ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜନସାଧାରଣଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ : ବଜାର ଯିବା ବେଳେ ଘରୁ ବ୍ୟାଗ ନେଇ ଯାଆନ୍ତୁ, ପଲିଥିନ୍‌ ବର୍ଜନ କରନ୍ତୁ

ଭୁବନେଶ୍ବର : ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନକୁ କଡ଼ାକଡ଼ିଭାବେ ସାରା ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଅଧ୍ୟକ୍ଷତା କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପରିବେଶ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ ନିୟମ ଏବଂ ତାହାର ଅନୁପାଳନ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ଏ ଦିଗରେ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷାକରି ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡି.ଏଫ୍.ଓ ଏବଂ ସଂପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ ୟୁନିଟ୍ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍ ବ୍ୟବହାର ବାରଣର ଅନୁପାଳନ ବିଷୟରେ ପ୍ରତି ମାସରେ ରିପୋର୍ଟ୍ ଦେବାପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ କୁହାଯାଇଥିଲା ।

ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍, କ୍ୟାରି ବ୍ୟାଗ୍, ପ୍ଲାଷ୍ଟିକ୍ ଗ୍ଲାସ୍ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଥିଲା । ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନଷ୍ପଦ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍ ଆସୋସିଏସନ୍, ରୋଟାରୀ ଓ ଲାୟନ୍ସକ୍ଲବ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ୍ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ସ୍ୱତନ୍ତ୍ର ସ୍କ୍ୱାର୍ଡ୍ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ନିଷିଦ୍ଧ ପ୍ଲାଷ୍ଟିକ୍ ଉତ୍ପାଦନ, ବିପଣୀ ଓ ବ୍ୟବହାରକାରୀ ଦୋକାନୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବିଷୟ ବୈଠକରେ ସବିଶେଷଭାବେ ଆଲୋଚନା ହୋଇଥିଲା । ଏଥିପାଇଁ ଗ୍ରାମ ପଂଚାୟତ ଏବଂ ସହରାଞ୍ଚଳ ମାନଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୁତ ଓ ସୁଗମ କରାଯିବ । ପ୍ଲାଷ୍ଟିକ୍ ବର୍ଜ୍ୟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାସ୍ତା ନିର୍ମାଣ ଓ ସିମେଣ୍ଟ କାରଖାନା ଆଦିରେ ଏହାର ବ୍ୟବହାର ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ, ପୁର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକର ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ବ୍ୟବହାର ନିମନ୍ତେ ନିଜ ନିଜ ପ୍ଲାଣ୍ଟର ଦକ୍ଷତା ବଢ଼ାଇବାକୁ ସଂପୃକ୍ତ କଂପାନୀମାନଙ୍କୁ କୁହାଯାଇଥିଲା ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ୧୧,୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ତିଆରି ହୋଇଛି । ୩୦୯୭ ଗ୍ରାମ ପଂଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟି୍କ୍ ବର୍ଜ୍ୟ ପରିଚାଳନା କରାଯାଉଛି । ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି । ୧୩,୮୩୪ ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି । ପ୍ରାୟ ୧୩,୪୫୫ ତିନି ଚକିଆ ଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

୨୦୨୧-୨୨ ବର୍ଷରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନରୁ ଉର୍ଦ୍ଧ୍ୱ ପ୍ଲାଷ୍ଟିକ୍ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି । ଏହା ବ୍ୟତୀତ ପ୍ରାୟ ୧୯୦୦ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତି ମଧ୍ୟରେ ୨୩୦୧ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିଥିବାର ଜଣାଇଛନ୍ତି । ସଂଗୃହିତ ପ୍ଲାଷ୍ଟିକ୍କୁ ପୁନଃ-ବ୍ୟବହାର ପୂର୍ବବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଘରୋଇ ନିବେଶ ସହଭାଗିତାରେ ସ୍ୱତନ୍ତ୍ର ୟୁନିଟ ପ୍ରତିଷ୍ଠା କରାଯାଇଛି । ଗ୍ରାମ ପଂଚାୟତ ଓ ସ୍ୱଚ୍ଛ ଭାରତ ଅଭିଯାନର ସହଯୋଗିତାରେ ଗ୍ରାମସ୍ତରୀୟ ବର୍ଜ୍ୟ ମହଜୁଦ ସେଡ୍ ମାନ ମଧ୍ୟ ନିର୍ମାଣ କରାଯାଇଛି ।

ପର୍ଯ୍ୟାୟକ୍ରମେ ସମସ୍ତ ପଂଚାୟତ ଓ ଗ୍ରାମକୁ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା କାର୍ଯ୍ୟକ୍ରମସହ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବର୍ଜ୍ୟ ପୃଥକୀକରଣ ଏବଂ ପୁନଃ ବ୍ୟବହାର କେନ୍ଦ୍ର ଏବଂ ପ୍ଲାଷ୍ଟିକ୍ ରୂପାନ୍ତରଣ ୟୁନିଟ୍ ଗୁଡ଼ିକର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଆଶୋକ କୁମାର ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ  ଜି. ମାଥିଭାଥାନନ୍, ପରିବେଶ ନିର୍ଦ୍ଦେଶକ  ସୁଶାନ୍ତ ନନ୍ଦ, ପ୍ରଦ୍ୟୁଷଣ ନିୟନ୍ତ୍ରଣ ପରିଷଦର ସଦସ୍ୟ ସଚିବ ଡାକ୍ତର କେ. ମୁରୁଗେଶାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.