ଖୁବ୍‍ଶୀଘ୍ର ସବୁ ବ୍ଲକରେ ସ୍ୱତନ୍ତ୍ର କୃଷି ପାଣିପାଗ ସେବା, ଚାଷୀ ପାଇଁ ସହାୟକ ହେବ ସୂଚନା

ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ କୃଷିକ୍ଷେତ୍ରକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି। ଆଗୁଆ ସୂଚନା ସହ ପରିବର୍ତ୍ତିତ ପାଣିପାଗରେ କ’ଣ ଚାଷ କରାଯିବ ଏବଂ ଚାଷୀମାନେ କଣ ସତର୍କତା ଗ୍ରହଣ କରିବେ ସେ ସମ୍ପର୍କରେ ପରାମର୍ଶ ଦେବାକୁ ରାଜ୍ୟର ୧୦ ଟି ଜିଲ୍ଲାରେ ଆଞ୍ଚଳିକ କୃଷି ପାଣିପାଗ ବିଜ୍ଞାନ କେନ୍ଦ୍ର ଖୋଲିଛି। ଆଇଏମ୍‍ଡି ଓ ଭାରତ କୃଷି ଅନୁସନ୍ଧାନ ବିଭାଗ ପକ୍ଷରୁ ଏହି କେନ୍ଦ୍ର ସବୁ ଚାଲୁଥିବା ବେଳେ ଆଗକୁ ସମସ୍ତ ଜିଲ୍ଲାରେ ଏହି କେନ୍ଦ୍ର ଖୋଲାଯିବ। ବ୍ଲକସ୍ତରରେ ପାଣିପାଗ ଅନୁକୂଳ ଚାଷ ଓ ଅନ୍ୟାନ୍ୟ କୃଷି ସମ୍ପର୍କିତ ସୂଚନା ବ୍ଲକସ୍ତରରେ ପ୍ରଦାନ କରାଯିବ। ନିର୍ଦ୍ଦିଷ୍ଟ ବ୍ଲକର ୧୨.୫ କିଲୋମିଟର ପରିଧି ଭିତରେ କ’ଣ ରୋଗପୋକ ଲାଗିବାର ଆଶଙ୍କା ଅଛି, ଏହାକୁ କେମିତି ପ୍ରତିହତ କରାଯିବ କିମ୍ବା କ’ଣ ବିକଳ୍ପ ଚାଷ କରାଯିବ ସେ ସମ୍ପର୍କିତ ସୂଚନା ଚାଷୀମାନେ ପାଇପାରିବେ। ଏବେ ଏ ସମ୍ପର୍କିତ ପ୍ରକ୍ରିୟା ଆରମ୍ଭ ହୋଇଛି; ଖୁବ୍‍ ଶୀଘ୍ର ଏହା ବାସ୍ତବ ରୂପ ନେବ।

ନୂତନ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଜିଲ୍ଲା କୃଷି ପାଣିପାଗ ବିଜ୍ଞାନ କେନ୍ଦ୍ର ଚାଷୀମାନଙ୍କୁ ଆଗୁଆ ନିଜ ବ୍ଲକର ପାଣିପାଗ ପୂର୍ବାନୁମାନ କରି ସୂଚନା ପ୍ରଦାନ କରୁଛି। ୱେଦର ଫୋରକାଷ୍ଟିଂ ଦ୍ୱାରା କରାଯାଉଥିବା ଏହି ପୂର୍ବାନୁମାନ ଦ୍ୱାରା ଜଣେ ଚାଷୀ ୧୨.୫ କିଲୋମିଟର ପରିଧି ଭିତରେ ନିଜ ଅଞ୍ଚଳର ପାଣିପାଗ ସମ୍ବନ୍ଧିତ ତଥ୍ୟ ପାଇ ପାରୁଛି। ଯାହାଦ୍ୱାରା ଜଣେ ଚାଷୀ ବିଲରେ ବୁଣିବା, ସାର ପ୍ରୟୋଗ, କୀଟନାଶକ ପ୍ରୟୋଗ, ଜଳସେଚନକୁ ବିନିଯୋଗ କରିବା, ଅମଳ କରିବା, ଶ୍ରମବିନିଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନେଇପାରୁଛି। ଏହାଦ୍ୱାରା ଚାଷୀର ବଦ୍‍ଖର୍ଚ୍ଚ କମୁଛି ବୋଲି କଟକ କୃଷି ପାଣିପାଗ ବିଜ୍ଞାନ କେନ୍ଦ୍ର କଟକର କୃଷି ପାଣିପାଗ ବୈଜ୍ଞାନିକ ଦେବାଶିଷ ଜେନା କହିଛନ୍ତି।

ବର୍ତ୍ତମାନ ଜଳବାୟୂ ପରିର୍ତ୍ତନ ଭଳି ସମସ୍ୟା ଭିତରେ କୃଷି ସମସ୍ୟାର ସମାଧାନ ପାଇଁ ଏଣିକି ରିମୋର୍ଟ ସେନ୍‍ସିଂ ଭଳି ନୂତନ ଜ୍ଞାନ କୌଶଳର ଉପଯୋଗ କରାଯାଉଛି। ଯେଉଁଥିରେ ଉପଗ୍ରହରୁ ଉତ୍ତୋଳିତ କୃଷିଜନିତ ମାନଚିତ୍ର ସଂଗ୍ରହ କରାଯାଇ ପାରୁଛି। ଏହି ବୈଷୟିକ ଜ୍ଞାନକୌଶଳରେ ସାଧାରଣତଃ ୪ ପ୍ରକାର କୃଷିଜନିତ ମାନଚିତ୍ରର ଫଟୋ ଉଠାଯାଇଥାଏ। ସେଗୁଡିକ ହେଲା ଏନ୍‍ଡିଭିଆଇ(ନର୍ମାଲଇଜ୍‍, ଡିଫରେଣ୍ଟ ଭେଜିଟେସନ୍‍ ଇଣ୍ଡେକ୍ସ), ଭିସିଆଇ ( ଭେଜିଟେସନ୍‍ କଣ୍ଡିସନ୍‍ ଇଣ୍ଡେକ୍ସ), ଭିଏଚ୍‍ଆଇ(ଭେଜିଟେସନ୍‍ ହେଲ୍ଥ ଇଣ୍ଡେକ୍ସ) ଓ ଟିସିଆଇ(ଟେମ୍ପରେଚର କଣ୍ଡିସନ୍‍ ଇଣ୍ଡେକ୍ସ) ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ଫଟୋ ଉତ୍ତୋଳନ କରାଯାଇଥାଏ। ପ୍ରତି ସପ୍ତାହ ଉପଗ୍ରହ ସାହାଯ୍ୟରେ ଏହି ଚିତ୍ର ଉତ୍ତୋଳନ କରାଯାଉଥିବା ବେଳେ ଏହାଦ୍ୱାରା ଫସଲର ବିଭିନ୍ନ ଅବସ୍ଥାକୁ ଅନୁଧ୍ୟାନ କରାଯାଇ ଚାଷୀଭାଇମାନଙ୍କୁ ବିଭିନ୍ନ ପ୍ରକାର ସୂଚନା ଦିଆଯାଇଥାଏ। ୨୦୨୧ମସିହା ଅଗଷ୍ଟ ମାସରେ ଯେତେବେଳେ ରାଜ୍ୟରେ ବର୍ଷାର ଅଭାବ ଦେଖାଯାଇଥିଲା ସେ ସମୟରେ ଉପଗ୍ରହରୁ ଉତ୍ତୋଳିତ ଚିତ୍ର ଅନୁସାରେ ରାଜ୍ୟରେ ଉପୁଜୁଥିବା ସମସ୍ୟା ବାବଦରେ ସରକାର, ସମ୍ପୃକ୍ତ ଜିଲ୍ଲାର କୃଷି ଅଧିକାରୀଙ୍କୁ ଅବଗତ କରାଯିବା ସହ ଚାଷୀଭାଇମାନଙ୍କୁ ଏଥିରୁ ବର୍ତ୍ତିବାର ଉପାୟ ବତାଯାଇଥିଲା।

ବିଶେଷକରି ଏନ୍‍ଡିଭିଆଇ ଦ୍ୱାରା ଚାଷରେ ହେଉଥିବା ପାଣିର ଅଭାବ, ସାରର ଅଭାବ, ରୋଗପୋକ ଭଳି ବିଷୟକୁ ପରିଚାଳନା କରିବା ସହ ଦେଖି ତତ୍‍କ୍ଷଣାତ ଏ ବାବଦରେ ଚାଷୀଭାଇମାନଙ୍କୁ ଏହାର ନିରାକରଣର ଉପାୟ ବାବଦରେ ସୂଚନା ଦିଆଯାଇଥାଏ। କମ୍‍ ସମୟ ମଧ୍ୟରେ ଅଧିକ ଜାଗାରେ କ୍ରପ ମନିଟରିଂ ଭଳି କାମ ମଧ୍ୟ ରିମୋର୍ଟସେନ୍‍ସିଂ ଦ୍ୱାରା ସହଜରେ କରାଯାଇପାରୁଛି। ତେବେ ତାପମାତ୍ରା ଜନିତ ବିହନ କ୍ଷୟକ୍ଷତିର ଆକଳନ ଟିସିଆଇ ଦ୍ୱାରା ଉତ୍ତୋଳିତ ଚିତ୍ର ଦ୍ୱାରା ବିଶ୍ଳେଷଣ କରାଯାଇପାରୁଛି। ଏହାଦ୍ୱାରା ଜରୁରୀକାଳୀନ କୃଷି ପରାମର୍ଶ ସେବା ସହଜରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇ ପାରୁଛି।

ପାଣିପାଗ ସମ୍ବନ୍ଧିତ କୃଷିକୁ ନେଇ ସାଧାରଣତଃ ୩ ପ୍ରକାର ପୂର୍ବାନୁମାନ କରାଯାଇଥାଏ। ସେଗୁଡିକ ହେଲା ବର୍ତ୍ତମାନ ପାଣିପାଗ ପୂର୍ବାନୁମାନ (୩ ଘଣ୍ଟା ପାଇଁ ଦିଆଯାଉଥିବା ସୂଚନା, ମଧ୍ୟମକାଳୀନ ପୂର୍ବାନୁମାନ (୫ ଦିନ ପାଇଁ କାର୍ଯ୍ୟକାରୀ ହେଉଥିବା ସୂଚନା), ଋତୁକାଳୀନ ପୂର୍ବାନୁମାନ। ଏଥିମଧ୍ୟରୁ ମଧ୍ୟମକାଳୀନ ପୂର୍ବାନୁମାନ ଚାଷୀଙ୍କ ପାଇଁ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇ ପାରିଛି। ଏହାଛଡା ଡାଇନାମିକ୍‍ କ୍ରପ୍‍ ୱେଦର କ୍ୟାଲେଣ୍ଡର ଭଳି ନୂତନ ଜ୍ଞାନ କୌଶଳ, ରୋଗପୋକ ପୂର୍ବାନୁମାନ ଜନିତ ମଡେଲ, କ୍ରପ୍‍ ଷ୍ଟିମୁନେସନ୍‍ ମଡେଲ ଆଦିକୁ ବ୍ୟବହାର କରି ଚାଷୀଭାଇମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇ ପାରୁଛି।

Leave a comment