ଡିସେମ୍ବର ୨୫ରୁ ଜାନୁଆରୀ ୨ ଯାଏଁ ଲାଗୁହେବନି ଗାଇଡଲାଇନ୍‌, କୋଭିଡ କଟକଣାରେ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ବର :  ଓମିକ୍ରନ ଭୟ ଭିତରେ ଆଜି ଓଡ଼ିଶା ସରକାର ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି । ସାରା ରାଜ୍ୟରେ କେଉଁଠି ନୂଆବର୍ଷ ପାଳନ କରାଯାଇ ପାରିବ ନାହିଁ। ଡିସେମ୍ବର ୨୫ ବଡଦିନରୁ ଜାନୁୟାରୀ ୨ ତାରିଖ ଯାଏଁ ଲାଗୁ କରାଯାଇଥିବା ଗାଇଡଲାଇନରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍‌ କମିଶନର (SRC)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସଂଶୋଧିତ ଗାଇଡଲାଇନ୍‌ ଜାରି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ କେବଳ ଡ଼ିସେମ୍ବର ୨୫ ବଡଦିନ, ପରେ ପୁଣି ଡିସେମ୍ବର ୩୧ ତାରିଖରୁ ଜାନୁୟାରୀ ୨ ତାରିଖ ଯାଏଁ ପୁଣି କଟକଣା ବଳବତ୍ତର ରହିବ। ଏହି ସମୟରେ ଅଧିକ ଗହଳିକୁ ନଜରରେ ରଖି ବିଭିନ୍ନ କଟକଣା ଜାରି କରାଯାଇଛି । ନିରାଡମ୍ବର ଭାବେ କେବଳ ଚର୍ଚ୍ଚରେ ବଡ଼ ଦିନ ପାଳନକୁ ଅନୁମତି ମିଳିଛି ।

ଚର୍ଚ୍ଚରେ ୫୦ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ । କୌଣସି ସ୍ଥାନରେ ଗହଳି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ନୂଆବର୍ଷ ପାଳନ ପାଇଁ ମଧ୍ୟ କଟକଣା ଲାଗିଛି । ଜିରୋ ନାଇଟ୍ ସେଲିବ୍ରେସନକୁ ମଧ୍ୟ ମନା କରାଯାଇଛି । ହୋଟେଲ୍, କ୍ଲବ୍, ରେଷ୍ଟୁରାଣ୍ଟ, ପାର୍କ, କଲ୍ୟାଣମଣ୍ଡପରେ ନୂଆ ବର୍ଷ ପାଳନ ହେବ ନାହିଁ । ବିବାହ ବ୍ୟତୀତ ମଣ୍ଡପ ଗୁଡିକରେ ଅନ୍ୟ କୌଣସି ଉତ୍ସବ ପାଳନ ଉପରେ କଟକଣା ଲାଗିଛି । କୌଣସି ସ୍ଥାନରେ ଗହଳି ହୋଇ ଜନସାଧାରଣ ଭୋଜି ମଧ୍ୟ କରିପାରିବେ ନାହିଁ । ବଣ ଭୋଜିକୁ ସମ୍ପୁର୍ଣ୍ଣ ବାରଣ କରିଛି ପ୍ରଶାସନ । ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନାହିଁ । ତେବେ କରୋନା କଟକଣାରେ ଶୁଦ୍ଧିକ୍ରିୟା କାର୍ଯ୍ୟ କରିବାକୁ ଅନୁମତି ରହିଛି । କୌଣସି ସ୍ଥାନରେ ନିୟମର ଉଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a comment