ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଠ୍ୟକ୍ରମରେ ସାମିଲ ହେବ ସନ୍ତରଣ, ପାଣିରେ ବୁଡି ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପ୍ରୟାସ

ଭୁବନେଶ୍ୱର: ଖୁବ୍‍ଶୀଘ୍ର ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସନ୍ତରଣ ଭଳି ବିଷୟ। ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ସହାୟତାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ସାପ କାମୁଡା ପରେ ରାଜ୍ୟରେ ପାଣିରେ ବୁଡି ଦ୍ୱିତୀୟ ସର୍ବାଧିକ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇବା ପାଇଁ ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ ପିଲାମାନଙ୍କ ପାଇଁ ସହାୟକ ହେବ।

ନୂଆକରି କରାଯାଉଥିବା ପାଠ୍ୟକ୍ରମରେ ପିଲାମାନଙ୍କୁ ସ୍କୁଲ ସମୟରୁ ପହଁରା ଶିଖାଯିବ। ଏହାଛଡା ପ୍ରାକୃତିକ ବିପର୍ଯ୍ୟୟ ବେଳେ କେଉଁ ଭଳି ଉପାୟରେ ନିଜକୁ ଓ ନିଜ ପାଖାପାଖି ଲୋକଙ୍କୁ ଉଦ୍ଧାର କରିବେ ସେ ବାବଦରେ ସ୍ୱତନ୍ତ୍ର ତାଲିମ ଦିଆଯିବ। ରାଜ୍ୟ ସରକାରଙ୍କ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ, କ୍ରୀଡା ଶିକ୍ଷକମାନେ ପିଲାମାନଙ୍କୁ ଏହି ପ୍ରଶିକ୍ଷଣ ଦେବେ। ଏହାଛଡା ଯଦି କେହି ପାଣିରେ ବୁଡିଯାଏ ତେବେ ସେ ସମୟରେ କିଭଳି ପ୍ରାଥମିକ ଉପଚାର କରାଯିବ ସେ ବାବଦରେ ମଧ୍ୟ ପିଲାମାନଙ୍କୁ ପରୀକ୍ଷା ଦିଆଯିବ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ପ୍ରତିଦିନ ହାରାହାରି ଦୁଇଜଣଙ୍କର ପାଣିରେ ବୁଡି ମୃତ୍ୟୁ ହେଉଛି। ରାଜ୍ୟରେ ସାପକାମୁଡାରେ ସର୍ବାଧିକ ମୃତ୍ୟୁ ହେଉଥିବା ବେଳେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ପାଣିରେ ବୁଡି ଓ ତୃତୀୟ ସର୍ବାଧିକ ମୃତ୍ୟୁ ବଜ୍ରପାତ ଯୋଗୁଁ ହୋଇଥାଏ। ୨୦୧୫-୧୬ରେ ରାଜ୍ୟରେ ପାଣିରେ ବୁଡି ୨୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୬-୧୭ରେ ୪୨୮, ୨୦୧୭-୧୮ରେ ୬୧୮, ୨୦୧୮-୧୯ରେ ୪୩୧ ଜଣଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି। ସେହିପରି ୨୦୧୯-୨୦ ବର୍ଷରେ ୧୦୪୦ ଜଣଙ୍କର, ୨୦୨୦-୨୧ରେ ୧୧୨୫ ଜଣ ଓ ୨୦୨୧ରୁ ୨୦୨୨ ଯାଏଁ ୧୩୩୩ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୭ ବର୍ଷ ଭିତରେ ରାଜ୍ୟରେ ପାଖାପାଖି ୫୦୦୦ରୁ ଅଧିକ ଲୋକଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ଲୋକଙ୍କର ପାଣିରେ ବୁଡି ମୃତ୍ୟୁ ହୋଇଥିବା ବେଳେ ତାପଛକୁ ଭଦ୍ରକ ଏବଂ ଯାଜପୁର ରହିଛନ୍ତି। ଗତ ୭ ବର୍ଷର ପାଣିରେ ବୁଡି ମୃତ୍ୟୁ ଘଟଣାର ତଥ୍ୟକୁ ବିଶ୍ଳେଷଣ କଲେ ଜଣାଯାଏ ଯେ; ପ୍ରତିବର୍ଷ ରାଜ୍ୟରେ ପାଣିରେ ବୁଡି ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି। ରାଜ୍ୟ ସରକାର ମଧ୍ୟ ୨୦୧୫ରୁ ଏହାକୁ ବିପର୍ଯ୍ୟୟ ଭାବେ ବିବେଚନା କରି ମୃତ୍ୟୁ ପିଛା ୪ ଲକ୍ଷ ଟଙ୍କା ଦେବାକୁ ସ୍ଥିର କରି ଏ ବାବଦରେ ପାଖାପାଖି ୨୦୮କୋଟି ଟଙ୍କା କ୍ଷତିପୂରଣ ବାବଦକୁ ଖର୍ଚ୍ଚ କରିଛନ୍ତି। ରାଜ୍ୟରେ ଜୁଲାଇ ମାସରୁ ନଭେମ୍ବର ମାସ ମଧ୍ୟରେ ପାଣିରେ ବୁଡି ଅଧିକ ଲୋକଙ୍କର ପ୍ରାଣହାନୀ ଘଟିଥାଏ। ଏହାବାଦ ପ୍ରତିବର୍ଷ ଖରା ମାସରେ ମଧ୍ୟ ଅନେକ ଲୋକ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥାନ୍ତି।ଏହି ସମୟରେ ପିଲାମାନେ ଗାଧୋଇବା ପାଇଁ ନଦୀ, ପୋଖରୀ, ଡ୍ୟାମ ଓ ସମୁଦ୍ର ଭିତରକୁ ଯାଉଥିବା ବେଳେ ଅସାବଧାନତାରୁ ପ୍ରାଣ ହରାଇଥାନ୍ତି।

Leave A Reply

Your email address will not be published.