ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁବକଙ୍କ ସଫଳ ଉଦ୍ୟମ, ଫୁଲ ଚାଷ ଆଣିଛି ନୁଆ ସମ୍ଭାବନା

ଯାଜପୁର: ଏବେ ଯୁବକମାନେ ଚାକିରି ପଛରେ ଗୋଡାଉଥିଲାବେଳେ ସ୍ନାତକ ଭାବେ ଉର୍ତିଣ୍ଣ ହେବା ପରେ ଚାକିରି ନକରି ବ୍ୟବସାୟରେ ମନୋନିବେଶ କରିଥିଲେ ବରୀ ବ୍ଲକ ମଲିଆଘାଇର ଯୁବକ ଜ୍ୟୋତିକାନ୍ତ ମହାପାତ୍ର। ଦୀର୍ଘ ବର୍ଷର ପରିଶ୍ରମ ପରେ ସେ ନିଜକୁ ଜଣେ ସଫଳ ବ୍ୟବସାୟୀ ଭାବେ ଗଢିତୋଳିଛନ୍ତି। ହେଲେ ଏହି ବ୍ୟବସାୟ କରିବା ଭିତରେ ଆମେରିକାରେ ରହୁଥିବା ତାଙ୍କ ମାମୁ ତଥା ବରୀର ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ଅନାଦୀ ନାୟକ ତାଙ୍କୁ ନିଜ ଜମିରେ ଚାଷ କରିବାକୁ ପରାମର୍ଶ ଦିଅନ୍ତି। ତାଙ୍କ ପରାମର୍ଶରେ ସେ ନିଜ ଜମିରେ ବିଭିନ୍ନ ପରିବା ଚାଷ ଆରମ୍ଭ କରିଥିଲେ। ପ୍ରାୟ ୨ ଏକର ଜମିରେ ବିଭିନ୍ନ ପରିବା ଚାଷ କରି ଏହାକୁ ବିକ୍ରି କରି ଲାଭବାନ ହୋଇଥିଲେ। ଏହା ପରେ ଗତ ପ୍ରଳୟଙ୍କାରୀ ବନ୍ୟାରେ ତାଙ୍କ ଜମି ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି ନଦୀବନ୍ଧରେ ଘାଇ ହୋଇଥିଲା। ଯାହା ତାଙ୍କ ପରିବା ଚାଷକୁ ବ୍ୟାପକ କ୍ଷତି ପହଂଚାଇଥିଲା। ଏହା ପରେ ଜ୍ୟୋତିକାନ୍ତ ଏଥିରେ ଭାଙ୍ଗି ନପଡି ଏକ ଏକର ଜମିରେ ସଜନା ଚାଷ ଆରମ୍ଭ କରିଥିଲେ। ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୨ ଶହ ସଜନା ଗଛ ଲଗାଇଛନ୍ତି। ଯାହା ଏବେ ବଢିବା ଅବସ୍ଥାରେ ଅଛି।

ଅନ୍ୟପଟେ ଦିନକୁଦିନ ଫୁଲର ବ୍ୟାପକ ଚାହିଦା ସୃଷ୍ଟି ହୋଇଛି। ଫୁଲ ବିକ୍ରୟ ପାଇଁ ବଜାରର ମଧ୍ୟ ସୁବିଧା ଅଛି। ଏହାକୁ ଦୃଷ୍ଟିରେ ରଖି ଜ୍ୟୋତିକାନ୍ତ ଗେଣ୍ଡୁ ଫୁଲଚାଷ କରିବାକୁ ମନ ବଳାଇଥିଲେ। ମେରି ଗୋଲ୍ଡ ପ୍ରଜାତିର ୧୦ ହଜାର ଚାରା କଲକତାରୁ ମଗାଇ ତାକୁ ନିଜର ଏକ ଏକର ଜମିରେ ଲଗାଇଥିଲେ। ହେଲେ ଗତ ଲଗାଣ ବର୍ଷାରେ ବର୍ଷା ମାଡ ଖାଇ ପ୍ରାୟ ୮ ହଜାର ଚାରା ମରିଗଲା। ଯାହାକୁ ନେଇ ଚିନ୍ତାରେ ପଡିଲେ ସେ। ଏହା ପରେ ଅନଲାଇନ ମାଧ୍ୟମରେ ଗେଣ୍ଡୁ ମଞ୍ଜି ମଗାଇ ତାକୁ ଚାରା ପକାଇ ଗଛ କଲେ। ଏହା ପରେ ଏକ ଏକରୁ ଅଧିକ ଜମିରେ ପ୍ରାୟ ୧୫ ହଜାର ବୁଦା ଗେଣ୍ଡୁ ଲଗାଇଥିଲେ। ପ୍ରତି ବୁଦାରେ ୨ଟି ଲେଖାଏ ଗଛ ଲାଗିଛି। ଉପଯୁକ୍ତ କୋଡା, ଖୁସା ସାର ପ୍ରୟୋଗ କରିବା ଫଳରେ ଏବେ ଏହି ଫୁଲ ଫୁଟିବା ଆରମ୍ଭ କରିଛି। ଏହା ଆଗାମି ୬ ମାସ ପର୍ଯ୍ୟନ୍ତ ଫୁଟିବ। ଏବେ ଦୈନିକ ୨୦ ରୁ ୩୦ କେଜି ଫୁଲ ବାହାରୁଥିଲାବେଳେ ଏହାକୁ କେ.ଜି ପ୍ରତି ୭୦ ଟଙ୍କା ହିସାବରେ ସେ ବିକ୍ରି ଆରମ୍ଭ କରିଛନ୍ତି।

ଆଗକୁ ଦୈନିକ ୧ କ୍ୱିଂଟାଲ ଫୁଲ ତୋଳିବାକୁ ଲକ୍ଷ ରଖିଛନ୍ତି। ଏହି ଫୁଲକୁ ସେ ବସ ଯୋଗେ କଟକ ପଠାଉଥିଲାବେଳେ କଟକର ଫୁଲ ବ୍ୟବସାୟୀ ଅଗ୍ରିମ ଟଙ୍କା ଦେଇ ଏହାକୁ ନେଉଛନ୍ତି। ଆଗକୁ ସମସ୍ତ ଫୁଲ ନେବାକୁ ପ୍ରତିଶୃତି ମଧ୍ୟ ଦେଇଛନ୍ତି। ଦୈନିକ ଚାରି ଜଣ ବ୍ୟକ୍ତି ତାଙ୍କ ନିକଟରେ କାମ କରୁଛନ୍ତି। ସେମାନେ ଜ୍ୟୋତିଙ୍କ ସହିତ ଗଛର ଯତ୍ନ ନେଇ ଫୁଲ ମଧ୍ୟ ତୋଳୁଛନ୍ତି। ଏହି ଏକ ଏକର ଜମିରେ ସେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲାବେଳେ ସେ ଲାଭବାନ ହେବେ ବୋଲି ଦୃଢୋକ୍ତି କରିଛନ୍ତି। ଆଜକୁ ୫ ବର୍ଷ ହେଲା ବିଭିନ୍ନ ଚାଷ କରୁଥିଲାବେଳେ ଆଗକୁ ଫୁଲ ଚାଷରେ ଅଧିକ ମନୋନିବେଶ କରିବେ ବୋଲି କହିଛନ୍ତି। ଆଗାମି ଦିନରେ ଗେଣ୍ଡୁ ସହିତ ରଜନୀଗନ୍ଧା ଫୁଲ ଚାଷକୁ ମଧ୍ୟ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଏହା ସହିତ ଯୁବକମାନେ ଫୁଲ ଚାଷ ପ୍ରତି ଗୁରୁତ୍ୱ ଦେଇ ଏହି ଚାଷ କଲେ ଅଧିକ ଲାଭବାନ ହେବା ସହିତ ସ୍ୱାବଲମ୍ବି ହୋଇ ପାରିବେ ବୋଲି କହିଛନ୍ତି। ଏହା ଦ୍ୱାରା ଆମେ ଫୁଲ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବା ନାହିଁ ବୋଲି କୁହନ୍ତି। ନିଜ ଫୁଲ ଚାଷକୁ ନେଇ ସେ ଖୁବ ଆତ୍ମ ସନ୍ତୋଷ ପାଉଥିବା କହିଛନ୍ତି।

Leave A Reply

Your email address will not be published.