ଆଦର୍ଶ ଗୁରୁକୁଳ ପ୍ରକଳ୍ପର ବାଇ-ଲକୁ ମିଳିଲା ଅନୁମୋଦନ, ସେବାୟତଙ୍କ ବାସଗୃହ ଯୋଜନା ପାଇଁ ଦୁଇଟି ଜମି ଚିହ୍ନଟ

ପୁରୀ : ସେବାୟତ ପରିବାରର ପିଲାମାନେ ମହାପ୍ରଭୁଙ୍କ ସେବାପୂଜା ସାଙ୍ଗକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଯେପରି ନିଜକୁ ପ୍ରତିଷ୍ଠିତ କରିପାରିବେ ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି। ସେମାନଙ୍କ ଲାଗି ଆବଶ୍ୟକ ଶିକ୍ଷା ଭିତ୍ତିଭୂମି ଯୋଗାଇଦେବା ଲକ୍ଷ୍ୟରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳର ପରିକଳ୍ପନା କରାଯାଇଛି। ସେବାୟତ ପିଲାମାନେ ଗୁରୁକୁଳରେ ରହି ଆନୁଷ୍ଠାନିକ ଶିକ୍ଷା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ପୂଜାବିଧି ଓ ସନାତନ ଧର୍ମ ଉପରେ ଅଧିକ ଜ୍ଞାନ ହାସଲ କରିପାରିବେ। ସେମାନେ ଯେପରି ନିଜକୁ ଜଣେ ଆଦର୍ଶ ଓ ନୀତିବାନ ମଣିଷ ଭାବେ ଗଢ଼ିପାରିବେ, ତାହା ଗୁରୁକୁଳ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ରହିଛି।

ଶନିବାର ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଗୁରୁକୁଳ ସଂକ୍ରାନ୍ତରେ ଏକାଧିକ ନିଷ୍ପତ୍ତି ନିଆଯାଇଛି। ଆଦର୍ଶ ଗୁରୁକୁଳ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ବାଇ ଲ’କୁ ବୈଠକରେ ଅନୁମୋଦନ ମିଳିଛି। ଏହି ବାଇ ଲ’କୁ ଆଧାର କରି ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ କରାଯିବ। ସୋସାଇଟିର ମୁଖ୍ୟ ରହିବେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ କାର୍ଯ୍ୟକାରୀ ସଭାପତି, ମୁଖ୍ୟ ପ୍ରଶାସନ ଉପସଭାପତି, ଜିଲ୍ଲାପାଳ ସଦସ୍ୟ, ଉନ୍ନୟନ ପ୍ରଶାସକ, ୨ ଜଣ ସେବକ, ଜଣେ ଆଡଭୋକେଟ ସଦସ୍ୟ ରହିବେ। ଏହି ସୋସାଇଟି ପଞ୍ଜୀକରଣ କରାଯିବ। ଗୁରୁକୁଳ ପରିଚାଳନା ଲାଗି ସୋସାଇଟି ଏବଂ ବିର୍ଲା ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର (ଏମ୍‍ଓୟୁ) ସ୍ୱାକ୍ଷରିତ ହେବ। ତେବେ ଏମ୍‍ଓୟୁ ସର୍ତ୍ତାବଳୀ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପୂର୍ବାହ୍ନରେ ଗୁରୁକୁଳ ସବ୍‍ କମିଟି ବୈଠକ ବସି ପ୍ରସ୍ତୁତ ବାଇ ଲ’ ଚୂଡ଼ାନ୍ତ କରାଯାଇଥିଲା। ଏହି ବାଇ ଲ’ ପରିଚାଳନା କମିଟିରେ ଉପସ୍ଥାପନ ପରେ ଏହାକୁ ଅନୁମୋଦନ ମିଳିଛି।

ଗୁରୁକୁଳ ନିର୍ମାଣର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ଅବଢ଼଼ା ଯୋଜନାରେ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଗୁରୁକୁଳ ପାଇଁ ୨୨ ଏକର ଜମି ଚିହ୍ନଟ ହୋଇଥିବା ବେଳେ ୮ ଏକର ଜମିକୁ ନେଇ ହାଇକୋର୍ଟରେ ମାମଲା ରହିଛି। ତେଣୁ ଅବଶିଷ୍ଟ ୧୪ ଏକର ସହ ସେବାୟତ ବାସଗୃହ ଯୋଜନା ପାଇଁ ଥିବା ୫ ଏକର ଜମିକୁ ମିଶାଇ ୧୯ ଏକର ଜମିରେ ନିର୍ମାଣ କରାଯିବ ବୋଲି ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ବଜେଟରେ ଗୁରୁକୁଳ ଲାଗି ୫ କୋଟି ଟଙ୍କାର ଅନୁଦାନକୁ ମଧ୍ୟ ଅନୁମୋଦନ ମିଳିଛି। ୨ ବର୍ଷ ମଧ୍ୟରେ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏହି ଗୁରୁକୁଳରେ ୫୦ ପ୍ରତିଶତ ସେବାୟତ ପିଲା ଯେଉଁମାନେ ଏଠାରେ ରହି ପାଠପଢ଼଼ିବେ। ସେହିପରି ପୁରୀ ଆଖପାଖର ୫୦ ପ୍ରତିଶତ ପିଲା ମଧ୍ୟ ପଢ଼଼଼ିପାରିବେ। ସେବକ ପିଲାଙ୍କୁ କୌଣସି ପ୍ରକାର ଫିସ୍‍ ଦେବାକୁ ପଡ଼ିବ ନାହିଁ। ସିବିଏସ୍‍ଇ ପଦ୍ଧତିରେ ଶିକ୍ଷାଦାନ କରାଯିବ। କିନ୍ତୁ ସେବକ ପିଲାମାନେ ଆନୁଷ୍ଠାନିକ ଶିକ୍ଷା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ପୂଜାବିଧି ସହ ସନାତନ ଧର୍ମ ଉପରେ ଜ୍ଞାନ ଆହରଣ କରିପାରିବେ ବୋଲି ସୂଚନା ମିଳିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଯୋଗଦେଇଥିଲେ।

ସେବାୟତଙ୍କୁ ମିଳିବ ଘର

ମହାପ୍ରଭୁଙ୍କ ଦୈନନ୍ଦିନ ସେବାପୂଜା କରୁଥିବା ଅନେକ ସେବାୟତଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ। ନିଷ୍ଠାର ସହ ନୀତିକାନ୍ତି କରୁଥିଲେ ବି ସେମାନଙ୍କ ପରିବାର ସଦସ୍ୟଙ୍କ ମୁଣ୍ଡ ଉପରେ ଭଲ ଛାତଟିଏ ନାହିଁ। ତଥାପି ଦାରୁବିଗ୍ରହଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ ରଖି ନିଜ ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି ଅନେକ ସେବାୟତ। ତେଣୁ ସେହି ସେବାୟତ ପରିବାରଙ୍କୁ ବାସଗୃହ ଯୋଗାଇଦେବା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଆଯାଇଛି ନିଷ୍ପତ୍ତି। ଏଥିଲାଗି ମାଟିମଣ୍ଡପ ସାହିରେ ୨.୮୧ ଏବଂ ହରଚଣ୍ଡୀ ସାହି ମୌଜାରେ ୩.୧୮ ଏକର ଜମି ଚିହ୍ନଟ ହୋଇଛି। ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବା ପରେ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)କୁ ଡିଜାଇନ ପ୍ରସ୍ତୁତ ପାଇଁ କୁହାଯିବ ବୋଲି ବୈଠକରେ ଆଲୋଚନା କରାଯାଇ ଚୂଡ଼ାନ୍ତ ହୋଇଛି।

ତେବେ ଜମି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିଲା ପରେ ଏହି ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ। କେଉଁ ଆଧାରରେ ସେବାୟତଙ୍କୁ ଘର ଦିଆଯିବା, କେଉଁମାନେ ପାଇବାକୁ ଯୋଗ୍ୟ ଏ ସବୁ ବିଷୟରେ ଆଲୋଚନା କରାଯାଇ ସ୍ଥିର ହେବ। ତେବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨୦୦ ଆପାର୍ଟମେଣ୍ଟ କରାଯିବ। ଜଣଙ୍କୁ ୬୦୦ରୁ ୬୫୦ ବର୍ଗଫୁଟରେ ଘର ଦିଆଯିବ ବୋଲି ଆଲୋଚନା କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଏ ନେଇ କିଛି ଚୂଡ଼ାନ୍ତ ହୋଇ ନାହିଁ।

Leave a comment