ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୂର୍ଯ୍ୟ କୁମାର ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର, ସିରାଜ୍ ବିଶ୍ବର ଏକ ନମ୍ବର ଦିନିକିଆ ବୋଲର

ନୂଆଦିଲ୍ଲୀ : ଭାରତର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୨ ବର୍ଷର ଶ୍ରେଷ୍ଠ ଟି -୨୦ କ୍ରିକେଟର ଭାବେ ମନୋନୀତ କରାଯାଇଛି। ସମସ୍ତଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ଏହି ଷ୍ଟାର ବ୍ୟାଟର ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି।

ସୂର୍ଯ୍ୟକୁମାର ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିଲେ। ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ସୂର୍ଯ୍ୟ ତାଙ୍କ ଜଲୱା ଦେଖାଇଥିଲେ। ସେ ୬ଟି ଇନିଂସରେ ୩ଟି ଅର୍ଦ୍ଧଶତକ ହାସଲ କରିବା ସହ ୬୦ ହାରରେ ରନ ସଂଗ୍ରହ କରିଥିଲେ। ସେହିପରି ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୮୯.୮ ରହିଥିଲା।

ସେ କେବଳ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ଗୋଟିଏ ବର୍ଷ ମଧ୍ୟରେ ଟି -୨୦ ରେ ଏକ ହଜାରରୁ ଅଧିକ ରନ୍ ସ୍କୋର କରିଛନ୍ତି। ଚଳିତ ବର୍ଷ ତାଙ୍କ ବ୍ୟାଟରୁ ୬୮ ଛକା ଦେଖିବାକୁ ମିଳିଥିଲା। ଏକ ବର୍ଷ ମଧ୍ୟରେ ଟି -୨୦ ରେ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ସୂର୍ଯ୍ୟଙ୍କ ନାମରେ ରହିଛି। ସେ ଗତ ବର୍ଷ ଦୁଇଟି ଶତକ ଏବଂ ନଅ ଅର୍ଦ୍ଧଶତକ ହାସଲ କରିଥିଲେ।

ସୂର୍ଯ୍ୟକୁମାର କେବଳ ବିଶ୍ୱକପ ନୁହେଁ ଅନ୍ୟ ଦ୍ୱିପାକ୍ଷିକ ଟି-୨୦ରେ ମଧ୍ୟ  ଦମ୍‌ଦାର ପଦର୍ଶକ କରିଥିଲେ। ଗତ ବର୍ଷ ଇଂଲଣ୍ଡ ବିପକ୍ଷରେ ଇଂରାଜୀ ମାଟିରେ ସୂର୍ଯ୍ୟକୁମାର ମଧ୍ୟ ପ୍ରଥମ ଶତକ ହାସଲ କରିଥିଲେ। ଇଂଲଣ୍ଡ ୨୧୬ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତୀୟ ଦଳ ୩୧ ରନରେ ତିନୋଟି ୱିକେଟ୍ ହରାଇଥିଲା। ଏହା ପରେ ସୂର୍ଯ୍ୟକୁମାର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ। ସେ ୫୫ ବଲରୁ ୧୧୭ ସ୍କୋର କରି ଭାରତକୁ ବିଜୟର ନିକଟତର କରିଥିଲେ। ତେବେ ସେ ଆଉଟ ହେବା ପରେ ଟିମ୍ ଇଣ୍ଡିଆ ମ୍ୟାଚ୍ ହାରିଥିଲା। ଭାରତ ମ୍ୟାଚ ହାରିଥିଲା ସତ କିନ୍ତୁ ଦମଦାର ବ୍ୟାଟିଂ ଓ ଦର୍ଶନୀୟ ଶଟ୍‌ ଯୋଗୁ ସୂର୍ଯ୍ୟକୁମାର ବହୁତ ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ସେ ଆଇସିସି ଟି-୨୦ ବ୍ୟାଟର ରାଙ୍କିଙ୍ଗର ୧ନଂ ସ୍ଥାନ ମଧ୍ୟ ଦଖଲ କରିଛନ୍ତି।ତାଙ୍କର ଏହି ସଫଳତା ହେତୁ ଆଇସିସି ତାଙ୍କୁ ଆଇସିସି ଟି -20 ପୁରୁଷ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରିଛି।

ସିରାଜ୍ ବିଶ୍ବର ଏକ ନମ୍ବର ଦିନିକିଆ ବୋଲର

ଆଇସିସି ଦିନିକିଆ ବୋଲର ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଭାରତୀୟ ପେସର୍ ମହମ୍ମଦ ସିରାଜ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ସିରାଜ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡଙ୍କୁ ପଛରେ ପକାଇ ଦିନିକିଆରେ ବିଶ୍ବର ଏକ ନମ୍ବର ବୋଲର ହୋଇଛନ୍ତି । ଗତ ୧୨ ମାସରେ ସିରାଜ୍ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି । ସେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ବହୁତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ସେ ଶ୍ରୀଲଙ୍କା ବିପକ୍ଷ ତିନୋଟି ମ୍ୟାଚରେ ୯ ୱିକେଟ୍ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଚାରିଟି ୱିକେଟ୍ ନେଇଥିଲେ। ତାଙ୍କ ପାଖରେ ୭୨୯ ରେଟିଂ ପଏଣ୍ଟ ରହିଛି । ହାଜଲେଉଡ୍ ତାଙ୍କଠାରୁ ମାତ୍ର ଦୁଇ ପଏଣ୍ଟ ପଛରେ ଅଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ଶାମିଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି । ଶାମି ୧୧ ଟି ସ୍ଥାନ ଉପରକୁ ଉଠି ୩୨ତମ ସ୍ଥାନରେ ଅଛନ୍ତି । ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଶୀର୍ଷରେ ରହିଛନ୍ତି। ଶ୍ରେଷ୍ଠ ୧୦ ମଧ୍ୟରେ ଭାରତର ତିନିଜଣ ଖେଳାଳି ଅଛନ୍ତି। ଶୁବମାନ ଗିଲ ୨୦ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ବିରାଟ କୋହଲି ସପ୍ତମ ଏବଂ ରୋହିତ ଶର୍ମା ଅଷ୍ଟମ ସ୍ଥାନରେ ଅଛନ୍ତି।

Leave A Reply

Your email address will not be published.