ଲାଇଭ ଭିଡ଼ିଓରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: ଏକ ଲାଇଭ ଭିଡ଼ିଓରେ କେନ୍ଦ୍ରାପଡ଼ାର ଏକ ନିର୍ଦ୍ଦିଷ୍ଟ କଲେଜର +୩ର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ମିଳିଛି। ସୂଚନା ମୁତାବକ, ଛାତ୍ରୀ ଜଣକ ତାଙ୍କ ପ୍ରେମିକଙ୍କ ସହ ଭିଡ଼ିଓ କଲ ଜରିଆରେ କଥାବାର୍ତ୍ତା ହେଉଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ଏହି ମତାନ୍ତର ସମାଧାନ ହେବା ବଦଳରେ ବଢି ଯାଇଥିଲା।ଫଳରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏହି ସମୟରେ ଜଣେ ସମାଜସେବୀ ଏହି ଦୃଶ୍ୟ ଦେଖି ଛାତ୍ରୀଙ୍କୁ ଆତ୍ମହତ୍ୟାରୁ ରୋକିବା ସହ ବୁଝାସୁଝା କରିଥିଲେ। ଏନେଇ ଛାତ୍ରୀଙ୍କ କଲେଜ କର୍ତ୍ତୃପକ୍ଷ, ହଷ୍ଟେଲ ମେସ ଏବଂ ସଦର ଥାନା ପୁଲିସକୁ ଖବର ଦିଆଯାଇଥିଲା । ଫଳରେ ଜଣେ ଛାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ଛାତ୍ରୀ ଜଣଙ୍କ କଟକ ଜିଲ୍ଲା ଅସୁରେଶ୍ୱର ଅଞ୍ଚଳର ହୋଇଥିବାବେଳେ ତାଙ୍କ ପ୍ରେମିକଙ୍କ ଘର କୋରାପୁଟ ଜିଲ୍ଲା ଜଇପୁର ଅଞ୍ଚଳରେ ବୋଲି ଜାଣିବାକୁ ମିଳିଛି। ଛାତ୍ରୀ ଜଣକ କେନ୍ଦ୍ରାପଡ଼ାରେ ରହି ଏକ ନିର୍ଦ୍ଦିଷ୍ଟ କଲେଜରେ +୩ରେ ପାଠ ପଢିବା ସହ ସଦର ଥାନା ଅଞ୍ଚଳରେ ଏକ ମେସରେ ରହୁଛନ୍ତି ।

Leave a comment