ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଫଳ ଗଣତନ୍ତ୍ର ଓ ସାମ୍ୱିଧାନିକ ମୂଲ୍ୟବୋଧ

ଭାରତୀୟ ଗଣତନ୍ତ୍ର ସାତ ଦଶକରୁ ଅଧିକ ସମୟର ଗୌରବମୟ ଯାତ୍ରା କରି ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ୧୯୫୦ ମସିହା ଆଜିର ଦିନରେ ଭାରତୀୟ ସମ୍ୱିଧାନ କାର୍ଯ୍ୟକାରୀ ହୋଇଥିଲା, ଯେଉଁଥିରେ ଭାରତର ସମସ୍ତ ନାଗରିକ ‘ଭାରତକୁ ଏକ ସମ୍ପୂର୍ଣ୍ଣ ପ୍ରଭୁତାସମ୍ପନ୍ନ, ସମାଜବାଦୀ, ଧର୍ମନିରପେକ୍ଷ ଲୋକତାନ୍ତ୍ରିକ ଗଣରାଜ୍ୟ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନାର ସ୍ୱାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମତା ପ୍ରାପ୍ତ କରାଇବା ନିମିତ୍ତ ତଥା ସେମାନଙ୍କ ମଧ୍ୟରେ ବ୍ୟକ୍ତିର ଗରିମା ଓ ରାଷ୍ଟ୍ରର ଏକତା, ଅଖଣ୍ଡତାକୁ ସୁନିଶ୍ଚିତ କରୁଥିବା ଭ୍ରାତୃତ୍ୱ ବର୍ଦ୍ଧନ କରାଇବା ନିମିତ୍ତ ଦୃଢ଼ ସଂକଳ୍ପ ନେଇ ଏହି ସମ୍ୱିଧାନକୁ ଏତଦ୍ୱାରା ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମୋର୍ପିତ କରୁଅଛୁ’ ବୋଲି ଘୋଷଣା କରିଥିଲେ। ଆଜିର ଦିନରେ ଦେଶର ପ୍ରତ୍ୟେକ ନାଗରିକ ଆମ ସମ୍ୱିଧାନର ଏହି ପ୍ରସ୍ତାବନାକୁ ଭଲ ଭାବରେ ଅଧ୍ୟୟନ କରିବା ଆବଶ୍ୟକ। କାରଣ ସମ୍ୱିଧାନ ପ୍ରଣେତାମାନେ ସମ୍ପୂର୍ଣ୍ଣ ସମ୍ୱିଧାନର ଆତ୍ମାକୁ ଏହି ପ୍ରସ୍ତାବନାରେ ଅତି ନିଖୁଣ ଭାବେ ଉଲ୍ଲେଖ କରିଛନ୍ତି। ଆମେ ଯେତେବେଳେ ସ୍ୱାଧୀନତା ଲାଭର ୭୫ ବର୍ଷ ପୂର୍ତ୍ତି କରିସାରିଛୁ, ଏହା ହିଁ ଉତ୍କୃଷ୍ଟ ସମୟ ମୂଲ୍ୟାୟନ କରିବା ପାଇଁ ଯେ ଆମେ କେତେଦୂର ସମ୍ୱିଧାନରେ ଉଲ୍ଲିଖିତ ନୀତି ଓ ଆଦର୍ଶକୁ ଚରିତାର୍ଥ କରିବାକୁ ସଫଳ ହୋଇଛୁ।

ସର୍ବପ୍ରଥମେ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ବୋଧହୁଏ ଭାରତ ବିଶ୍ୱର ଏକମାତ୍ର ରାଷ୍ଟ୍ର ଯେଉଁଠି ସ୍ୱାଧୀନତା ପ୍ରାପ୍ତି ପରେ ନିରବଚ୍ଛିନ୍ନ ଭାବେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭାବେ ଚାଲୁଛି। ଭାରତ ଯେଉଁ ସମୟରେ ସ୍ୱାଧୀନତା ପାଇଥିଲା, ପାଖାପାଖି ସେହି ସମୟରେ ପ୍ରାୟ ପଚାଶରୁ ଅଧିକ ରାଷ୍ଟ୍ର ବିଦେଶୀ ଶାସନ କବଳରୁ ମୁକ୍ତ ହୋଇଥିଲେ। କିନ୍ତୁ ଭାରତକୁ ବାଦ ଦେଲେ ପ୍ରାୟ ଅନ୍ୟ କୌଣସି ସେହି ଦେଶଗୁଡ଼ିକରେ ଲଗାତାର ଗଣତାନ୍ତ୍ରିକ ଶାସନ ଚାଲିନାହିଁ। କୌଣସି ନା କୌଣସି ସମୟରେ ସେହିସବୁ ଦେଶରେ କିଛିସମୟ ପାଇଁ ଏକଛତ୍ରବାଦ ଶାସନ ଚାଲିଥିଲା, କିମ୍ୱା ଏବେ ମଧ୍ୟ ଚାଲୁଛି। ଏହା ହିଁ ହେଉଛି ଆମର ସବୁଠାରୁ ବଡ଼ ଉପଲବ୍ଧି ଓ ବୈଶିଷ୍ଟ୍ୟ।
ଏଠାରେ ପ୍ରଶ୍ନ ଉଠେ, ଯଦି ଅନ୍ୟ ଦେଶରେ ଗଣତନ୍ତ୍ର ନିରବଚ୍ଛିନ୍ନ ଭାବେ ଚାଲିପାରି ନାହିଁ, ତେବେ ଭାରତ ପରି ଏକ ବିଶାଳ ଦେଶରେ, ଯାହା ବିବିଧତାରେ ଭରା, ଏହା ସମ୍ଭବ ହେଲା କେମିତି ଓ କିପରି? ଏହାର ଉତ୍ତର ଅତ୍ୟନ୍ତ ସରଳ। ପ୍ରଥମ କାରଣ ହେଉଛି, ‘ବିବିଧତା ଭିତରେ ଏକତା’ ଏବଂ ଦ୍ୱିତୀୟଟି ହେଉଛି ‘ସଶକ୍ତ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା’। ଦେଶର ଏହି ବହୁବିଧ ଭାଷା, ସଂସ୍କୃତି, ପରମ୍ପରା ଯୋଗୁଁ ଏ ଦେଶ ସମ୍ମୁଖୀନ ହୋଇଥିବା ଅନେକ ବିଦେଶୀ ଆକ୍ରମଣ, ଉପନିବେଶବାଦକୁ ସଫଳତାର ସହିତ ମୁକାବିଲା କରି ନିଜର ମୌଳିକ ବୈଶିଷ୍ଟ୍ୟକୁ ଉଜ୍ଜୀବିତ ରଖିବା ପାଇଁ ସଫଳ ହୋଇଛି। କିନ୍ତୁ ଆମର ସମସାମୟିକ ଅନ୍ୟାନ୍ୟ ପ୍ରାଚୀନ ସଭ୍ୟତା ଲୋପ ପାଇସାରିଛି। କିନ୍ତୁ ପରିତାପର ବିଷୟ, ଆଜି ଏହି ବିବିଧତା ବଦଳରେ ଜାତୀୟତାବାଦ ଆଳରେ ଏକକ ସଂସ୍କୃତି ଏବଂ ଏକକ ପରମ୍ପରାକୁ ପ୍ରତିଷ୍ଠା କରିବା ପାଇଁ ଯେଉଁ ଚେଷ୍ଟା ଚାଲିଛି, ତାହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ ସହ ସୁସ୍ଥ ଗଣତନ୍ତ୍ରର ସୁରକ୍ଷା ପାଇଁ ମଧ୍ୟ ସ୍ପୃହଣୀୟ ନୁହେଁ।

ଗଣତନ୍ତ୍ରର ସୁରକ୍ଷା ଏବଂ କାର୍ଯ୍ୟକାରିତା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି, ଗଣତାନ୍ତ୍ରିକ ଅନୁଷ୍ଠାନର କାର୍ଯ୍ୟକ୍ଷମତା। ଏହା ଆମକୁ ଦେଖିବାକୁ ମିଳିଥିଲା ଆମେରିକା ପରି ଏକ ପରିପକ୍ୱ ଗଣତାନ୍ତ୍ରିକ ରାଷ୍ଟ୍ରରେ। ୨୦୨୦ ମସିହା ରାଷ୍ଟ୍ରପତି ନିର୍ବାଚନ ପରେ ପରେ ଏକରକମର ଅରାଜକତା ଦେଖାଦେଇଥିଲା ସେଠାରେ। କିନ୍ତୁ ସେତିକି ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ନିଜ ନିଜର ସାମ୍ୱିଧାନିକ କର୍ତ୍ତବ୍ୟ ସମ୍ପାଦନ କରି ସମସ୍ୟାକୁ ସୁଧାରି ସେଠାରେ ଗଣତାନ୍ତ୍ରିକ ଧାରାକୁ ତୁରନ୍ତ ଫେରାଇ ଆଣିଥିଲେ। ଯେଉଁ ଯେଉଁ ଦେଶରେ ଏହିଭଳି ଗଣତାନ୍ତ୍ରିକ ଅନୁଷ୍ଠାନ ସବୁ ଦୁର୍ବଳ ହୋଇଛି, କିମ୍ୱା କୌଣସି ଗୋଟିଏ ଅନୁଷ୍ଠାନ ଆବଶ୍ୟକତାଠାରୁ ଅଧିକ ଶକ୍ତିଶାଳୀ ହୋଇଛି, ସେହି ଦେଶର ଗଣତନ୍ତ୍ର ନିଶ୍ଚିତ ଭାବେ ଦୁର୍ବଳ ହୋଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ, ମାଁମାର, ଥାଇଲାଣ୍ଡ ଏବଂ ଅନେକ ଆଫ୍ରିକୀୟ ଦେଶକୁ ଉଦାହରଣ ଭାବେ ନିଆ ଯାଇପାରେ, ଯେଉଁଠାରେ ଦେଶର ସେନା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଶକ୍ତିଶାଳୀ ହୋଇଛି।

ଭାରତରେ ଆମର ଏହି ସାମ୍ୱିଧାନିକ ଅନୁଷ୍ଠାନଗୁଡ଼ିକର କିଛି ତ୍ରୁଟିବିଚ୍ୟୁତିକୁ ବାଦ ଦେଲେ ନିଜ ନିଜ କର୍ତ୍ତବ୍ୟ ଅତି ଉତ୍ତମ ଭାବେ ସମ୍ପାଦନ କରିଛନ୍ତି। ସତୁରି ଦଶକର ‘ଏମର୍ଜେନ୍ସି’ ବା ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ୱିଧାନରେ ପ୍ରଦତ୍ତ ମୌଳିକ ଅଧିକାର, ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଜୀବନପ୍ରତି ଅଧିକାର ଯାହାକି ଅନୁଚ୍ଛେଦ ୨୧ ରେ ଉଲ୍ଲିଖିତ, ତା’ ଉପରେ କୁଠାରଘାତ କରଯାଇଥିଲା। ସେତିକିବେଳେ ଏହିସବୁ ସାମ୍ୱିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ‘ବେସିକ ଷ୍ଟ୍ରକଚର’ ବା ‘ମୌଳିକ ସଂରଚନା’ ପରି ସିଦ୍ଧାନ୍ତ ସର୍ବୋଚ୍ଚ ନ୍ୟାୟଳୟର ଜଷ୍ଟିସ ଖାନ୍ନାଙ୍କ ଦ୍ୱାରା ପ୍ରଦତ୍ତ ରାୟରେ ଉଚ୍ଚାରଣ କରାଯାଇଥିଲା, ଯାହାକି ପରବର୍ତ୍ତୀ କାଳରେ ସମ୍ୱିଧାନର ତିନି ସ୍ତମ୍ଭ ମଧ୍ୟରେ ଏକ ସନ୍ତୁଳିତ ସମ୍ପର୍କ ରଖିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। କିନ୍ତୁ କୌତୂହଳର ବିଷୟ ଯେ ଆଜି ପୁନର୍ବାର ଏହି ବେସିକ ଷ୍ଟ୍ରକଚର ସିଦ୍ଧାନ୍ତର ଉପଦେୟତା ବିଷୟରେ ସାମ୍ୱିଧାନିକ ପଦରେ ଅଧିଷ୍ଠିତ କ୍ଷମତାସୀନମାନେ ବାକ୍‌‌-ବିତର୍କ ଆରମ୍ଭ କରିଦେଇଛନ୍ତି।

ଆମେ ଯେତେବେଳେ ଗଣତାନ୍ତ୍ରିକ ଅନୁଷ୍ଠାନ ବିଷୟରେ ଆଲୋଚନା କରିବା, ବ୍ୟକ୍ତିଗତ ଭାବେ ମୁଁ ତ୍ରି-ସ୍ତରୀୟ ପଞ୍ଚାୟତ ଶାସନ ବ୍ୟବସ୍ଥାକୁ ସାମ୍ୱିଧାନିକ ବିଧି ବ୍ୟବସ୍ଥାରେ ସାମିଲ କରିବା ନିଷ୍ପତ୍ତିକୁ ସର୍ବାଗ୍ରେ ରଖିବି। କାରଣ ଆଜି ଏହିସବୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଅଭୂତପୂର୍ବ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ତୃଣମୂଳସ୍ତରରୁ ସିଧାସଳଖ ନିର୍ବାଚିତ ହୋଇ ଆସୁଥିବା ଏହି ଜନପ୍ରତିନିଧିଗଣଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସଞ୍ଚରିତ ହେଉଛି, ଯାହା ପରବର୍ତ୍ତୀ କାଳରେ ଭାରତୀୟ ଗଣତନ୍ତ୍ରକୁ ରୁଦ୍ଧିମନ୍ତ କରି ତୋଳୁଛି। ତେଣୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଭାରତୀୟ ଗଣତନ୍ତ୍ରର ଏନ୍ତୁଡିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ଆମେ ଯେତେବେଳେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ, ଏହାର ମଧ୍ୟ ମୂଲ୍ୟାୟନ ହେବା ଉଚିତ। ସମ୍ୱିଧାନର ବିଭିନ୍ନ ବିଧି ବ୍ୟବସ୍ଥାରେ ଉଲ୍ଲିଖିତ ମୌଳିକ ଭାବନାଗୁଡ଼ିକ କେତେଦୂର ଚରିତାର୍ଥ ହୋଇଛି, ତାହା ଦେଖିବାର ବେଳ ଆସିଛି। ସେଥିମଧ୍ୟରୁ ସଙ୍କଳ୍ପିତ ଆର୍ଥିକ, ସାମାଜିକ ଓ ରାଜନୈତିକ ନ୍ୟାୟ ବିଷୟରେ ଆଲୋଚନା କରିବା ନିତାନ୍ତ ଆବଶ୍ୟକ। ସଦ୍ୟ ପ୍ରକାଶିତ ‘ଅକ୍ସଫାମ’ର ଆର୍ଥିକ ଅସମାନତା ରିପୋର୍ଟକୁ ବିଚାରକୁ ନେଲେ ଜଣାପଡ଼େ ଯେ ଦେଶର ମୁଷ୍ଟିମେୟ ଅତ୍ୟନ୍ତ ଧନଶାଳୀଙ୍କ ପାଖରେ ଦେଶର ତିନି-ଚତୁର୍ଥାଂଶ ସମ୍ପତ୍ତି କେନ୍ଦ୍ରୀଭୂତ ହୋଇଛି। ଗତ ସାତ ଦଶନ୍ଧିରେ ଏହି ଗରିବ ଏବଂ ଧନୀଙ୍କ ମଧ୍ୟରେ ତାରତମ୍ୟ ବଢ଼଼ି ବଢ଼଼ି ଚାଲିଛି ଏବଂ ଆଜି ଏହା ଏକପ୍ରକାର ଚରମ ଅବସ୍ଥାରେ ପହଞ୍ଚିଛି। ପରିତାପର ବିଷୟଏହି ଯେ, ଦେଶରେ ଏଭଳି ଚରମ ତାରତମ୍ୟ ସତ୍ତ୍ବେ ଆଜି ଆମ ଦେଶର ଅର୍ଦ୍ଧାଧିକ ନାଗରିକ ଦୁଇ-ତୃତୀୟାଂଶ ଜିଏସଟି ପ୍ରଦାନ କରୁଛନ୍ତି। ଏହା ଏକ ବିଡ଼ମ୍ୱନା। ଆର୍ଥିକ ନ୍ୟାୟ ବିନା ସାମାଜିକ କିମ୍ୱା ରାଜନୈତିକ ନ୍ୟାୟ ସବୁବେଳେ ଅଧୁରା। ତେଣୁ ଆମ ସମସ୍ତଙ୍କୁ ଦେଶରେ ଏହି ଆର୍ଥିକ ବୈଷମ୍ୟକୁ ଯେତେଦୂର ସମ୍ଭବ କମ କରି ଧନୀ-ଗରିବଙ୍କ ତାରତମ୍ୟକୁ ସମାପ୍ତ କରିବା ବିଧେୟ।

ଓଡ଼ିଶା କଥା ବିଚାରକୁ ନେଲେ, ଆଜି ଆମ ରାଜ୍ୟ ଏକ ‘ପଛୁଆ’ ଓ ‘ବିମାରୁ’ ରାଜ୍ୟର ପରିଚୟକୁ ପଛରେ ପକାଇ ଏକ ବିକାଶୋନ୍ଣ୍ମୁଖି ରାଜ୍ୟ ଭାବେ ଗଣାହେଉଛି। ବିଶେଷତଃ, ଗତ ଦୁଇଦଶନ୍ଧିରେ ଆମ ରାଜ୍ୟ ଆର୍ଥିକ, ସମାଜିକ, ରାଜନୈତିକ, ସବୁ ସ୍ତରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହାର ଗୋଟିଏ ପ୍ରମୁଖ କାରଣ ହେଉଛି ରାଜ୍ୟର ସମସ୍ତ ସାମ୍ୱିଧାନିକ ଅନୁଷ୍ଠାନର ସଫଳ କାର୍ଯ୍ୟକରିତା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଗଣତାନ୍ତ୍ରିକ ଅନୁଷ୍ଠାନର ସଶକ୍ତୀକରଣ କରିବା ପାଇଁ ଉଦ୍ୟମ ଯୋଗୁଁ ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି।

ସମ୍ୱିଧାନ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ପ୍ରଥମ ଧର୍ମଗ୍ରନ୍ଥ। ଦେଶ ତଥା ସମାଜରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କେବଳ ସମ୍ୱିଧାନ ଦ୍ୱାରା ଟଣା ଲକ୍ଷ୍ମଣରେଖା ମଧ୍ୟରେ ହେବା ଉଚିତ। ଆମେ ଏକ ସଙ୍ଘୀୟ ବ୍ୟବସ୍ଥା ଭିତରେ କାର୍ଯ୍ୟକରୁଛୁ। ତେଣୁ ଏହି ସଙ୍ଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ, କେନ୍ଦ୍ର ଓ ରାଜ୍ୟ ନିଜ ନିଜ ଭୂମିକା ସୂଚାରୁ ରୂପେ ସମ୍ପାଦନ କଲେ, ନାଗରିକଙ୍କ ସହିତ ଦେଶର ମଧ୍ୟ ମଙ୍ଗଳ ହେବ। କୁହାଯାଉଛି ଯେ ଏକବିଂଶ ଶତାବ୍ଦୀ ହେଉଛି ‘ଏସିଆ ମହାଦେଶ’ର। ତେଣୁ ଭାରତକୁ ଏକ ଶକ୍ତିଶାଳୀ ଓ ସମ୍ପନ୍ନ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ହେଲେ ଗାନ୍ଧୀବାଦକୁ ଆପଣାଇବା ସହ ଘୃଣା, ବିଦ୍ୱେଷଭରା ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ଜଳାଞ୍ଜଳି ଦେବାକୁ ହେବ। ସମାଜରେ ବିଭେଦ ରହିଲେ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ। ସମ୍ୱିଧାନର ଚାରିକାନ୍ଥ ମଧ୍ୟରେ ତିନି ପ୍ରମୁଖ ସ୍ତମ୍ଭ ଯେପରିକି ବ୍ୟବସ୍ଥାପିକା (ଲେଜିସଲେଚର), କାର୍ଯ୍ୟପାଳିକା (ଏକ୍‌‌ଜିକ୍ୟୁଟିଭ) ଓ ନ୍ୟାୟପାଳିକା (ଜୁଡିସିଆରି) ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ। ଆଜିର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ (ମତାମତ ବ୍ୟକ୍ତିଗତ)

Leave A Reply

Your email address will not be published.