ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ରେସଲିଂ ଫେଡେରେସନ ସଭାପତିଙ୍କୁ ବିଦା ନକଲେ ଜାରି ରହିବ ଆନ୍ଦୋଳନ

ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧା ବିନେଶ ଫୋଗଟ ଭାରତୀୟ କୁସ୍ତି ସଂଘ ସଭାପତି ତଥା ସାଂସଦ ବ୍ରିଜ୍‌ ଭୂଷଣ ଶରନ ସିଂଙ୍କ ବିରୋଧରେ ଆଣିଥିବାଯୌନ ନିର୍ଯାତନା ଏବେ ବିବାଦୀୟ ହେବାରେ ଲାଗିଛି। ଗତକାଲି ଦୁଇ ମହିଳା ମଲ୍ଲଯୋଦ୍ଧା ବିନେଶ ଫୋଗଟ୍‌ ଏବଂ ସାକ୍ଷୀ ମଲିକ ସାଂସଦ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଗତକାଲି ଦିଲ୍ଲୀ ଜନ୍ତରମନ୍ତର ଠାରେ ହରତାଳ କରିଥିଲେ। କିନ୍ତୁ ସରକାରୀ ସ୍ତରରେ ଏଥିପାଇଁ କୌଣସି ପଦକ୍ଷେପ ନ ନିଆଯିବାରୁ ଅନ୍ୟ ବହୁ କୁସ୍ତି ଯୋଦ୍ଧା ବିନେଶଙ୍କ ସମର୍ଥନରେ ବାହାରିଛନ୍ତି। ଦେଶରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିବା ମଲ୍ଲଯୋଦ୍ଧା କ୍ୟାମ୍ପରେ ପ୍ରଶିକ୍ଷକଙ୍କ ସମେତ ସଂଘ ସଭାପତି ମଧ୍ୟ ମହିଳା ମଲ୍ଲଯୋଦ୍ଧାମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରି ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେପଟେ ତିନି ଦିନ ମଧ୍ୟରେ ଏହି ଅଭିଯୋଗ ସମ୍ପର୍କରେ ମତାମତ ରଖିବାକୁ ଭାରତୀୟ କୁସ୍ତି ଯୋଦ୍ଧା ସଂଘକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିବା ସତ୍ତ୍ବେ ଆନ୍ଦୋଳନକାରୀ ଓହରି ନାହାନ୍ତି । ଇସ୍ତଫା ଦେବା ଲାଗି ବ୍ରିଜ ଭୂଷଣଙ୍କୁ କେନ୍ଦ୍ରମନ୍ତ୍ରୀ ୨୪ ଘଣ୍ଟା ମହଲତ ଦେଇଥିଲେ ବି ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ତେଣେ ବ୍ରିଜ ଭୂଷଣଙ୍କ ବିରୋଧରେ ଆଜି ଆନ୍ଦୋଳନକାରୀ ଏଫଆଇଆର ଦେଇପାରନ୍ତି ବୋଲି ସୂଚନା ମିଳିଛି । ଗତକାଲି ଆନ୍ଦୋଳନରତ ରେସଲରଙ୍କୁ ଭେଟି କେନ୍ଦ୍ର ଅନୁରାଗ କହିଥିଲେ ମି-ଠୁ ଅଭିଯୋଗ ଅତି ସାଂଘାତିକ । ଏହା ବିରୋଧରେ ପଦକ୍ଷେପ ନିଆଯିବ ।

୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ଗତକାଲି ଫେଡେରେସନକୁ ନିର୍ଦ୍ଦେଶ ଦେଇଥିଲା କ୍ରୀଡ଼ା ମନ୍ତ୍ରାଳୟ । ଅଭିଯୋଗର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ବି ହୋଇପାରେ ଗଠନ । ବିକ୍ଷୋଭରେ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ସରିତା ମୋର, ସୁମିତ ମଲିକଙ୍କ ସମେତ ବହୁ ପ୍ରତିଷ୍ଠିତ ରେସଲର ହୋଇଛନ୍ତି ସାମିଲ । କେବଳ ଲକ୍ଷ୍ମୌ ନ୍ୟାସନାଲ କ୍ୟାମ୍ପ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ବି ବ୍ରିଜ ଭୂଷଣ ଓ କୋଚ ଯୌନ ଶୋଷଣ କରିଛନ୍ତି ବୋଲି ରେସଲର କରିଥିଲେ ଅଭିଯୋଗ ।

ବିବାଦର ସମାଧାନ ଲାଗି ମଧ୍ୟସ୍ଥତା କରୁଥିବା ବବିତା ଫୋଗାଟଙ୍କ ଅନୁରୋଧ ବି ପ୍ରତ୍ୟାଖ୍ୟାନ କରିଥିଲେ ଆନ୍ଦୋଳନକାରୀ । ଯୌନ ନିର୍ଯାତନାର ଅନେକ ପ୍ରମାଣ ସେମାନଙ୍କ ନିକଟରେ ରହିଛି ବୋଲି କହିଥିଲେ ଆନ୍ଦୋଳନକାରୀ । ସେପଟେ ଆସନ୍ତା ୨୨ ତାରିଖରେ ଜରୁରୀ ସାଧାରଣ ପରିଷଦ ବୈଠକରେ ସେ ଇସ୍ତଫା ଦେବା ନେଇ ଚାଲିଛି ଚର୍ଚ୍ଚା

Leave A Reply

Your email address will not be published.