ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଶ୍ୟାବୃତ୍ତି ଅପରାଧ ନୁହେଁ; ପେଶା, ପୁଲିସ କରିପାରିବନି ହସ୍ତକ୍ଷେପ ଓ ନେଇପାରିବନି କାର୍ଯ୍ୟାନୁଷ୍ଠାନ

ଖବର ପ୍ରସାରଣ ବେଳେ ଗଣମାଧ୍ୟମ ବି ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ : ଦେହ ବ୍ୟବସାୟ କିମ୍ବା ବେଶ୍ୟାବୃତ୍ତି ଅପରାଧ ନୁହେଁ। ବରଂ ଏକ ପେଶା। ଦେଶର ଆଇନ ବ୍ୟବସ୍ଥା ଅନୁସାରେ ଦେହଜୀବୀମାନେ ମଧ୍ୟ ସାମାଜିକ ସ୍ତରରେ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକ୍‌ଦାର। ସହମତିରେ ବେଶ୍ୟାବୃତ୍ତି କରୁଥିବା ଯୌନକର୍ମୀଙ୍କ ପ୍ରତି ପୁଲିସ ହସ୍ତକ୍ଷେପ କରିବା କିମ୍ବା ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କରୋନା ମହାମାରୀ କାଳରେ ଯୌନକର୍ମୀଙ୍କ ବଢିଥିବା ସମସ୍ୟାକୁ ନେଇ ଆଗତ ଏକ ପିଟିସନର ଶୁଣାଣି ଅବସରରେ ଜଷ୍ଟିସ ଏଲ୍‌ ନାଗେ‌ଶ୍ବର ରାଓଙ୍କ ନେତୃତ୍ବାଧୀନ ଏକ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ସମ୍ବାଧାନର ଧାରା ୨୧ ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁରକ୍ଷା ଓ ସମ୍ମାନର ସମାନ ଅଧିକାର ରହିଛି। ତେଣୁ ଯୌନ କର୍ମୀମାନେ ମଧ୍ୟ ଏ ଦେଶର ନାଗରିକ ଏବଂ ସାମାଜିକ ସ୍ତରରେ ସମ୍ମାନର ସହ ବଞ୍ଚିବାର ସେମାନଙ୍କ ସମାନ ଅଧିକାର ରହିଛି। ଯଦି କୌଣସି ଘଟଣାରେ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼େ ତେବେ ଯୌନକର୍ମୀଙ୍କୁ ଗିରଫ କରିବା କିମ୍ବା ପରିଶାନ୍ତ କରିବା ଉଚିତ ନୁହେଁ।

କେବଳ ବେଶ୍ୟାଳୟ ଚଳାଇବା ହିଁ ବେଆଇନ ଏବଂ ଏହା ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ। କିନ୍ତୁ ନିଜ ଇଛାରେ ବେଶ୍ୟାବୃତ୍ତି କରିବା ଅପରାଧ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଏ ମାମଲାରେ କୋର୍ଟ ୬ଟି ନିର୍ଦ୍ଦେଶନାମା ଜାରି କରିବା ସହିତ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରମାନଙ୍କୁ ଯୌନକର୍ମୀମାନଙ୍କ ପ୍ରତି ସମୁଚିତ ବ୍ୟବହାର କରିବାକୁ କହିଛନ୍ତି। ଅନେକ ସମୟରେ ଯୌନକର୍ମୀଙ୍କ ପ୍ରତି ଅପରାଧ ବଢୁଥିବା ବେଳେ ପୁଲିସର କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ହେଉ ନାହିଁ। ଏପରିକି କେତେକ ସ୍ଥଳରେ ପୁଲିସ ସମ୍ବେଦନଶୀଳ ରହିବା ପରିବର୍ତ୍ତେ ଅଧିକ କ୍ରୂର ହୋଇପଡ଼ୁଛି। କିନ୍ତୁ ପୁଲିସ ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସି ଏଥିପ୍ରତି ସତର୍କ ରହିବା ଦରକାର ଏବଂ ଆବଶ୍ୟକ ସ୍ଥଳରେ ସେମାନଙ୍କୁ ସହାୟତା କରିବା ଦରକାର ବୋଲି କୋର୍ଟ କହିଛନ୍ତି। ପୁଲିସ ଶାରୀରିକ କିମ୍ବା ମୌଖିକ ଭାବେ ସେମାନଙ୍କୁ ଦୁର୍ବ୍ୟବହାର କରିପାରିବନି କିମ୍ବା ଯୌନ କର୍ମ ପାଇଁ ବାଧ୍ୟ କରିପାରିବନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସେହିପରି ଗଣମାଧ୍ୟମ ପ୍ରତି ମାର୍ଗଦର୍ଶିକା ଜାରି କରି କୋର୍ଟ କହିଛନ୍ତି ଯେ, ଯୌନକର୍ମୀଙ୍କ ସମ୍ପର୍କରେ ଖବର ପ୍ରସାରଣ ବେଳେ ସତର୍କତା ଅବଲମ୍ବନ କରାଯିବା ଉଚିତ। ଏଥିନେଇ କୋର୍ଟ ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ ଦିଶା ନିର୍ଦ୍ଦେଶକ କରିବାକୁ କହିଛନ୍ତି। ଏହା ବ୍ୟତୀତ ଯୌନକର୍ମୀଙ୍କ ଅଧିକାର ଓ ସୁରକ୍ଷାକୁ ନେଇ କୋର୍ଟ ଅନେକ ସୁପାରିସ କରିବା ସହ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ଲୋଡିଛନ୍ତି।

Leave A Reply

Your email address will not be published.