ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଲ ଗାଡି ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ରାଜ୍ୟ ପରିବହନ ପ୍ରାଧିକରଣ : ଗାଡିରେ ରହିବେ ହେଲପର୍‌, ଲାଗିବ ସିସିଟିଭି ଓ ଜିପିଏସ

କଟକ : ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ସ୍କୁଲ ଗାଡି ପାଇଁ ସାନି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ଗାଡିରେ ସିସିଟିଭି ଲାଗିବ। ସେହିପରି ଏସବୁ ଗାଡି ଜିପିଏସ ଟ୍ରାକିଂ ବ୍ୟବସ୍ଥାଯୁକ୍ତ ହେବ। ଅଗ୍ନିନିର୍ବାପକ ଯନ୍ତ୍ର, ପ୍ରାଥମିକ ଚିକିତ୍ସା ବାକ୍ସ ଆଦି ରହିବା ଆବଶ୍ୟକ। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ଭ୍ୟାନ ବା ବସଗୁଡିକର ଆଗ ଓ ପଛରେ ସ୍କୁଲ ବସ କିମ୍ବା ଅନ ସ୍କୁଲ ଡ୍ୟୁଟି ବୋଲି ଲେଖାଯିବା ବାଧ୍ୟତାମୂଳକ। ସେହିପରି ଅଟୋରିକ୍ସା ହେଉ ଅବା ଅନ୍ୟ ଯେକୌଣସି ଯାନ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବେ ସେଗୁଡିକ ସୁରକ୍ଷା ନିୟମକୁ ପାଳନ କରିବାକୁ କୁହାଯାଇଛି।

ବିଶେଷକରି କୌଣସି ପରିସ୍ଥିତିରେ ଧାର୍ଯ୍ୟ ସିଟ୍‍ କ୍ଷମତା ଠାରୁ ଅଧିକ ପିଲାଙ୍କୁ ଏହି ସମସ୍ତ ଗାଡି ପରିବହନ କରିପାରିବେ ନାହିଁ। ବସ୍‍ ଗୁଡିକର ଝରକା ପାଖରେ ଗ୍ରୀଲ ବା ତାର ଜାଲି ରହିବ। ସେହିପରି ପିଲାମାନେ ଧରିବା ପାଇଁ ହ୍ୟାଙ୍ଗର ରଖାଯିବ। ସବୁ ଗାଡି ସ୍ପିଡ ଗଭର୍ଣ୍ଣର ଲଗାଇବାକୁ ମଧ୍ୟ ନିର୍ଦ୍ଦେଶାବଳୀରେ କୁହାଯାଇଛି। ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ଗାଡି ଚାଳକର ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ସହ ଅତିକମରେ ୫ବର୍ଷର ଭାରିଯାନ ଚାଳନା ଅଭିଜ୍ଞତା ରହିଥିବ। ସେହିପରି ପ୍ରତି ସ୍କୁଲ ବସରେ ପିଲା ପରିବହନ ସମୟରେ ଜଣେ ହେଲପର ରହିବା ବାଧ୍ୟତାମୂଳକ। ଆଉ ସେହି ହେଲପରଙ୍କ କଣ୍ଡକ୍ଟର ଲାଇସେନ୍ସ ରହିଥିବ। ଡ୍ରାଇଭର ଓ ହେଲପର ନିର୍ଦ୍ଦିଷ୍ଟ ୟୁନିଫର୍ମ ପରିଧାନ କରିବାକୁ ମଧ୍ୟ ପରିବହନ ବିଭାଗ ଗୁରୁତ୍ୱ ଦେଇଛି। ଅନ୍ୟପକ୍ଷରେ ପ୍ରତି ଗାଡିର ଫିଟନେସ, ପଲ୍ୟୁସନ ସାର୍ଟିଫିକେଟ,ବୀମା ଓ ପରମିଟ ଆଦି ବୈଧ ଥିବା ନିତାନ୍ତ ଆବଶ୍ୟକ। ଏସବୁ ଉଲ୍ଲଘଂନ କଲେ ମୋଟରଯାନ ଆଇନ ଅନୁସାରେ ଦଣ୍ଡବିଧାନ କରାଯିବ। ସମସ୍ତ ଆରଟିଓଙ୍କୁ ମଧ୍ୟ ଉପରୋକ୍ତ ନିର୍ଦ୍ଦେଶାବଳୀ ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ପ୍ରେରଣ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.