ପ୍ରେମ-ତାଗିଦା-କଳହ ନେଉଛି ଜୀବନ, ରାଜଧାନୀରେ ବଢୁଛି ଆତ୍ମହତ୍ୟା ପ୍ରବଣତା

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବୃଦ୍ଧି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। କାଳ ଡାକିଲା ଭଳି ଭୁଲ୍‍ ନିଷ୍ପତ୍ତି ଯୋଗୁଁ ମୂଲ୍ୟବାନ ଜୀବନ ଚାଲିଯାଉଛି। ପ୍ରେମରେ ବିଫଳକୁ ନେଇ ମଧ୍ୟ ଅନେକ ଆତ୍ମହତ୍ୟା ଘଟଣା ପଦାକୁ ଆସୁଛି। ସେ ଯୁବକ ହୁଅନ୍ତୁ କିମ୍ବା ଯୁବତୀ ଆତ୍ମହତ୍ୟାର ବାଟ ବାଛିନେଇଛନ୍ତି। କଲେଜ ପଢ଼଼ୁଆ ଯୁବପିଢ଼ି ପ୍ରେମରେ ବିଫଳ ହେବା ପରେ ଆତ୍ମହତ୍ୟା କରୁଛନ୍ତି। ସେଭଳି ପ୍ରେମର ବିଫଳ ହେଲା ପରେ ଲାଇଭ୍‍ ସୁଇସାଇଟ୍‍ ମଧ୍ୟ କରୁଥିବା ଦେଖାଯାଉଛି। ସେହିପରି ସେଭଳି ବାପା ଓ ମା’ ତାଗିଦ୍‍ କରିବାରୁ କିଛି କୋମଳମତି ପିଲା ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖାଯାଇଛି। କିଛିଦିନ ତଳେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ମା’ ତାଗିଦ୍‍ କରିବାରୁ ନାବାଳକ ପୁଅ ବେକରେ ରଶି ଲଗାଇ ଝୁଲିପଡ଼ିଲା। ସେପରି ବଡ଼ଗଡ଼଼ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତରୁ ଡେଇଁ ଅ।।ତ୍ମହତ୍ୟା କରିଥିଲେ। ଅନ୍ୟପକ୍ଷରେ ପାରିବାରିକ କହଳକୁ କେନ୍ଦ୍ରକରି ଆତ୍ମହତ୍ୟା କରୁଛନ୍ତି। ସେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼଼ା ହେବା ପରେ ଘର ଅଶାନ୍ତ ରହୁଛି। ତେଣୁ ପରିସ୍ଥିତିକୁ ସାମ୍‍ନା ନ କରି ଆତ୍ମହତ୍ୟା କରିଦେଉଛନ୍ତି। ବିଶେଷକରି ମହିଳାମାନେ ଆତ୍ମହତ୍ୟା କରୁଛନ୍ତି। ଏଥିସହିିତ ଆଉ କିଛି ଘଟଣାରେ ଅଫିସର ଚାପ କିମ୍ବା ବରିଷ୍ଠ ଅଧିକାରୀଙ୍କ ତାଗିଦା ଯୋଗୁଁ ତଳିଆ କର୍ମଚାରୀ ମଧ୍ୟ ଆତ୍ମହତ୍ୟା କରୁ୍‍ଥିବା ଅଭିଯୋଗ ହେଉଛି।

ସହରରେ ଏହି ସପ୍ତାହରେ ୧୦ଜଣ ଆତ୍ମହତ୍ୟା କରିଥିବା ନଜରକୁ ଆସିଲାଣି। ପ୍ରେମଜନିତ ହେଉ କିମ୍ବା ଘରୋଇ କଳିରୁ ଆତ୍ମହତ୍ୟା ହେଉଛି। ସେହିପରି ବେକରେ ରଶି ଲଗାଇ ଝୁଲିପଡ଼ିବା, ବିଷ ପିଇବା, ଛାତରୁ ଡେଇଁବା, ଟ୍ରେନ୍‍ ଆଗକୁ ଡେଇଁବା, ପାଣିକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଘଟଣା ରାଜଧାନୀରେ ଘଟିଛି। ସେହିପରି ସହରରେ ଯେତିକି ଲୋକ ଆତ୍ମହତ୍ୟା କରୁଛନ୍ତି ସେଥିମଧ୍ୟରେ ରହିଛନ୍ତି ୭୦ପ୍ରତିଶତ ଯୁବଗୋଷ୍ଠୀ। ୧୮ରୁ ୨୫ ବର୍ଷର ଯୁବବର୍ଗଙ୍କ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ପ୍ରେମ, ପାଠପଢ଼଼ାରେ ଚାପ, ପରିବାରଲୋକେ ଗାଳିଗୁଲଜ କରିବାରୁ ଅଧିକ ଯୁବଗୋଷ୍ଠୀ ଆତ୍ମହତ୍ୟା କରିଛନ୍ତି। ଆଉ ଏକ ବର୍ଗ ହେଲେ ୨୫ରୁ ୪୦। ପାରିବାରିକ କଳହ, କର୍ମକ୍ଷେତ୍ରରେ ଚାପ ଆଦିକୁ ନେଇ ମାନସିକଚାପରେ ଗତି କରନ୍ତି। ପରବର୍ତ୍ତୀ ସମୟରେ ସେମାନେ ଆତ୍ମହତ୍ୟା ଭଳି ବାଟ ବାଛିଛନ୍ତି। ଅନ୍ୟପକ୍ଷରେ ଗତ ୧୦ମାସରେ ରାଜଧାନୀରେ ୨୫୦ରୁ ଊର୍ଦ୍ଧ୍ବ ଆତ୍ମହତ୍ୟା କରିଛନ୍ତି। ତଦ୍‍ମଧ୍ୟରୁ ଯୁବପିଢ଼ି ଅଧିକ ଜୀବନ ହାରିଛନ୍ତି। କିଏ ପରିବାରିକ କହଳ ତ ଆଉ କିଏ ପ୍ରେମ ଓ ପାଠରେ ହତାଶ ହୋଇ ଜୀବନ ହାରିଛି। ପରିସଂଖାନ ଦେଖିଲେ ଗତ ୬ମାସ ଅପେକ୍ଷା ସହରରେ ଆତ୍ମହତ୍ୟା ଟ୍ରେଣ୍ଡ୍‍ ବୃଦ୍ଧି ହୋଇଛି।

ଅନ୍ୟପକ୍ଷେ ମନସ୍ତତ୍ୱବିତ୍‍ ପ୍ରଜ୍ଞାପରିମିତି ମହାନ୍ତିଙ୍କ କହିବା କଥା ମାନସିକଚାପରେ ରହିବା ପରେ ଆତ୍ମହତ୍ୟାର କରୁଛନ୍ତିି। ସେହି ଗୁରୁତ୍ୱପୂର୍ଣ୍ଣ କେଇ ମିନିଟ୍‍ ସେମାନଙ୍କ ସହ କେହି କଥାବାର୍ତ୍ତା ହେଲେ ବଡ଼ ବିପଦ ଟଳି ଯିବା ସହ ଗୋଟିଏ ଜୀବନ ବଞ୍ଚିଯାଇଥାଏ। ଆତ୍ମହତ୍ୟା କମାଇବା ଲାଗି ପ୍ରାଥମିକସ୍ତରରେ ବନ୍ଧୁ ଓ ପରିବାରଲୋକଙ୍କ ଏକ ବଡ଼ ଭୂମିକା ରହିଛି। ଅନେକ ସମୟରେ ଆତ୍ମହତ୍ୟା କରିବା ଲାଗି ମନସ୍ଥ କରିଥିବା ବ୍ୟକ୍ତିଙ୍କୁ ସହଯୋଗ ମିଳିଲେ, ଆତ୍ମହତ୍ୟାକୁ ରୋକାଯାଇପାରିବ ସେ କହିଛନ୍ତି। ସେହିପରି ମାନସିକ ଅବସାଦଗସ୍ତ ହୋଇ ଅଳ୍ପ ସମୟରେ ମଧ୍ୟରେ ମୂଲ୍ୟବାନ ଜୀବନକୁ ନଷ୍ଟ କରନ୍ତୁ ନାହିଁ। ବିଶେଷକରି ଯୁବପିଢ଼ି ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ସେମାନଙ୍କ ପରିବାର ଅନେକ ଦୁଃଖ ସମସ୍ୟା ଦେଇ ଗତି କରିଛନ୍ତି। ତେଣୁ ପରିବାରଲୋକେ ସହଯୋଗ କଲେ ଆତ୍ମହତ୍ୟା ଉପରେ ନିୟନ୍ତ୍ରଣ୍‍ ଲାଗିପାରନ୍ତି। ମାନସିକ ଅବସାଦ ହେଲେ ମନସ୍ତତ୍ତ୍ୱବିତ୍‍ଙ୍କ ସହ ପରାମର୍ଶ କରିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ପୁଲିସ କହିଛି।

୪ବର୍ଷରେ ୯୮୫ ଆତ୍ମହତ୍ୟା

ରାଜଧାନୀରେ ଆତ୍ମହତ୍ୟା ହାର ବିଗତବର୍ଷଗୁଡ଼ିକ ତୁଳନାରେ ବୃଦ୍ଧି ପାଉଛି। ଗତ ୪ବର୍ଷରେ ରାଜଧାନୀରେ ୯୮୫ ଜଣ ଆତ୍ମହତ୍ୟା କରିଛନ୍ତି। ୨୦୧୭ରେ ୨୩୧ଟି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୨୦୧୮ରେ ୨୨୪ଟି ଆତ୍ମହତ୍ୟା ହୋଇଛି। ସେହିପରି ୨୦୧୯ରେ ୨୨୦ଟି ଏବଂ ୨୦୨୦ରେ ୩୧୦ଟି ଆତ୍ମହତ୍ୟା ଘଟଣା ଘଟିଛି। ତେବେ ୨୦୨୦ରେ କରୋନା କାଳରେ ରୋଜଗାର ଉତ୍ସ କମିବାରୁ ପରିବାରିକ ଚାପ ଯୋଗୁଁ ବଢ଼଼ିଥିଲା। ଋଣ ଏବଂ ପରିବାର ବୋଝ ବଢ଼଼ିବାରୁ ଆତ୍ମହତ୍ୟା ବଢ଼଼ିଥିବା ଚର୍ଚ୍ଚା ହୋଇଥିଲା।

ହଜାରେ ଟପିଲା ଅପମୃତ୍ୟୁ

ଦୁର୍ଘଟଣା ହେଉ କିମ୍ବା ମୃତ୍ୟୁର କାରଣ ଜଣା ନ ପଡ଼ିବାରୁ କମିସନରେଟ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି। ୨୦୨୦ରେ କମିସନରେଟ୍‍ ପୁଲିସର ବିଭିନ୍ନ ସହରାଞ୍ଚଳ ଥାନାଗୁଡିକରେ ୧୫୮୩ଟି ଅପମୃତ୍ୟୁ ମାମଲା ରୁଜୁହୋଇଛି। ଏବର୍ଷ ଜୁନ୍‍ ସୁଦ୍ଧା କମିସନରେଟ୍‍ ପୁଲିସ ବିଭିନ୍ନ ଥାନାରେ ୧ହଜାରରୁ ଊର୍ଦ୍ଧ୍ବ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି। ସେଭଳି କିଛି ସମ୍ବେଦନଶୀଳ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ମଧ୍ୟ କମିସନରେଟ୍‍ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରୁଛି। ସେ ମଞ୍ଚେଶ୍ୱର ଥାନା ବରିମୁଣ୍ଡ କୁଆଖାଇ ନଦୀପଠାରୁ ବାଲିରୁ ପୋତା ଯାଇଥିବା ଜଣେ ଯୁବକର ସନ୍ଦେହଜନକ ମୃତଦେହ ଠାବ ହୋଇଥିଲୋ। କିନ୍ତୁ ପୁଲିସ ହତ୍ୟା ମାମଲା ପରିବର୍ତ୍ତେ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି। ଏଭଳି ଏକାଧିକ ଘଟଣାରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ବଦଳରେ ଅପମୃତ୍ୟୁ ମାମଲା ରୁଜୁ କରୁଥିବାରୁ ପୁଲିସର କାର୍ଯ୍ୟଧାରା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a comment