ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବବିଜୟୀ ବିବେକାନନ୍ଦ

ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରିବାରେ ସ୍ବାମୀ ବିବେକାନନ୍ଦଙ୍କ ଯୋଗଦାନ ଅତୁଳନୀୟ। ସେ ଥିଲେ ଯୋଗଜନ୍ମା ଯୁଗପୁରୁଷ। ଏକାଧାରରେ ସେ ଥିଲେ ଜଣେ ଆଧ୍ୟାତ୍ମିକ ଗୁରୁ, ସମାଜ ସଂସ୍କାରକ, ଦାର୍ଶନିକ ଓ ଶିକ୍ଷାବିତ୍‌। ସେ ତ୍ୟାଗ, ତେଜ, ନିର୍ଭୀକତାର ପ୍ରତୀକ ଥିଲେ। ଯୁବ ସମାଜକୁ ନେଇ ସେ ଅନେକ ସ୍ୱପ୍ନ ଦେଖିଥିଲେ। ସ୍ବାମିଜୀ ଯୁବସମାଜକୁ ନିଜ କର୍ତ୍ତବ୍ୟବୋଧ ପ୍ରତି ସଚେତନ ତଥା ଜାଗ୍ରତ କରିବାକୁ ସର୍ବଦା ଚେଷ୍ଟିତ ରହୁଥିଲେ।

ସ୍ୱାମୀ ବିବେକାନନ୍ଦ ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ସନ୍ତାନ ରୂପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ଜାଗ୍ରତ ହୋଇଥିଲା । ତାଙ୍କର ଏକମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୂତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ପିଲାଦିନ ନାମ ନରେନ୍ଦ୍ର। ପିତା ବିଶ୍ୱନାଥ ଦତ୍ତ ପାଶ୍ଚାତ୍ୟ ସଭ୍ୟତାରେ ବିଶ୍ୱାସ କରୁଥିଲେ। ପାଶ୍ଚାତ୍ୟ ସଭ୍ୟତାରେ ଚାଲିବାକୁ ସେ ପୁଅ ନରେନ୍ଦ୍ରଙ୍କୁ ଇଂରାଜୀ ଶିଖାଇବାକୁ ମଧ୍ୟ ଚାହୁଁଥିଲେ। ପିଲାଦିନରୁ ନରେନ୍ଦ୍ରଙ୍କ ବୁଦ୍ଧି ଅତ୍ୟନ୍ତ ତୀକ୍ଷ୍ଣ ଥିଲା । ୧୮୮୪ ମସିହାରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ଘରର ଭାର ନରେନ୍ଦ୍ରଙ୍କ ଉପରେ ପଡ଼ିଥିଲା। ନରେନ୍ଦ୍ର ଜଣେ ମେଧାବୀ ଛାତ୍ର ଥିଲେ। ବିଭିନ୍ନ ବିଷୟରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଭଲ ଭାଷଣ ଦେଇ ପାରୁଥିବାରୁ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ।

ଭଗବାନଙ୍କ ଅସ୍ତିତ୍ବ ବିଷୟରେ ଜାଣିବା ପାଇଁ ତାଙ୍କ ମନରେ ଖୁବ୍‌ ଆଗ୍ରହ ଥିଲା। ଅନେକ ସାଧୁସନ୍ଥଙ୍କୁ ସେ ଭେଟୁଥିଲେ। କିନ୍ତୁ କେଉଁଠି ସନ୍ତୁଷ୍ଟ ହୋଇପାରି ନଥିଲେ। ଶେଷରେ ତାଙ୍କର ସାକ୍ଷାତ ହୋଇଥିଲା ଶ୍ରୀରାମକୃଷ୍ଣ ପରମହଂସଙ୍କ ସହିତ। ଏହା ବିବେକାନନ୍ଦ ଜୀବନ ଧାରାକୁ ପରିବର୍ତ୍ତିତ କରିଦେଇଥିଲା। ରାମକୃଷ୍ଣ ନିଜର ମହାନ୍‌ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ। ମାତ୍ର ୨୬ ବର୍ଷ ବୟସରେ ବିବେକାନନ୍ଦ ଗେରୁଆ ପୋଷାକ ଧାରଣ କରିଥିଲେ ଓ ତା’ ପରେ ପାଶ୍ଚାତ୍ୟ ରାଷ୍ଟ୍ର ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ବରେ ସନାତନ ଧର୍ମ ଓ ବେଦାନ୍ତର ପ୍ରଚାର-ପ୍ରସାର କରିଥିଲେ। ୧୮୯୩ ମସିହାରେ ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଆୟୋଜିତ ବିଶ୍ୱ ଧର୍ମ ମହାସଭାକୁ ସମ୍ବୋଧିତ କରିଥିଲେ। ବିଶ୍ବ ଧର୍ମ ମହାସଭାରେ ବିବେକାନନ୍ଦ ନିଜର ଓଜସ୍ବିନୀ ବକ୍ତବ୍ୟରେ ପାଶ୍ଚାତ୍ୟ ଜଗତକୁ ଭାରତୀୟ ବେଦାନ୍ତ, ଦର୍ଶନ ସହିତ ପରିଚିତ କରାଇଥିଲେ। ୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ବିଶ୍ବ ଧର୍ମ ମହାସଭାରୁ ଫେରିବା ପରେ ତାଙ୍କ ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ। ସମଗ୍ର ବିଶ୍ବକୁ ଭ୍ରାତୃତ୍ବ ଭାବରେ ବାନ୍ଧି ରଖିବା ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ। ମାତ୍ର ୩୯ ବର୍ଷ ବୟସରେ ୧୯୦୨ ମସିହା ଆଜିର ଦିନରେ ଏହି ଯୋଗଜନ୍ମା ମହାପୁରୁଷଙ୍କର ମହାପ୍ରୟାଣ ଘଟିଥିଲା। ସମଗ୍ର ବିଶ୍ବକୁ ଆଧ୍ୟାତ୍ମିକ ଶକ୍ତି ବଳରେ ଜୟ କରିଥିବାରୁ ସେ ବିଶ୍ବବିଜୟୀ ବିବେକାନନ୍ଦ ଭାବେ ପରିଚିତ ଥିଲେ l

Leave A Reply

Your email address will not be published.