ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ଆତ୍ମହତ୍ୟା ପ୍ରବଣତା, ଭୁଲ୍‍ ନିଷ୍ପତ୍ତି ଯୋଗୁଁ ଅକାଳରେ ଚାଲିଯାଉଛି ମୂଲ୍ୟବାନ୍‌ ଜୀବନ

ଭୁବନେଶ୍ୱର : ଦିନକୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ପ୍ରବଣତା । କାଳ ଡାକିଲା ଭଳି ଭୁଲ୍‍ ନିଷ୍ପତ୍ତି ଯୋଗୁଁ ଅକାଳରେ ଚାଲିଯାଉଛି  ମୂଲ୍ୟବାନ ଜୀବନ। ପ୍ରେମରେ ବିଫଳକୁ ନେଇ ଅନେକ ଆତ୍ମହତ୍ୟା ଘଟଣା ପଦାକୁ ଆସୁଛି। ସେ ଯୁବକ ହୁଅନ୍ତୁ କିମ୍ବା ଯୁବତୀ ଆତ୍ମହତ୍ୟାର ବାଟ ବାଛିନେଇଛନ୍ତି। କଲେଜ ପଢ଼଼ୁଆ ଯୁବପିଢ଼ି ପ୍ରେମରେ ବିଫଳ ହେବା ପରେ ଆତ୍ମହତ୍ୟା କରୁଛନ୍ତି। କେତେକ ଯୁବପିଢି ପ୍ରେମର ବିଫଳ ହେଲା ପରେ ଲାଇଭ୍‍ ସୁଇସାଇଟ୍‍ ମଧ୍ୟ କରୁଥିବା ଦେଖାଯାଉଛି। ସେହିପରି ବାପା ଓ ମା’ ତାଗିଦ୍‍ କରିବାରୁ କିଛି କୋମଳମତି ପିଲା ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖାଯାଇଛି।

ଗତକିଛି ବର୍ଷ ହେବ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଇ ସପ୍ତାହରେ ମଧ୍ୟ ବହୁ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଲାଣି। ପ୍ରେମଜନିତ ହେଉ କିମ୍ବା ଘରୋଇ କଳିରୁ ଆତ୍ମହତ୍ୟା ହେଉଛି। ସେହିପରି ବେକରେ ରଶି ଲଗାଇ ଝୁଲିପଡ଼ିବା, ବିଷ ପିଇବା, ଛାତରୁ ଡେଇଁବା, ଟ୍ରେନ୍‍ ଆଗକୁ ଡେଇଁବା, ନଦୀ ଓ ପୋଖରୀ ପାଣିକୁ ଡେଇଁ ଆତ୍ମହତ୍ୟା କରିବା ଭଳି ଘଟଣା  ଘଟୁଛି ।  ଯେତିକି ଲୋକ ଆତ୍ମହତ୍ୟା କରୁଛନ୍ତି ସେଥିମଧ୍ୟରେ ରହିଛନ୍ତି ୭୦ପ୍ରତିଶତ ଯୁବଗୋଷ୍ଠୀ। ୧୮ରୁ ୨୫ ବର୍ଷର ଯୁବବର୍ଗଙ୍କ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ପ୍ରେମ, ପାଠପଢ଼଼ାରେ ଚାପ, ପରିବାରଲୋକେ ଗାଳିଗୁଲଜ କରିବାରୁ ଅଧିକ ଯୁବଗୋଷ୍ଠୀ ଆତ୍ମହତ୍ୟା କରିଛନ୍ତି। ଆଉ ଏକ ବର୍ଗ ହେଲେ ୨୫ରୁ ୪୦। ପାରିବାରିକ କଳହ, କର୍ମକ୍ଷେତ୍ରରେ ଚାପ ଆଦିକୁ ନେଇ ମାନସିକଚାପରେ ଗତି କରନ୍ତି। ପରବର୍ତ୍ତୀ ସମୟରେ ସେମାନେ ଆତ୍ମହତ୍ୟା ଭଳି ବାଟ ବାଛିଛନ୍ତି।

ଅନ୍ୟପଟେ ସବୁଠୁ ବଡ କଥା ହେଉଛି ଭାରତରେ ହତ୍ୟା ତୁଳନାରେ ବଢୁଛି ଆତ୍ମହତ୍ୟା । ଏହା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିପାରେ କିନ୍ତୁ ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋର ତଥ୍ୟ କହୁଛି ଭାରତରେ ଆତ୍ମହତ୍ୟାର ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ ବି ହତ୍ୟା ତୁଳନାରେ ଆତ୍ମହତ୍ୟା ଅଧିକ ହୋଇଥିବା ରିପୋର୍ଟ ହୋଇଛି । ଗତକିଛି ଦିନ ତଳେ ଏନସିଆରବି ତଥ୍ୟ ଅନୁସାରେ, ରାଜ୍ୟରେ ବର୍ଷକୁ ଯେତିକି ହତ୍ୟା ମାମଲା ଦାୟର ହେଉଛି, ତାହାଠାରୁ ୩ ଗୁଣ କିମ୍ବା ତା’ଠାରୁ ଅଧିକ ହେଉଛି ଆତ୍ମହତ୍ୟା । ୨୦୧୮ରେ ୧୩ ଶହ ୭୮ ହତ୍ୟା ମାମଲା ହୋଇଥିବା ବେଳେ ଆତ୍ମହତ୍ୟା ହୋଇଥିଲା ୪୪୪୭ । ୨୦୧୯ରେ ମଧ୍ୟ ତଥ୍ୟ ମଧ୍ୟ ସେହିପରି ଥିଲା । ଆଉ କରୋନା ସମୟରେ ଅର୍ଥାତ ୨୦୨୦ରେ ହତ୍ୟା ମାମଲା ୧୪ ଶହ ୭୦ ଥିବା ବେଳେ ୫ ହଜାର ୪୮୨ ଜଣ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିଲେ ।

ସେହିପରି ଏକ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ଏବେ ଦୂରାରୋଗ୍ୟ ବ୍ୟାଧି ନୁହେଁ; ଆତ୍ମହତ୍ୟା ଅଧିକ ଜୀବନ ନେବାରେ ଲାଗିଛି। ଗତ ୬ ବର୍ଷ ହେଲା ରାଜ୍ୟରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ୨୦୧୬ରୁ ୨୦୨୧ ମଧ୍ୟରେ ଓଡ଼ିଶାରେ ସମୁଦାୟ ୨୮,୩୪୯ ଜଣ ଆତ୍ମହତ୍ୟା କରିଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବଢିବାରେ ଲାଗିଛି । ଯାହା ହତ୍ୟା ମାମଲା ଠାରୁ ୨ରୁ ୩ ଗୁଣା ଅଧିକ ହୋଇଥିବା ତଥ୍ୟ କହୁଛି । ମାତ୍ର କେଇ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାର ନିଷ୍ପତି ନେଇପାରନ୍ତି ବୋଲି ମନୋଚିକିତ୍ସକ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଷାଦରେ ରହି ଜଣେ ମଣିଷ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତିି ନେଇଥାନ୍ତି । ସେହି ଗୁରୁତ୍ୱପୂର୍ଣ୍ଣ କେଇ ମିନିଟ୍‍ ସେମାନଙ୍କ ସହ କେହି କଥାବାର୍ତ୍ତା ହେଲେ ବଡ଼ ବିପଦ ଟଳି ଯିବା ସହ ଗୋଟିଏ ଜୀବନ ବଞ୍ଚିଯାଇଥାଏ। ଆତ୍ମହତ୍ୟା କମାଇବା ଲାଗି ପ୍ରାଥମିକସ୍ତରରେ ବନ୍ଧୁ ଓ ପରିବାରଲୋକଙ୍କ ଏକ ବଡ଼ ଭୂମିକା ରହିଛି। ଅନେକ ସମୟରେ ଆତ୍ମହତ୍ୟା କରିବା ଲାଗି ମନସ୍ଥ କରିଥିବା ବ୍ୟକ୍ତିଙ୍କୁ ସହଯୋଗ ମିଳିଲେ, ଆତ୍ମହତ୍ୟାକୁ ରୋକାଯାଇପାରିବ।

ସେହିପରି ମାନସିକ ଅବସାଦଗସ୍ତ ହୋଇ ଅଳ୍ପ ସମୟରେ ମଧ୍ୟରେ ମୂଲ୍ୟବାନ ଜୀବନକୁ ନଷ୍ଟ କରନ୍ତୁ ନାହିଁ। ବିଶେଷକରି ଯୁବପିଢ଼ି ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ସେମାନଙ୍କ ପରିବାର ଅନେକ ଦୁଃଖ ସମସ୍ୟା ଦେଇ ଗତି କରିଛନ୍ତି। ତେଣୁ ପରିବାରଲୋକେ ସହଯୋଗ କଲେ ଆତ୍ମହତ୍ୟା ଉପରେ ନିୟନ୍ତ୍ରଣ୍‍ ଲାଗିପାରନ୍ତି।  ଆମେ ମାନସିକ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦେଉ ନାହୁଁ। ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିସର ବୃଦ୍ଧି କରାଯିବା ଆବଶ୍ୟକ। ଲୋକଙ୍କ ମଧ୍ୟରେ ବିଶେଷକରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା, ମାନସିକ ଅବସାଦ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଜରୁରୀ। ମାନସିକ ଅବସାଦ ହେଲେ ମନସ୍ତତ୍ତ୍ୱବିତ୍‍ଙ୍କ ସହ ପରାମର୍ଶ କରିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ପୁଲିସ କହିଛି।

Leave A Reply

Your email address will not be published.