ସ୍ବାଧୀନତା ସଂଗ୍ରାମର ସାର୍ଥକ ସାରଥି ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଆଜି ବି ରହସ୍ଯ ଘେରରେ ନେତାଜୀଙ୍କ ମୃତ୍ଯୁ….

ନୂଆଦିଲ୍ଲୀ:  ଆଜି ମହାନ ସ୍ୱାଧିନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ସୁଭାଷ ଚନ୍ଦ୍ର ବୋଷଙ୍କ ପୁରା ଜୀବନ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ। ଦେଶର ସ୍ବାଧିନତା ପାଇଁ ସଂଗ୍ରାମ କରୁଥିବା ସୁଭାଷ ଚନ୍ଦ୍ର ବୋଷ ଜଣେ ପ୍ରକୃତ ଜୀବନ ହିରୋ ଥିଲେ। ଯିଏକି ବ୍ରିଟିଶମାନଙ୍କର ଦାସତ୍ୱକୁ ଗ୍ରହଣ ନ କରି ଏକ ଆଜାଦ୍ ହିନ୍ଦ ଫୌଜ ଗଠନ କରିଥିଲେ। ତାଙ୍କର ପ୍ରେମ ଜୀବନ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଥିଲା । ସୁଭାଷ ଚନ୍ଦ୍ର ବୋଷ ନିଜ ସେକ୍ରେଟେରୀ ଏମିଲିଙ୍କୁ ପ୍ରେମ ବିବାହ କରିଥିଲେ। ସେ ଅଷ୍ଟ୍ରିଆର ବାସିନ୍ଦା ଥିଲେ।  ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ଯୁ ସମସ୍ତଙ୍କ ପାଇଁ ଆଜି ବି ରହସ୍ୟମୟ ଅଟେ। ତାଙ୍କ ମୃତ୍ୟୁର ଏତେ ବର୍ଷ ପରେ ମଧ୍ୟ ସେ ପ୍ରକୃତରେ କିପରି ମରିଛନ୍ତି ତାହା ଜଣା ପଡିନାହିଁ। ତାଙ୍କ ମୃତ୍ୟୁ ଉପରେ କରାଯାଇଥିବା ଅନୁସନ୍ଧାନ ମଧ୍ୟ କୌଣସି ସଠିକ୍ ସିଦ୍ଧାନ୍ତ ଦେଇପାରି ନାହିଁ।

 

ସୁଭାଷ ଚନ୍ଦ୍ର ବୋଷଙ୍କ କେବେ ଓ କିପରି ମୃତ୍ଯୁ ଘଟିଥିଲା:

ସରକାରୀ ଦଲିଲ ଅନୁଯାୟୀ, ୧୮  ଅଗଷ୍ଟ ୧୯୪୫ ମସିହାର  ବିମାନ ଦୁର୍ଘଟଣାରେ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ଯେଉଁ ବିମାନରେ ସୁଭାଷ ଚନ୍ଦ୍ର ବୋଷ ମଞ୍ଚୁରିଆ ଯାଉଥିଲେ ସେହି ରାସ୍ତାରେ ନିଖୋଜ ହୋଇଯାଇଥିଲେ। ତାଙ୍କ ବିମାନର ନିଖୋଜ ହେବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ଅନେକ ପ୍ରଶ୍ନ ଉଠିଥିଲା। ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଏକ ଦୁର୍ଘଟଣା କି ହତ୍ୟା ତାହା ଆଜି ଯାଏଁ ଜଣାପଡି ନାହିଁ।

netaji

ଜାପାନ ସରକାରଙ୍କ ବିବୃତ୍ତି:

ସେହିବର୍ଷ ୨୩  ଅଗଷ୍ଟରେ ଜାପାନର ଏକ ସଂଗଠନ ଏକ ସମ୍ବାଦ ରିପୋର୍ଟ ଜାରି କରି ଦର୍ଶାଇଥିଲା ଯେ ସୁଭାଷ ଚନ୍ଦ୍ର ବୋଷଙ୍କ ବିମାନ ତାଇୱାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଯଦି କୌଣସି ଦେଶରୁ ଅନୁଷ୍ଠାନିକ ଭାବେ ଏପରି ବିବୃତ୍ତି ଆସେ, ତେବେ ଏହି ଦୁର୍ଘଟଣା ସତ୍ୟ ବୋଲି ବିବେଚନା କରାଯାଇ ପାରିଥାନ୍ତା । ମାତ୍ର କିଛି ଦିନ ପରେ ଜାପାନ ସରକାର ନିଶ୍ଚିତ କରିଥିଲେ ଯେ ସେଦିନ ତାଇୱାନରେ କୌଣସି ବିମାନ ଦୁର୍ଘଟଣା ଘଟି ନାହିଁ। ଏହି ବିବୃତ୍ତି ସନ୍ଦେହକୁ ଆହୁରି ବଢାଇ ଦେଇଥିଲା ଯେ ଯେତେବେଳେ କୌଣସି ବିମାନ ଦୁର୍ଘଟଣା ହୋଇ ନ ଥିଲା, ସେତେବେଳେ ନେତାଜୀ କୁଆଡେ ଗଲେ ?

netaji-2

ବୋଷ ପରିବାର ଉପରେ ଗୁପ୍ତଚର କାହିଁକି?

ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଆଜି ମଧ୍ୟ ଏକ ରହସ୍ୟ ହୋଇ ରହିଛି । ଅଭିଯଗୋ ହୁଏ ଯେ,  ଜବାହରଲାଲ ନେହେରୁ ବୋଷଙ୍କ ପରିବାର ଉପରେ ଗୁପ୍ତଚର  ନିୟୋଜିତ କରିଥିଲେ। ଏପ୍ରିଲ୍ ୨୦୧୫ରେ, ଏହି ପ୍ରସଙ୍ଗରେ ଦୁଇଟି ଫାଇଲ୍ ଆଇବି ସାର୍ବଜନୀନ କରିଥିଲା। ଯାହା ପରେ ବିବାଦ ଆହୁରି ବଢିଥିଲା । ଏହି ଫାଇଲଗୁଡିକ ଅନୁଯାୟୀ,  ସ୍ବାଧୀନ ଭାରତରେ ପ୍ରାୟ ଦୁଇ ଦଶନ୍ଧି ଧରି ଆଇବି ନେତାଜୀଙ୍କ ପରିବାର ଉପରେ ନଜର ରଖିଥିଲେ। ଅନେକ ଲେଖକ ବିଶ୍ୱାସ କରନ୍ତି ଯେ ନେହେରୁ ମଧ୍ୟ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରୁଥିଲେ । ତେଣୁ ସେ ବୋଷ ପରିବାରର ସମସ୍ତ ଚିଠିଗୁଡ଼ିକୁ ଯାଞ୍ଚ କରୁଥିଲେ । ଯାହାଦ୍ୱାରା ଯଦି ନେତାଜୀ ପରିବାର ସହିତ ଯୋଗାଯୋଗ କରନ୍ତି, ତେବେ ଏହା ଜଣା ପଡିପାରେ ।

 

ସୁଭାଷ ଚନ୍ଦ୍ରଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା?

ପରେ ସୁଭାଷ ଚନ୍ଦ୍ରଙ୍କ ମୃତ୍ୟୁ ସହ ଜଡିତ ୩୭ ଟି ଫାଇଲ ସରକାରଙ୍କ ଦ୍ବାରା ସାର୍ବଜନୀନ କରାଯାଇଥିଲା । କିନ୍ତୁ ଏହି ଫାଇଲଗୁଡିକରୁ ନେତାଜୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ଯୁକୁ ନେଇ କୌଣସି ଦୃଢ ପ୍ରମାଣ ମିଳିପାରି ନ ଥିଲା । ନେତାଜୀଙ୍କ ସମର୍ଥକମାନେ ବିଶ୍ୱାସ କରନ୍ତି ଯେ ଦେଶର ସ୍ୱାଧୀନତା ସମୟରେ ସେ ଜୀବିତ ଥିଲେ । ହେଲେ ଏହାର କୌଣସି ପ୍ରମାଣ ନାହିଁ। ୧୯୪୫ ମସିହାରେ ବିମାନ ଦୁର୍ଘଟଣାରେ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ଘଟିଛି କି ନାହିଁ ଆଜି ମଧ୍ୟ ପ୍ରଶ୍ନ ଘେରରେ ରହିଛି। ଯଦି ହଁ, ଏହା ଏକ ଦୁର୍ଘଟଣା କି ହତ୍ୟା ? ଯଦି ନୁହେଁ, ନେତାଜୀ କୁଆଡେ ଗଲେ ଏବଂ ସେ କାହିଁକି ଦୁନିଆରୁ ଲୁଚି ରହିଲେ ସେ ନେଇ ଅନେକ ପ୍ରଶ୍ନ ଆଜି ମଧ୍ଯ ସଭିଙ୍କ ମନରେ।

Leave a comment