ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ଦୂତବାସର ଆଡଭାଇଜରୀ ଜାରି : ଘରେ ଭିତରେ ରୁହନ୍ତୁ, ବାହାରକୁ ବାହାରନ୍ତୁ ନାହିଁ

ନୂଆଦିଲ୍ଲୀ : ସମଗ୍ର ୟୁକ୍ରେନ୍‌ରେ ରୁଷ୍‌ ସେନା ବୋମା ଏବଂ କ୍ଷେପଣାସ୍ତ୍ର ବର୍ଷଣ ଜାରି ରଖିଛି। ୟୁକ୍ରେନ ଓ ରୁଷ ବିରୋଧରେ ଘମାଘୋଟ ଲଢ଼େଇ ମଧ୍ୟରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲେ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ । ବର୍ତ୍ତମାନ ୟୁକ୍ରେନ୍‌ର ପରିସ୍ଥିତି ଜଟିଳ ରହିଛି । ଭାରତୀୟ ନାଗରିକ ଯେଉଁଠି ବି ଅଛନ୍ତି, ସୁରକ୍ଷିତ ରୁହନ୍ତୁ । ଘର, ହଷ୍ଟେଲ ବା ଟ୍ରାନଜିଟ୍‌ରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷିତ ରହିବା ପାଇଁ କୁହାଯାଇଛି ।

ୟୁକ୍ରେନ ବିମାନ ସୀମାକୁ ବନ୍ଦ କରି ଦେଇଥିବାରୁ ସେଠାରେ ଥିବା ଭାରତୀୟମାନେ ସ୍ୱଦେଶ ଫେରିବା ସମ୍ଭବ ନୁହେଁ। ଏହାରି ମଧ୍ୟରେ ସେଠାରେ ଥିବା ସମସ୍ତ ଭାରତୀୟ ଚିନ୍ତାରେ ରହିଛି। ଏସବୁ ଭିତରେ କିଭ୍‌ରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକ ଓ ଶିକ୍ଷାର୍ଥୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଦୂତାବାସ ପକ୍ଷରୁ ସମସ୍ତଙ୍କୁ ଘର ଭିତରେ ରହିବାକୁ ପରମର୍ଶ ଦିଆଯାଇଛି। ସେହିପରି କେହି ବି ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ମଧ୍ୟ ଦୂତାବାସ ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ୟୁକ୍ରେନର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି। କେତେବେଳେ କ’ଣ ଘଟିବ, ସେକଥା କୁହାଯାଇ ନପାରେ। ଏଣୁ ଯିଏ ଯେଉଁଠି ବି ଅଛନ୍ତି, ସେଇଠାରେ ସୁରକ୍ଷିତ ରୁହନ୍ତୁ। ନିଜ ଘର, ହୋଟେଲ କିମ୍ବା ଯେକୌଣସି ସ୍ଥାନରେ ସମସ୍ତେ ରୁହନ୍ତୁ। ବର୍ତ୍ତମାନ କେହି କିଭ୍‌ ଆସନ୍ତୁ ନାହିଁ। ବିଶେଷ କରି ପଶ୍ଚିମ କିଭ୍‌ରୁ ଆସୁଥିବା ଲୋକମାନେ ସେମାନଙ୍କ ପୂର୍ବ ସହରକୁ ଫେରି ଯାଆନ୍ତୁ। ପଶ୍ଚିମ ଦେଶ ସୀମାନ୍ତରେ ଥିବା ସୁରକ୍ଷିତ ସ୍ଥାନକୁ ସେମାନେ ଫେରିଯିବା ଦରକାର ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଦୂତାବାସ ପରବର୍ତ୍ତୀ ଅବସ୍ଥାରେ ଲୋକଙ୍କୁ ଅପଡେଟ ଦେବ ବୋଲି ମଧ୍ୟ କହିଛି।

ଯୁଦ୍ଧବିକ୍ଷତ ୟୁକ୍ରେନ୍‌ରେ ଫସି ରହିଥିବା ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଭାରତ ବିକଳ୍ପ ମାର୍ଗ ପାଇଁ ଉଦ୍ୟମ କରୁଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ଆଜି ପ୍ରତ୍ୟୁଷରେ ରୁଷ୍ ଆକ୍ରମଣ କରିବାକ୍ଷଣି ୟୁକ୍ରେନ୍‌ ତା’ର ଆକାଶ ମାର୍ଗ ବନ୍ଦ କରିଦେବାରୁ ଭାରତୀୟମାନଙ୍କୁ ଆଣିବାକୁ ଯାଇଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଫେରିଆସିଛି।ମନ୍ତ୍ରାଳୟସୂତ୍ରରୁ ପ୍ରକାଶ ୟୁକ୍ରେନ୍‌ରେ ଭାରତୀୟମାନଙ୍କର, ବିଶେଷକରି ଶିକ୍ଷାର୍ଥୀମାନଙ୍କର ସୁରକ୍ଷା ଉପରେ ଧ୍ୟାନ ନିବେଶ କରାଯାଉଛି। ଏଥିପାଇଁ ବିକଳ୍ପ ଉପାୟ କରିବା ଲାଗି ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଚାଲିଛି। ନିର୍ଦ୍ଧାରିତ ଆକାଶମାର୍ଗ ବନ୍ଦ ହେବା ପରେ ବିକଳ୍ପ ମାର୍ଗ ସକ୍ରିୟ କରିବା ଲାଗି ଉଦ୍ୟମ ଚାଲିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର କଣ୍ଟ୍ରୋଲ୍‌ ରୁମ୍‌କୁ ମଧ୍ୟ ସମ୍ପ୍ରସାରିତ କରାଯାଇଛି ଏବଂ ପରିସ୍ଥିତିର ମୁକାବିଲା ପାଇଁ ତାହାକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି। ୟୁକ୍ରେନରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର (+୩୮୦ ୯୯୭୩୦୦୪୨୮) (+୩୮୦ ୯୯୭୩୦୦୪୮୩) କଣ୍ଟ୍ରୋଲ ରୃୁମ ନମ୍ବର- ୧୮୦୦୧୧୮୭୯୭।

Leave A Reply

Your email address will not be published.