲେକ୍ସ ହେଲ୍ସଙ୍କ ବିସ୍ଫୋରକ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଆଡିଲେଡ୍‌ରେ ଖେଳାଯାଇଥିବା ଦ୍ଵିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡ ଭାରତକୁ ୧୦ ଓ୍ଵିକେଟ୍‌ରେ ହରାଇଛି। ଏଥିସହ ଦ୍ଵିତୀୟ ଦଳ ଭାବେ ଟି-୨୦ ବିଶ୍ଵ କପ୍‌ ୨୦୨୨ର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୩ ରନ ଏବଂ ବିରାଟ କୋହଲିଙ୍କ ୫୦ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ କରିଥିଲା। ଜବାବରେ ଇଂଲଣ୍ଡ ଆଲେକ୍ସ ହେଲ୍ସଙ୍କ ଅପରାଜିତ ୮୬ ଏବଂ ବଟଲରଙ୍କ ଅପରାଜିତ ୮୦ ରନର ଦମଦାର ଇନିଂସ ବଳରେ ମାତ୍ର ୧୬ ଓଭରରେ ବିନା ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ନଭେମ୍ବର ୧୩ରେ ଫାଇନାଲ୍‌ରେ ଇଂଲଣ୍ଡ ପାକିସ୍ତାନକୁ ଭେଟିବ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ଆରମ୍ଭରୁ କେଏଲ ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ରୋହିତ ଶର୍ମା ଓ ବିରାଟ କୋହଲି ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରୋହିତ ୨୭ ରନ କରି ଆଉଟ ହୋଇଥିବାବେଳେ କୋହଲି ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ପୂରଣ କରିଥିଲେ । ରୋହିତଙ୍କ ପରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୧୪ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୩ଟି ବଲରୁ ୬୩ ରନର ବହୁମୂଲ୍ୟ ଇନିଂସ ଖେଳିଥିଲେ । ତେବେ ସେ ଶେଷ ବଲରେ ଦୁର୍ଭାଗ୍ୟଜନକ ଭାବେ ହିଟ୍ ଓ୍ବିକେଟ ହୋଇଥିଲେ । ଭାରତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୬୮ ରନ କରିଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକ୍ସ ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୬୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଦଳର ଦୁଇ ଓପନର ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଜୋସ୍ ବଟଲର ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଥିଲା। ନିଜର ଖ୍ୟାତି ଅନୁସାରେ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ଆରମ୍ଭରୁ ନିର୍ମମ ପ୍ରହାର କରିଥିଲେ। ଏପରିକି ପ୍ରତିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ବି ଦେଇନଥିଲେ। ପ୍ରଥମେ ଅର୍ଦ୍ଧଶତକୀୟ, ପୁଣି ଶତକୀୟ ଭାଗିଦାରୀ ଯୋଡି ହେଲ୍ସ ଏବଂ ବଟଲର ଇଂଲଣ୍ଡର ବିଜୟକୁ ସହଜ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଭାରତୀୟ ବୋଲର ଏମିତି ଦୟନୀୟ ବୋଲିଂ କରିଥିଲେ ଯେ, ବିରୋଧୀ ଦଳର ଗୋଟିଏ ହେଲେ ଓ୍ଵିକେଟ୍ ହାସଲ କରିପାରିନଥିଲେ। ସମସ୍ତ ବୋଲର ଇଂରେଜର ଦୁଇ ଓପନଙ୍କ ସମ୍ମୁଖରେ ସଂପୂର୍ଣ୍ଣ ଫିକା ପଡି ଯାଇଥିଲେ। ପରିଶେଷରେ ଇଂଲଣ୍ଡ ୧୬ ଓଭରରେ କୌଣସି ଓ୍ଵିକେଟ୍ ନହରାଇ ଅନାୟସରେ ୧୬୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)

ଲଗାନ ହେଉଛି ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଏକ କ୍ରୀଡା (କ୍ରିକେଟ) ପ୍ରସଙ୍ଗ ଯୁକ୍ତ ନାଟକୀୟ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଆଶୁତୋଷ ଗୋୱାରିକର । ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମିର ଖାଁ ଓ ଗ୍ରେସି ସିଂ । ଜୁନ ୧୫, ୨୦୦୧ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଭାରତ ତଥା ବିଦେଶରେ ଅଦ୍ଭୁତପୂର୍ବ ବ୍ୟାବସାୟିକ ସଫଳତା ଲାଭ କରିଥିଲା। ଚଳଚ୍ଚିତ୍ରର ସଂଗୀତ ପରିଚାଳନା କରିଥିଲେ ଏ ଆର୍ ରେହେମାନ । ଚଳଚ୍ଚିତ୍ରଟି ଆନ୍ତର୍ଜାତୀୟ ତଥା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆୱାର୍ଡ ଲାଭ କରିଥିଲା । ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା ।

ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର‍୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର ନେତୃତ୍ୱରେ ରାଜା ପୂରନ ସିଂଙ୍କୁ ଏହି ଅସୁବିଧା ଜଣାଇବାକୁ ଗଲେ । ସେହି ସମୟରେ କ୍ୟାପଟେନ ରାସେଲ ତାଙ୍କ ଇଁରେଜ ସହଯୋଗୀଙ୍କ ସହ କ୍ରିକେଟ ଖେଳରେ ବ୍ୟସ୍ତ ଥାଆନ୍ତି । ରାଜାଙ୍କ ମାଧ୍ୟମରେ ଏହି ଗୁହାରୀ କଲାବେଳେ ଭୁବନର କ୍ୟାପଟେନ ରସେଲ ସହ ଯୁକ୍ତିତର୍କ ହୁଏ । କ୍ୟାପଟେନ ରାସେଲ ଲଗାଣ (କର) କମାଇବା ପାଇଁ ମନା କରିଦିଅନ୍ତି । ହେଲେ, କଥା ପ୍ରସଙ୍ଗରେ ସେ କହନ୍ତି ଯେ ଚମ୍ପାନେର ବାସୀ ଯଦି କ୍ରୀକେଟ ଖେଳରେ ତାଙ୍କ ଇଁରେଜ ଦଳକୁ ହରାଇଦେବେ ତେବେ ସେ ଲଗାଇଥିବା ଲଗାଣ ସମ୍ପୂର୍ଣ୍ଣ ଛାଡ଼ କରିଦେବେ । କର ଛାଡ଼ କଥା ଶୁଣି ଭୁବନ ଏହାକୁ ଏକ ବାଜି ଭାବେ ଗ୍ରହଣ କରିନିଏ ।

ଭୁବନର ସହୟୋଗୀ କେହି କିନ୍ତୁ ଏଥିରେ ରାଜି ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ କ୍ରିକେଟରେ ଇଁରେଜଙ୍କୁ ହରାଇବା କାଠିକର ପାଠ । ଭୁବନ କିନ୍ତୁ ନଛୋଡବନ୍ଧା । ସେ ବାଜି ଜିତିବ ଏବଂ ଗ୍ରାମବାସିଙ୍କୁ ଲଗାଣରୁ ମୁକ୍ତି ମିଳିବ । ଏହି ଆଶାରେ ସେ ପ୍ରତ୍ୟେକ ସହଯୋଗୀଙ୍କୁ ରାଜି କରାଥିଲେ  ଏବଂ ସମସ୍ତଙ୍କୁ ଖେଳ ଶିଖାଇଥିଲେ।  ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଥିଲେ। ପରିଶେଷରେ ଅନେକ ଘାତ ଏବଂ ପ୍ରତିଘାତ ସହି ଭୁବନର ଦଳ ଖେଳରେ ବିଜୟଲାଭ କରିବା ସହ ଗ୍ରାମବାସୀଙ୍କୁ ଲଗାଣମୁକ୍ତ(କର ମୁକ୍ତ) କରାଇଥିଲା।

ରୋହିତ ବାହିନୀ ଓ ଭୁବନ ବାହିନୀ

ଲଗାନ୍‌ ଚଳଚିତ୍ରରେ ଭୁବନ(ଅମିର ଖାଁ) ଦଳର କ୍ୟାପଟେନ୍‌ ଥିଲେ । ସେହି ସମୟରେ ସେ ଦଳକୁ ବିଜୟୀ କରାଇଥିଲେ। ଆଜି ଟି-୨୦ ବିଶ୍ବକପରେ ଭାରତ ଇଂଲଣ୍ଡ(ଇଂରେଜ) ସହ ସେମିଫାଇନାଲ ଥିବାରୁ ସେହି ମ୍ୟାଚକୁ ନେଇ ଚର୍ଚ୍ଚା ହେଉଥିଲା। ସେହି ସମୟର ୩ ଗୁଣା ଲଗାନ୍ ଦେନାପଡେଗା ଡାଇଲଗ୍‌କୁ ନେଇ ଆଜି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଆଲୋଚନା ହେଉଥିଲା। କିନ୍ତୁ ଭାରତୀୟ ଦଳ ବିଜୟ ହାସଲ କରିପାରିଲାନି। ରୋହିତ ବାହିନୀ ଇଂରେଜ ଦଳ ନିକଟରୁ ଶୋଚନୀୟ ଭାବେ ପରାଜୟ ବରଣ କରିଛି।

Leave A Reply

Your email address will not be published.