ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନ ନିବାସରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବୈଠକ, ଆଦିବାସୀଙ୍କ ବିକାଶ ପାଇଁ ଅର୍ଥ ବାଧକ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଆଦିବାସୀ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳ ରହି ଆସିଛି। ବିଶେଷକରି ରାଜ୍ୟର ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏହିକ୍ରମରେ ଆଜି ନବୀନ ନିବାସରେ ଏହି ପରିଷଦର ୯ଟି ଜିଲ୍ଲାର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ସେମାନଙ୍କର କିପରି ସର୍ବାଙ୍ଗୀଣ ବିକାଶ ହୋଇପାରିବ ସେନେଇ ବ୍ଲୁ-ପ୍ରୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏନେଇ ଆମକୁ ବ୍ୟାପକ ପରାମର୍ଶ ଦେବା ସହ ମାର୍ଗଦର୍ଶନ କରିଛନ୍ତି।

ସେହି ଅନୁଯାୟୀ ଆଗାମୀ ଦିନରେ ଏସଡିସି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏହାର ଉପଦେଷ୍ଟା ପ୍ରଦୀପ ମାଝୀ କହିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କଳା, ସଂସ୍କୃତି, ପରମ୍ପରା ସହ ଶିକ୍ଷା ସହ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିବାସୀ ଭାଇ ଭଉଣୀଙ୍କର ବିକାଶ ପାଇଁ ଆପଣମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି। ଏହାକୁ ଆପଣମାନେ ସୂଚାରୁ ରୂପେ ତୁଲାନ୍ତୁ। ଆଗାମୀ ଦିନରେ ଆଦିବାସୀଙ୍କର ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ। ଆଦିବାସୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ଯେଉଁ ପାଣ୍ଠିର ବ୍ୟବସ୍ଥା ହୋଇଛି, ଆଗାମୀ ଦିନରେ ସେଥିରେ ଅର୍ଥ ବୃଦ୍ଧି କରାଯିବ। ସେହିପରି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟନ୍ୱୟନ ହେଉଥିବା ଯୋଜନାରେ ଦୁର୍ନୀତି ନହୁଏ, ସେନେଇ ପରିଷଦର ସଦସ୍ୟମାନେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଶ୍ରୀ ମାଝୀ କହିଛନ୍ତି।

ସେହିପରି ପରିଷଦ ଅଧିନରେ ଆସୁଥିବା ସମସ୍ତ ୯ ଜିଲ୍ଲାରେ ପରିଷଦରେ ସରକାରୀ କାର୍ଯ୍ୟକ୍ରମ ଯୋଜନା, ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ କ୍ରୀଡ଼ାଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିବା ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୈଠକରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷିତ ହେବେ ସେନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସହରାଞ୍ଚଳରେ ରହୁଥିବା ଆଦିବାସୀଙ୍କୁ ଗୁରୁତ୍ୱ ଦେବାକୁ ବୈଠକରେ ଆଲୋଚନା ହୋଇଛି। କନକ୍ଲେଭ ଜରିଆରେ ଆଦିବାସୀଙ୍କ ଉନ୍ନତି ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିବା ବିଭିନ୍ନ ଜିଲ୍ଲାରୁ ଆସିଥିବା ଉନ୍ନୟନ ପରିଷଦର ଅଧ୍ୟକ୍ଷମାନେ ମତପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ପ୍ରତି ଜିଲ୍ଲାରୁ ୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ପଠାଯିବା ନେଇ ବ୍ୟବସ୍ଥା କରିବାକୁ ଏସଡିସିର ସଦସ୍ୟମାନେ ବୈଠକ ପରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେହିପରି ପ୍ରତି ମାସରେ ଥରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବୈଠକ ଅନୁଷ୍ଠିତ ହେବ ବୋଲି ଏସଡିସିର ଜିଲ୍ଲା ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷମାନେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଏହି ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ସାମିଲ ରହିଛି।(ଦୀପକ)

Leave A Reply

Your email address will not be published.