ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ପୋଲାଣ୍ଡ ସମର୍ଥନର ପ୍ରଚ୍ଛଦ କାହାଣୀ….

ଭାରତ ଆମ ପିଲାଙ୍କୁ ସୁରକ୍ଷା ଦେଇଥିଲା, ଏବେ ଆମେ ଦେଉଛୁ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ବିଭୀଷିକା ମଧ୍ୟରେ ଫସିଯାଇଥିବା ଭାରତୀୟମାନଙ୍କୁ ୟୁକ୍ରେନର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ ଯଥେଷ୍ଟ ସହାୟତା କରିଛି। ସ୍ବଦେଶ ଫେରିବା ନିମନ୍ତେ ଭାରତୀୟ ଛାତ୍ରଛାତ୍ରୀ ଏବଂ ଅନ୍ୟ ନାଗରିକମାନେ ୟୁକ୍ରେନ ସୀମା ଦେଇ ପୋଲାଣ୍ଡ ପହଞ୍ଚିବା ପରେ ସେଠାରୁ ଭାରତ ଆସିଛନ୍ତି। ହେଲେ ଏହି ସମୟରେ ପୋଲାଣ୍ଡ ସରକାର ଭାରତୀୟମାନଙ୍କୁ ଅକୁଣ୍ଠ ସହାୟତା ଯୋଗାଇ ଦେଇଛନ୍ତି। ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପାନୀୟର ସୁବିଧା ସହିତ ସେମାନଙ୍କୁ ମାଗଣା ଭିସା ମଧ୍ୟ ଯୋଗାଇ ଦେଇଛନ୍ତି। ଭାରତ ଠାରୁ ହଜାର ହଜାର ଦୂରରେ ରହିଥିବା ଏହି ରାଷ୍ଟ୍ର ଭାରତୀୟମାନଙ୍କ ପାଇଁ କାହିଁକି ଏମିତି ସହୃଦୟତା ଦେଖାଇଲା ତାହା ଅନେକଙ୍କ ମନରେ ପ୍ରଶ୍ନ ଉଠାଇଥିବା। ତେବେ ପୋଲାଣ୍ଡର ଏକ ପ୍ରଚ୍ଛଦ କାହାଣୀ ଏହାର ଉତ୍ତର ରଖିବା ପାଇଁ ଯଥେଷ୍ଟ।

ଏକଦା ପୋଲାଣ୍ଡର ଦୁର୍ଦ୍ଦିନ ସମୟରେ ଏହାର ଶିଶୁ ଓ ମହିଳାଙ୍କୁ ଭାରତ ଯେଉଁଭଳି ଆଶ୍ରୟ ଦେଇଥିଲା ତାହାକୁ ପୋଲାଣ୍ଡ ଏଯାଏଁ ଭୁଲିପାରିନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୨ ମସିହା ସେପ୍ଟେମ୍ବର ୩ ତାରିଖରେ ଜର୍ମାନୀ ଶାସକ ହିଟଲର ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲେ। ଯେତେବେଳେ ଯୁଦ୍ଧ ଭୟଙ୍କର ସ୍ଥିତିରେ ପହଞ୍ଚିଥିଲା ସେତେବେଳେ ପୋଲାଣ୍ଡର ସୈନିକମାନେ ପ୍ରାୟ ୫୦୦ ପୋଲାଣ୍ଡ ମହିଳା ଏବଂ ୨୦୦ ପିଲାଙ୍କୁ ଏକ ଜାହାଜରେ ବସାଇ କ୍ୟାପଟେନଙ୍କୁ କହିଥିଲେ ଯେ ଏହି ସମସ୍ତ ଲୋକଙ୍କୁ ଏମିତି ଏକ ଦେଶରେ ଛାଡିଦେବ ଯେଉଁଠି ସେମାନଙ୍କୁ ଆଶ୍ରୟ ମିଳିପାରିବ। ଏହା ପରେ ଜାହାଜଟି ପୋଲାଣ୍ଡରୁ ବାହାରି ଇରାନର ଏକ ବନ୍ଦରରେ ପହଞ୍ଚିଥିଲା। ହେଲେ ଇରାନ କର୍ତ୍ତୃପକ୍ଷ ସେମାନଙ୍କୁ ଆଶ୍ରୟ ଦେବାକୁ ମନା କରିଦେଇଥିଲେ। ଏହା ପରେ ଏହି ଜାହାଜଟି ଭୁଲବଶତଃ ଗୁଜୁରାଟର ଜାମନଗରରେ ପହଞ୍ଚିଥିଲା। ସେ ସମୟରେ ରାଜା ଜାମ ସାହେବ ଦିଗବିଜୟ ସିଂ ସେଠାରେ ଶାସନ କରୁଥିଲେ। ରାଜା ଜାମ ସାହେବ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲାଣ୍ଡ ଲୋକଙ୍କୁ ଆଶ୍ରୟ ଦେଇଥିଲେ। କେବଳ ଏତିକି ନୁହେଁ , ପୋଲାଣ୍ଡ ପିଲାମାନଙ୍କ ଶିକ୍ଷା ପାଇଁ ମଧ୍ୟ ସେ ବ୍ୟବସ୍ଥା କରିଥିଲେ। ଏହି ଶରଣାର୍ଥୀମାନେ ପ୍ରାୟ ୯ ବର୍ଷ ଧରି ଜାମନଗରରେ ରହିଥିଲେ। ୧୯୮୯ ରେ ପୋଲାଣ୍ଡ ସୋଭିଏତ୍ ୟୁନିଅନ୍ ଠାରୁ ଅଲଗା ହେବା ପରେ ପୋଲାଣ୍ଡ ସରକାର ରାଜା ଜାମ ସାହେବ ଦିଗବିଜୟ ସିଂଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଥିଲେ। ଭାରତର ଏହି ସହାୟତାକୁ ଭୁଲି ନପାରି ଆଜି ପୋଲାଣ୍ଡ ସରକାର ଋଣ ପରିଶୋଧ କରିଥିବା କୁହାଯାଉଛି। ଏକଦା ଭାରତ ଆମ ପିଲାଙ୍କୁ ସହାୟତା କରିଥିବା ବେଳେ ଏବେ ଆମେ ଭାରତୀୟଙ୍କ ଋଣ ପରିଶୋଧ କରୁଛୁ ବୋଲି ପୋଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.