ରାଜ୍ୟସ୍ତରୀୟ ପୁଲିସ ମେଡାଲ ପ୍ରଦାନ ଉତ୍ସବ: ବିଶିଷ୍ଟ ସେବା ପାଇଁ ୩୪ ଜଣଙ୍କୁ ମେଡାଲ ପ୍ରଦାନ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୁଲିସ ମେଡାଲ ପ୍ରଦାନ ଉତ୍ସବ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ପୁଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୁଲିସ ମେଡାଲ ପାଇଛନ୍ତି। ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ର। ସେହିଭଳି ସାହାସିକତା ପାଇଁ ଦୁଇ ଜଣ ଏସଓଜି କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି।

ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଡିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡିଏସପି ବନିତା ମାଝୀ, କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାଡ ଏଏସଆଇ ମହମ୍ମଦ ଜାହାଙ୍ଗୀର, ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୁଳର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜିର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍ଏଲର କନଷ୍ଟେବଲ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡା।

ସେହିଭଳି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ମିଳିଛି ରାଜ୍ୟପାଳ ମେଡାଲ। କ୍ୟାଟାଗୋରୀ ୨ରେ ପାଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । ସେହିଭଳି କଟକ ଜୋନ ଏସିପିଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।

Leave a comment