ଡାକ୍ତରମାନଙ୍କୁ ଫାର୍ମା କମ୍ପାନୀ ଦେଉଥିବା ଉପହାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ…

ନୂଆଦିଲ୍ଲୀ : ଡାକ୍ତରମାନଙ୍କୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦେଉଥିବା ଉପହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ବୟାନ ଜାରି କରିଛନ୍ତି। ଡାକ୍ତରମାନଙ୍କୁ ଦିଆଯାଉଥିବା ଏଭଳି ଉପହାର ଔଷଧ ମୂଲ୍ୟ ବଢିବାର ଅନ୍ୟତମ କାରଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯାହାକି ସାଧାରଣ ଲୋକଙ୍କ ପାଇଁ ଏକ ସମସ୍ୟା। ଡାକ୍ତରମାନଙ୍କୁ ଫାର୍ମାସିଉଟିକାଲ କମ୍ପାନୀମାନେ ଦେଉଥିବା ଉପହାର ମାଗଣା ବୋଲି ଯାହା କୁହାଯାଉଛି ତାହା ବାସ୍ତବିକ ଭାବେ ଠିକ୍ ନୁହେଁ। ଉପହାର ବାବଦରେ ଯାହା ଖର୍ଚ୍ଚ ହେଉଛି ତାହାକୁ ଔଷଧ ନିର୍ମାଣକାରୀ କମ୍ପାନୀ ଔଷଧ ମୂଲ୍ୟରେ ଯୋଡୁଛନ୍ତି। ତେଣୁ ଔଷଧ ମୂଲ୍ୟ ବଢୁଛି ଏବଂ ତାହାର ପ୍ରଭାବସାଧାରଣ ଲୋକଙ୍କ ଉପରେ ପଡ଼ୁଛି ବୋଲି କୋର୍ଟ କହିଛନ୍ତି।
ଡାକ୍ତରମାନଙ୍କୁ ମାଗଣାରେ କମ୍ପାନୀମାନେ ଉପହାର ଦେଉଥିବାରୁ ଏହି ବାବଦରେ ହେଉଥିବା ଖର୍ଚ୍ଚକୁ ଆୟକର ରିହାତିରେ ଅନ୍ତର୍ଭୂକ୍ତ କରିବାକୁ ଫାର୍ମା କମ୍ପାନୀଗୁଡିକ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ହେଲେ କୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ଉପରୋକ୍ତ ରାୟ ଦେବା ସହିତ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆୟକର ଅଧିନିୟମର ଧାରା ୩୭ (୧) ଅନୁଯାୟୀ ଫାର୍ମା କମ୍ପାନୀଗୁଡିକ ଆୟକର ଛାଡରୁ ଏହାର ଲାଭ ଉଠାଇ ପାରିବେ ନାହିଁ । ଏହାବ୍ୟତୀତ ଡାକ୍ତରମାନଙ୍କୁ ଉପହାର ଦିଆଯିବା ପରମ୍ପରା ମଧ୍ୟ ଆଇନ ବିରୋଧୀ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ବିଚାର କରି ଜଷ୍ଟିସ୍ ୟୁ ୟୁ ଲଲିତଙ୍କ ଦ୍ବାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଡାକ୍ତରମାନେ ରୋଗୀଙ୍କୁ ଯେଉଁ ଔଷଧ କିଣିବାକୁ ପରାମର୍ଶ ଦେଇଥାଆନ୍ତି ରୋଗୀ ସେହି ଔଷଧ ହିଁ କିଣିଥାଏ। ଡାକ୍ତର ଲେଖିଥିବା ଔଷଧ ଦାମୀ ହେଲେ ବି ରୋଗୀ ତାହା କିଣିବାକୁ ଆପ୍ରାଣ ଉଦ୍ୟମ କରିଥାଏ । କିନ୍ତୁ ଡାକ୍ତରମାନଙ୍କୁ ଦିଆଯାଇଥିବା ଉପହାର ଯୋଗୁଁ ଯଦି ଜଣେ ରୋଗୀକୁ ଅଧିକ ମୂଲ୍ୟର ଔଷଧ କିଣିବାକୁ ପଡ଼ୁଥାଏ ତେବେ ତାହା ଅତ୍ୟନ୍ତ ଚିନ୍ତାଜନକ।
ଡାକ୍ତରମାନଙ୍କୁ ‘ ଫ୍ରି ବାଏଜ୍’ ବ୍ୟବସ୍ଥାରେ ଫାର୍ମା କମ୍ପାନୀମାନେ ଏଲସିଡି ଟିଭି ଠାରୁ ଆରମ୍ଭ କରି , ସୁନା କଏନ, ଲାପଟପ୍ ଏବଂ ଦାମୀ ଫ୍ରଜି୍ ଆଦି ଉପହାର ଆକାରରେ ଦେଉଛନ୍ତି। କେବଳ ସେତିକି ନୁହେଁ ଡାକ୍ତରମାନଙ୍କ କନଫରେନ୍ସ ଖର୍ଚ୍ଚ ଏବଂ ଭ୍ରମଣ ଖର୍ଚ୍ଚ ମଧ୍ୟ ଉପହାର ଆକାରରେ ଦିଆଯାଉଛି। କିନ୍ତୁ ଏଭଳି ଖର୍ଚ୍ଚକୁ କମ୍ପାନୀମାନେ ଔଷଧ ମୂଲ୍ୟ ସହ ଯୋଡୁଛନ୍ତି। ଏହା ନୀତି ବିରୁଦ୍ଧ ଓ ଏହା ଆଇନ ଦ୍ୱାରା ମଧ୍ୟ ଅସିଦ୍ଧ। ଭାରତୀୟ ମେଡିକାଲ କାଉନସିଲ୍ ରେଗୁଲେସନ୍, ୨୦୦୨ ଉପ-ନିୟମ ୬.୮ ଅନୁଯାୟୀ, ଡାକ୍ତରମାନଙ୍କୁ ଫାର୍ମା କମ୍ପାନୀ ‘ଫ୍ରି ବାଏ’ ଦେବା ମଧ୍ୟ ଦଣ୍ଡନୀୟ। ତେଣୁ କମ୍ପାନୀମାନେ ଏହି ଉପହାର ବାବଦ ଖର୍ଚ୍ଚ ସେମାନଙ୍କ ବ୍ୟବସାୟରେ ଯୋଡି ପାରିବେ ନାହିଁ ଏବଂ ଏହା ଆୟକର ରିହାତିରୁ ମୁକ୍ତ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।