ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଗାଇଡଲାଇନ ଜାରି କଲେ ଏସ୍‌ଆରସି, ୧୦୦ ଜଣଙ୍କୁ ନେଇ ହୋଇପାରିବ ରାଜନୈତିକ ସମାବେଶ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିବା ପରେ ଆଜି ପ୍ରଚାର ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର( ଏସଆରସି) ପ୍ରଦୀପ ଜେନା। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଥିବା କାରଣରୁ ପଞ୍ଚାୟତ ନିର୍ବାଚନ ସମୟରେ କୌଣସି ବଡ ଧରଣର ସଭାକୁ ବାରଣ କରିଛନ୍ତି ଏସଆରସି। ସର୍ବାଧିକ ୧୦୦ ଜଣଙ୍କୁ ନେଇ ଛୋଟ ଛୋଟ ରାଜନୈତିକ ସମାବେଶ ହୋଇପାରିବ।ଖୋଲା ସ୍ଥାନରେ ସମାବେଶ ହେଲେ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି। ଇଣ୍ଡୋର ହଲରେ କ୍ଷମତାର ୫୦% ଲୋକଙ୍କୁ ଉପସ୍ଥିତ ପାଇଁ ଅନୁମତିରେ ସମାବେଶ ରହିଛି। ଏଥି ସହିତ ବାଇକ ଶୋଭାଯାତ୍ରା ଏବଂ ସାଇକେଲ ଶୋଭାଯାତ୍ରା ମନା କରାଯାଇଛି।

ଜାନୁଆରୀ ୫ରେ ଏସଆରସି ଜାରି କରିଥିବା ଗାଇଡଲାଇନରେ ପରିବର୍ତ୍ତନ କରି ବଡଧରଣର ସମାବେଶ ଉପରେ କଟକଣା ଲଗାଇଛନ୍ତି। ପ୍ରାର୍ଥୀମାନେ ସର୍ବାଧିକ ୫ ଜଣଙ୍କୁ ନେଇ କରିପାରିବେ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଇଛି।  ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯାଇଛି । ବିଜୟ ଶୋଭାଯାତ୍ରାରେ ମଧ୍ୟ କଟକଣା ଲାଗାଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି ।

ଭୋଟର ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ସମସ୍ତେ ମାସ୍କ ପିନ୍ଧିବେ । ନିର୍ବାଚନ ପରିଚାଳନାରେ ଅଂଶଗ୍ରହ କରୁଥିବା ବ୍ୟକ୍ତି ଡବଲ୍ ଡୋଜ୍ ଟିକା ନେବେ । ଏହା ସହିତ କୋଭିଡ ଗାଇଡଲାଇନ୍ ପାଳନ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ସୁରକ୍ଷା ବ୍ୟବସ୍ଥାରେ ଥିବା କୌଣସି ପୁଲିସଙ୍କର ଯଦି ସାମାନ୍ୟ ଲକ୍ଷଣ ଥାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦିଆଯିବ । ଭୋଟ ଦାନ କେନ୍ଦ୍ରକୁ ସାନିଟାଇଜ୍ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ନାମାଙ୍କନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।

Leave a comment