ଆସନ୍ତାକାଲି ଗାନ୍ଧୀଙ୍କ ଓଡିଶା ଗସ୍ତକୁ ପୂରୁଛି ଶହେ ବର୍ଷ, ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା

ଭୁବନେଶ୍ବର: ମହାତ୍ମାଗାନ୍ଧୀଙ୍କୁ ନେଇ ବିଧାନସଭାରେ ହେବ ସ୍ବତନ୍ତ୍ର ଆଲୋଚନା । ଆସନ୍ତାକାଲି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନକୁ ଶହେ ବର୍ଷ ପୂରଣ ହେଉଛି । ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଏ ନେଇ ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ । ଏହି ଆଲୋଚନା ଦିନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ଯନ୍ତ ହେବ ବୋଲି ସମୟ ଧାର୍ଯ୍ଯ କରାଯାଇଛି । ବିଶେଷ କରି ମହାତ୍ମାଗାନ୍ଧୀଙ୍କ ଓଡିଶା ଗସ୍ତର ବିଭିନ୍ନ ଦିଗ ଉପରେ ଗୃହରେ ଆଲୋଚନା କରାଯିବ।
ସୂଚନା ଅନୁଯାୟୀ, ଆସନ୍ତା ୨୩ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତକୁ ଶହେ ବର୍ଷ ପୂରିବ। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକ କାଠଯୋଡ଼ି ନଦୀ ପଠାରେ ଏକାଠି ହୋଇଥିଲେ କଟକ ଗସ୍ତରେ ଆସିଥିବା ଜାତିରପିତା ମାହାତ୍ମା ଗାନ୍ଧି, କସ୍ତୁରବା ଗାନ୍ଧୀ,ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଆଚାର୍ଯ୍ଯ ହରିହର ଦାସଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ । ଇଂରେଜମାନଙ୍କ ବିରୋଧରେ ଏକାଠି ପାଇଁ ସୃଷ୍ଟି କରାଯାଇଥିଲା ଜନ ଆନ୍ଦୋଳନ।