ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାତାର ୭ ଦିନ ଶୁଣାଣି ପରେ ‘ଇଡବ୍ଲୁଏସ୍’ କୋଟା ମାମଲାର ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଗାତାର ୭ ଦିନ ଶୁଣାଣି ପରେ ଆଜି  ସୁପ୍ରିମକୋର୍ଟ ଆର୍ଥିକ ଅନଗ୍ରସର ଭାଗର ବ୍ୟକ୍ତିଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବା ନେଇ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ସମ୍ବିଧାନର ୧୦୩ ତମ ସଂଶୋଧନର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ୱରୀ,ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରବେଦୀ ଓ ଜଷ୍ଟିସ ଜେବି ପାରଦିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ମାମଲାରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି।

ସମ୍ବିଧାନର ଏହି ସଂଶୋଧନ ଅନୁଯାୟୀ, କଲେଜ ଆଡମିଶନ ଏବଂ ସରକାରୀ ଚାକିରିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍) ପାଇଁ ସରକାର ୧୦ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଗତ କିଛି ଦିନ ଧରି ଇଡବ୍ଲୁଏସ କୋଟା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରିଛି କି ନାହିଁ ତାହାର ଶୁଣାଣି କରିଥିଲା । ଏହି ମାମଲାର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସରକାରଙ୍କ ପ୍ରତିନିଧିତ୍ୱ କରିଥିବା ବେଳେ ଶିକ୍ଷାବିତ ମୋହନ ଗୋପାଳ ଏବଂ ଅନ୍ୟ ବରିଷ୍ଠ ଓକିଲମାନେ ଇଡବ୍ଲୁଏସ କୋଟା ବିରୋଧରେ ପକ୍ଷ ରଖିଥିଲେ।

ଶିକ୍ଷାବିତ୍ ମୋହନ ଗୋପାଳ ପ୍ରଥମେ ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ପୀଠ ସମ୍ମୁଖରେ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ। ଇଡବ୍ଲୁଏସ କୋଟା ସଂଶୋଧନକୁ ବିରୋଧ କରି ଗୋପାଳ ଏହାକୁ ପଛ ଦ୍ୱାର ଦେଇ ସଂରକ୍ଷଣ ଅବଧାରଣାକୁ ନଷ୍ଟ କରିବାର ପ୍ରୟାସ ବୋଲି ଯୁକ୍ତି କରିଥିଲେ ।ରବିବର୍ମା କୁମାର, ପି ୱିଲସନ, ମୀନାକ୍ଷୀ ଆରୋରା, ସଞ୍ଜୟ ପାରିକ, କେ.ଏସ୍ ଚୌହାନ ଏବଂ ଓକିଲ ଶାଦନ ଫରାସତଙ୍କ ସମେତ ବରିଷ୍ଠ ଓକିଲମାନେ ମଧ୍ୟ ଇଡବ୍ଲୁଏସ ସଂରକ୍ଷଣକୁ ସମାଲୋଚନା କରି କହିଥିଲେ ଯେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିର ଗରିବ ଲୋକଙ୍କୁ ଏଥିରେ ସାମିଲ କରାଯାଇ ନାହିଁ।

ଏହି ସଂଶୋଧନକୁ ସମର୍ଥନ କରି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ସାଧାରଣ ବର୍ଗର ଗରିବ ପରିବାର ପାଇଁ ଏହି ଇଡବ୍ଲୁଏସ କୋଟା ଜରୁରୀ।ଏହି ମାମଲାରେ ଅତି କମରେ ୪୦ଟି ପିଟିସନର ଶୁଣାଣି କରାଯାଇଥିଲା। ଏଥିମଧ୍ୟରୁ ୨୦୧୯ରେ ‘ଜନହିତ ଅଭିଯାନ’ ତରଫରୁ ଦାଖଲ ହୋଇଥିବା ମୂଳ ପିଟିସନ ସମେତ ଅଧିକାଂଶ ଆବେଦନ ସମ୍ବିଧାନ ସଂଶୋଧନ (୧୦୩ ତମ) ଆଇନ ୨୦୧୯ର ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ ।

EWS କୋଟା ୫୦ ପ୍ରତିଶତ ସଂରକ୍ଷଣ ନିୟମର ଉଲଂଘନ

ଏ ସମ୍ପର୍କିତ ପିଟିସନରେ କୁହାଯାଇଛି ଯେ ଏସଟି,ଏସସି ଏବଂ ଓବିସି ରେ ମଧ୍ୟ ଗରୀବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି । ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଛି ।ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଫେସର ରବି ବର୍ମା କୁମାର ଯୁକ୍ତି କରିଥିଲେ ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସଂରକ୍ଷଣ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କହିନାହାଁନ୍ତି କିମ୍ବା ବୁଝାଇ ନାହାଁନ୍ତି । ତେଣୁ ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ବ୍ୟତୀତ ଅନ୍ୟ ଲାଭ କାହିଁକି ଦିଆଯାଉ ନାହିଁ ।

Leave A Reply

Your email address will not be published.