ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ

‘ତୁମେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ବାଧୀନତା ଦେବି’ ଏଭଳି ଆହ୍ବାନ ଆଜି ବି ଯୁବପିଢ଼ିଙ୍କ ମନରେ ଦେଶ ପ୍ରେମର ବହ୍ନି ଭରିଦିଏ। ଦେଶର ସ୍ବାଧୀନତା ପାଇଁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଯୋଗଦାନ ଅତୁଳନୀୟ। ତାଙ୍କ ଓଜସ୍ବିନୀ ଭାଷଣରେ ହଜାର ହଜାର ଭାରତୀୟ ଯୁବକ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ।

କେବଳ ଭାରତରେ ନୁହେଁ,ଜାପାନ, ଜର୍ମାନୀ, ବ୍ରିଟେନ୍‌ ଭଳି ଅନେକ ପ୍ରଭାବଶାଳୀ ଦେଶରେ ଛାଇ ଯାଇଥିଲେ ସେହି ମହାନ୍ ବ୍ୟକ୍ତିତ୍ବ। ଗୋଟିଏ ସମୟରେ ସମଗ୍ର ବିଶ୍ବର ଶ୍ରଦ୍ଧା ଆଉ ସମ୍ମାନ ସାଉଁଟିଥିଲେ ନେତାଜୀ । ସେ କଟକ ମାଟିର ପୁଅ। ଜୀବନର ପ୍ରଥମ ତଥା ଗୁରୁତ୍ବପୂର୍ଣ୍ଣ ୧୬ ବର୍ଷ ବିତାଇଥିଲେ କଟକର ମାଟି, ପାଣି, ପବନରେ। ହଜାରେ ବର୍ଷର ସହର କଟକ ମାଟିରେ,୧୮୯୭ ମସିହା ଆଜିର ଦିନରେ ପିତା ଜାନକୀନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ସୁଭାଷ। ୧୪ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ। ୧୯୦୨ରେ ୟୁରୋପିଆନ୍ ପ୍ରୋଟେଷ୍ଟାଣ୍ଟ୍ ସ୍କୁଲରେ ପାଠ ଆରମ୍ଭ କରିଥିବା ନେତାଜୀଙ୍କ ପ୍ରକୃତ ପରିବର୍ତ୍ତନ ହୋଇଥିଲା ରେଭେନ୍‌ସା କଲିଜିଏଟ୍‌ରେ ।

ମାଧ୍ୟମିକ ଶିକ୍ଷା ସମାପ୍ତ ପରେ ସେ କଲିକତାର ପ୍ରେସିଡେନ୍ସି କଲେଜରେ ପାଠ ପଢ଼ିଥିଲେ। ୧୯୧୯ ମସିହାରେ ପିତାଙ୍କ ବାଧ୍ୟବାଧ୍ୟକତାରେ ବିଲାତ ଯାଇ ୧୯୨୦ ମସିହାରେ ଆଇସିଏସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୨୧ରେ ଆଇସିଏସ୍‌ ତାଲିମ୍‌ ନେଉଥିବାବେଳେ ଜାଲିଆନୱାଲାବାଗ ନରସଂହାର ଘଟିଥିଲା। ତେଣୁ ସେ ଅଧାରୁ ତାଲିମ୍ ଛାଡ଼ି ଭାରତ ଫେରି ଆସିଥିଲେ। ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ହୋଇଥିଲେ।

୧୯୨୮ରେ କଂଗ୍ରେସ ପକ୍ଷରୁ ନିଯୁକ୍ତିପ୍ରାପ୍ତ ମୋତିଲାଲ୍‌ ନେହେରୁ କମିଟି ସ୍ବାୟତ୍ତଶାସନ ସପକ୍ଷରେ ମତ ଦେଇଥିଲେ। କିନ୍ତୁ ଜବାହାରଲାଲ୍ ନେହେରୁ ଓ ସୁଭାଷ ବୋଷ ଉଭୟେ ପୂର୍ଣ୍ଣ ସ୍ବାଧୀନତା ଚାହିଁଥିଲେ। ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନବେଳେ ସୁଭାଷଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଥିଲା। ୧୯୩୮ ମସିହାରେ ହରିପୁରା ଜାତୀୟ କଂଗ୍ରେସର ଅଧିବେଶନରେ ଗାନ୍ଧୀଙ୍କ ମନୋନୀତ ପ୍ରାର୍ଥୀ ପଟ୍ଟାଭିସୀତାରାମୟାଙ୍କୁ ହରାଇ ନେତାଜୀ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୩୯ ମସିହାରେ ‘ଫରୱାର୍ଡ ବ୍ଲକ୍’ ନାମକ ଏକ ରାଜନୈତିକ ଦଳ ଗଠନ କରି ଇଂରେଜ ସରକାରଙ୍କ ବିରୋଧରେ ସେ ବିଦ୍ରୋହ ଜାରି ରଖିଥିଲେ। ସଶସ୍ତ୍ର ଆନ୍ଦୋଳନ ଦ୍ବାରା ହିଁ ଭାରତକୁ ବ୍ରିଟିଶ୍‌ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ସେ ବିଶ୍ବାସ କରୁଥିଲେ।

ଭାରତର ସ୍ବାଧୀନତା ପାଇଁ ୧୯୪୧ ଜାନୁୟାରୀ ୧୭ ତାରିଖରେ ନେତାଜୀ ଭାରତର ସୀମାନ୍ତ ଅତିକ୍ରମ କରି ଆଫଗାନିସ୍ତାନ ଓ ସୋଭିଏତ ରୁଷ ମଧ୍ୟ ଦେଇ ମାର୍ଚ୍ଚ ମାସରେ ବର୍ଲିନଠାରେ ପହଞ୍ଚିଥିଲେ। ବର୍ଲିନ୍‌ରୁ ଆଜାଦ ହିନ୍ଦ୍ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ବାନ ଦେଇଥିଲେ। ସିଙ୍ଗାପୁରରେ ଆଜାଦ ହିନ୍ଦ୍ ଫୌଜର ଦାୟିତ୍ବଗ୍ରହଣ କଲେ। ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ ଦିନ ସେଠାରେ ସେ ଏକ ଅସ୍ଥାୟୀ ସ୍ବାଧୀନ ସରକାର ଗଠନ କଲେ। ସେହିଦିନଠାରୁ ସେ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦେଇଥିଲେ। ଏହି ଅଭିଯାନ ୧୯୪୪ ମାର୍ଚ୍ଚ ୧୮ ତାରିଖରେ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଅଗ୍ରସର ହେଲା। ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ୍ ଫୌଜ ଉପରକୁ ବ୍ରିଟିଶ୍‌ ବାହିନୀ ଉଭୟ ସ୍ଥଳ ଓ ଆକାଶପଥରୁ ଆକ୍ରମଣ କରି ଇମ୍ଫାଲଠାରେ ତାଙ୍କୁ ପରାସ୍ତ କଲା। ୧୮ ଅଗଷ୍ଟ ୧୯୪୫ରେ ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ଖବର ଆସିଥିଲା। ମାତ୍ର ଏ କଥାକୁ ଅନେକ ମାନିବାକୁ ନାରାଜ। ଆଜି ବି ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି।

Leave A Reply

Your email address will not be published.