ବାପାଙ୍କ ସମ୍ପତ୍ତିରେ ଝିଅର ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ, ବାପାଙ୍କ ସହ ସମ୍ପର୍କ ନଥିଲେ ଝିଅକୁ ମିଳିବନି କୌଣସି ଅର୍ଥ

ନୂଆଦିଲ୍ଲୀ : ବାପାଙ୍କ ସହ ସଂପର୍କ ନରଖିଲେ ଝିଅକୁ ତାହାର ଆବଶ୍ୟକତା କିମ୍ବା ଖର୍ଚ୍ଚ ବାବଦ କୌଣସି ଅର୍ଥ ମିଳିବନି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଝିଅ ଯଦି ନିଜ ବାପାଙ୍କ ଠାରୁ ଅଲଗା ହୋଇଯାଏ ବା ବାପାଙ୍କ ସହ କୌଣସି ସଂପର୍କ ନରଖେ ତେବେ ବାପା ,ଝିଅର କୌଣସି ଖର୍ଚ୍ଚ ଉଠାଇବାକୁ ବାଧ୍ୟ ନୁହନ୍ତି । ଜଷ୍ଟିସ୍ ସଞ୍ଜୟ କିଶନ କୌଲ ଏବଂ ଏମ୍ଏମ୍ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏକ ଦମ୍ପତିଙ୍କ ଛାଡ଼ପତ୍ର ମାମଲା ସମ୍ପର୍କିତ ଏକ ପିଟିସନର ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତି । ଏହି ଛାଡପତ୍ର ମାମଲାରେ ପତ୍ନୀ ନିଜ ସ୍ବାମୀଙ୍କ ଠାରୁ ଅର୍ଥଦାବି କରିଥିଲା ବେଳେ ଅଦାଲତ ଉକ୍ତ ମହିଳାଙ୍କ ସ୍ବାମୀଙ୍କୁ ସମସ୍ତ ଦାବି ପୂରଣ କରିବାକୁ କହିବା ସହିତ ୧୦ ଲକ୍ଷ ଟଙ୍କା ଜମା କରିବାକୁ କହିଛନ୍ତି।

ଦୁଇମାସ ଭିତରେ ଏହି ଟଙ୍କା କୋର୍ଟରେ ଜମ କରିବାକୁ କୋର୍ଟ କହିଥିବା ବେଳେ ସମସ୍ତ ଅର୍ଥ ଅଭିଯୋଗକାରିଣୀ ପତ୍ନୀଙ୍କୁ ପ୍ରଦାନ କରାଯିବ । କିନ୍ତୁ ଏହି ଅର୍ଥରେ ସେମାନଙ୍କ ଝିଅ କୌଣସି ଦାବି କରିପାରିବ ନାହିଁ । ଝିଅର ଶିକ୍ଷା ଏବଂ ବାହାଘରର ଖର୍ଚ୍ଚକୁ ନେଇ ଅଭିଯୋଗକାରିଣୀ ପ୍ରଶ୍ନ ଉଠାଇଥିଲା ବେଳେ ଏବାବଦରେ କୋର୍ଟ କହିଛନ୍ତି ଯେ ଝିଅର ବୟସ ଏବେ ୨୦ ବର୍ଷ। ଭବିଷ୍ୟତର ରାସ୍ତା ବାଛିବା ପାଇଁ ତାର ଅଧିକାର ଅଛି । କିନ୍ତୁ ଆବେଦନକାରୀ ଶିକ୍ଷା ପାଇଁ ଖର୍ଚ୍ଚ ମାଗିପାରିବେ ନାହିଁ । ଝିଅ କୌଣସି ରାଶି ଦାବି କରିବା ପାଇଁ ହକ୍‌ଦାର ନୁହେଁ । କିନ୍ତୁ ପ୍ରତିପକ୍ଷ ଅର୍ଥାତ୍ ବାପା ଯଦି ପତ୍ନୀଙ୍କ ଠାରୁ ଛାଡପତ୍ର ପରେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଝିଅକୁ ଆର୍ଥିକ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ସୂଚନା ମୁତାବକ, ୧୯୯୮ମସିହାରେ ଅଭିଯୋଗ କରିଥିବା ଦମ୍ପତ୍ତି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ପରେ ୨୦୦୧ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ସେତେବେଳେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ତେଣୁ ପରବର୍ତ୍ତୀ ସମୟରେ ପତ୍ନୀ ଝିଅର ହକ୍ ଦାବି କରି କୋର୍ଟରେ ପିଟିସନ୍ ଦାଏର କରିଥିଲେ ।

Leave a comment