ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତେଲ ବୋମାରେ ଷ୍ଟକ୍‌ ବଜାର ଘାଇଲା, ୫.୬୩ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବଇ : ଧରାଶାୟୀ ହୋଇଛି ଘରୋଇ ପୁଞ୍ଜିବଜାର। ଦେଖିବାକୁ ମିଳିଛି ଆଉ ଏକ ବୃହତ୍‌ କଳା ସୋମବାର। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଏହା ହେଉଛି ସିଧାସଳଖ ପ୍ରଭାବ। ଏଥିଯୋଗୁ ମାନ୍ଦାବସ୍ଥାର କଳା ବାଦଲ ସୋମବାର ସମ୍ପୂର୍ଣ୍ଣ ଭାବେ ପୁଞ୍ଜି ବଜାରରେ ଘୋଟିଯାଇଛି। ଫଳସ୍ୱରୂପ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି)ରେ ବଡଧରଣର ହ୍ରାସ ଦେଖିବାକୁ ମିଳିଛି। ସେନ୍‍ସେକ୍ସରେ ୧୪୯୧ ପଏଣ୍ଟରୁ ଅଧିକ ହ୍ରାସ ଘଟିଥିବାବେଳେ ନିଫ୍ଟିରେ ୩୮୨ ଅଧିକ ପଏଣ୍ଟ ହ୍ରାସ ଘଟିଛି। ଏଥିଯୋଗୁ ନିବେଶକଙ୍କୁ ବହୁ ମାତ୍ରାରେ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ଭାରତୀୟ ବଜାର ନୁହେଁ ବିଶ୍ବ ପୁଞ୍ଜି ବଜାର ଏହାର ପ୍ରଭାବରୁ ବାଦ୍‌ ପଡିନାହିଁ। ଏଭଳି ସ୍ଥିତିରେ ସୋମବାର କାରବାରରେ ପ୍ରାୟ ସମସ୍ତ କ୍ଷେତ୍ରର ଷ୍ଟକ ଗୁଡିକ ଅଧିକ ହ୍ରାସ ଘଟିଥିବା ଜଣାଯାଇଛି।

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବଢ଼ିବା ସମ୍ପର୍କିତ ତଥ୍ୟକୁ ନେଇ ନିବେଶକଙ୍କ ମଧ୍ୟରେ ଆଶଙ୍କା ଖେଳିବା ପରେ ବିଶ୍ବ ସମେତ ଘରୋଇ ବଜାର କାରବାର ବିଶେଷ ଭାବେ ପ୍ରଭାବିତ ହୋଇଛି। ପୁଞ୍ଜିିବଜାରରେ ଏଭଳି ଅସ୍ଥିରତା ଜନିତ ସ୍ଥିତି ଲାଗି ରହିବା ଯୋଗୁ ଆଜି ନିବେଶକମାନେ ଆଶଙ୍କାରେ ରହିଥିଲେ। ଫଳସ୍ବରୂପ ସୋମବାର କାରବାର ପ୍ରାରମ୍ଭରୁ ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‍ଇ) ସେନ୍‍ସେକ୍ସରେ ପାଖାପାଖି ୨୦୦୦ ପଏଣ୍ଟ ହ୍ରାସ ଘଟିଥÒଲା। ଯୁଦ୍ଧ ଯୋଗୁ ବିଶ୍ବ ବଜାରରେ ଅଶୋଧିତ ତୈଳ ଯୋଗାଣ ସଙ୍କୁଚିତ ହେବାର ସମ୍ଭାବନା ଘଟଣା ନିବେଶକଙ୍କୁ ଆତଙ୍କିତ କରିଥିଲା। ତେଣୁ ସେମାନେ ବଜାର ଉପରେ ଆସ୍ଥା ପ୍ରକଟ କରି ନ ଥିଲେ।

ଏହାଛଡା ରୁଷିଆରୁ ତୈଳ ଆମଦାନୀ ଉପରେ ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ରଗୁଡିକ କଟକଣା ଲାଗୁ କରିବାକୁ ବିଚାର କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ବଜାର କାରବାର ଉପରେ ତୁରନ୍ତ ଏହାର ପ୍ରଭାବ ପରିଲକ୍ଷିତ ହୋଇଥିଲା। କାରବାର ଶେଷ ବେଳକୁ ସେନ୍‌ସେକ୍ସରେ କିଛି ମାତ୍ରା ରେ ସୁଧାର ଦେଖାଦେଇ ଏଥିରେ ୧୪୯୧ ପଏଣ୍ଟ ବା ୨.୭୪ ପ୍ରତିଶତ ହ୍ରାସ ଘଟି ୫୨,୮୪୩.୦୦ ପଏଣ୍ଟରେ କାରବାର ଶେଷ ହୋଇଛି। ତେବେ ଦିନର କାରବାର ମଧ୍ୟରେ ଏହା ସର୍ବନିମ୍ନ ୫୨,୩୬୭.୦୦ ପଏଣ୍ଟକୁ ଖସିଆସିଥିଲା। ଫଳରେ ସେନ୍‍୍‍ସେକ୍ସ ବିଗତ ୩ ମାସର ସର୍ବନିମ୍ନ ସ୍ତରକୁ ହ୍ରାସ ଘଟିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୮୨ ପଏଣ୍ଟ ବା ୨.୩୫ ପ୍ରତିଶତ ହ୍ରାସ ଘଟି ୧୫,୮୬୩ ପଏଣ୍ଟରେ କାରବାର ଶେଷ ହୋଇଛି। ତେବେ ଦିନର କାରବାର ମଧ୍ୟରେ ଏହା ସର୍ବନିମ୍ନ ୧୫,୭୧୧ ପଏଣ୍ଟ ତଳକୁ ଖସିଆସିଛି।

ଆଜିର କାରବାରରେ ଇଣ୍ଡସ୍‌ଇଣ୍ଡ୍‌, ବଜାଜ ଫିନ୍ ସର୍ଭ, ମାରୁତି ସୁଜୁକି, ହିଣ୍ଡାଲ୍‌କୋ, ଏକ୍ସିସ୍‌ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ଲାଇଫ୍‌ ହିରୋମୋଟୋ, ଟାଟା ମୋଟର୍ସ, ବ୍ରିଟାନିଆ, ଅଲ୍ଟ୍ରାଟେକ୍‌ ସିମେଣ୍ଟ ଏବଂ ଟେକ୍ ମହିନ୍ଦ୍ରା ଆଦି କମ୍ପାନୀର ଷ୍ଟକ୍ ମୂଲ୍ୟରେ ଅଧିକ ହ୍ରାସ ଘଟିଛି। ଏମିତିକି ବଜାରରେ ଦେଖିବାକୁ ମିଳିଥିବା ଏହି ହ୍ରାସ ଯୋଗୁ ନିବେଶକଙ୍କୁ ଦିନକରେ ୫.୬୩ ଲକ୍ଷ କୋଟି ଟଙ୍କାର ପୁଞ୍ଜି ହରାଇବାକୁ ପଡିଛି। ସୋମବାର କାରବାରରେ ବ୍ୟାଙ୍କିଙ୍ଗ୍‌ଠାରୁ ଆରମ୍ଭ କରି ଅଟୋ, ଏଫ୍‌ଏମ୍‌ସିଜି, ଆର୍ଥିକ ଏବଂ ସିମେଣ୍ଟ ଆଦି କ୍ଷେତ୍ରର ସେୟାର ମୂଲ୍ୟରେ ଅଧିକ ହ୍ରାସ ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.