ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ : ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୯ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ସଞ୍ଜୁ ସାମସନଙ୍କ ଅପରାଜିତ ୮୬ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୫୦ ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ହାରି ଯାଇଛି ଭାରତ। ବର୍ଷା ଯୋଗୁ ୪୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୪୯ ରନ କରିଥିଲା। ଏହାର ଜବାବରେ ଭାରତ ୮ ୱିକେଟ ହରାଇ କେବଳ ୨୪୦ ରନ କରିବାକୁ ସକ୍ଷମ ହୋଇଛି।

ଦକ୍ଷିଣ ଆଫ୍ରିକା ଏହି ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ଲଢ଼େଇକୁ ୯ ରନରେ ଜିତି ଏବେ ୧-୦ରେ ଆଗୁଆ ହୋଇଯାଇଛି। ଭାରତ ପାଇଁ ସଞ୍ଜୁ ସାମସନ ଶେଷ ଯାଏ ଲଢ଼େଇ କରିଥିଲେ ହେଁ ବିଜୟ ମୁଣ୍ଡି ମାରିବାକୁ ସକ୍ଷମ ହୋଇ ନାହାନ୍ତି। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୩୦ ରନ ଦରକାର ଥିଲା। ହେଲେ ସାମସନ କେବଳ ୨୦ ରନ ହିଁ କରିବାକୁ ସକ୍ଷମ ହୋଇଥିଲେ।

୪୦ ଓଭରରେ ୨୫୦ ରନର ଟାର୍ଗେଟ ପାଇଥିବା ଟିମ ଇଣ୍ଡିଆ ଆରମ୍ଭରୁ ଧିମା ଖେଳିଥିଲା। ଏଥିସହ ନିୟମିତ ୱିକେଟ ମଧ୍ୟ ହରାଇ ଚାଲିଥିଲା। ଓପନର ଶୁବମନ ଗିଲ୍‌ ଓ ଶିଖର ଧୱନ କେବଳ ୮ ରନର ଭାଗିଦାରୀ କରିଥିଲେ। କାଗିସୋ ରବାଡା ୩ ରନ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟକା ଦେଇଥିଲେ।

ଧୱନ(୪) ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ଡେବ୍ୟୁଟାଣ୍ଟ ଋତୁରାଜ ଗାଏକ୍ୱାଡ ଓ ଈଶାନ କିଶନ କିଛି ସମୟ ସଂଘର୍ଷ କରିଥିଲେ ମଧ୍ୟ ଆବଶ୍ୟକ ଅନୁଯାୟୀ ରନ ସଂଗ୍ରହ କରିପାରି ନଥିଲେ। ସ୍କୋର ବୋର୍ଡର ଚାପ ବଢ଼ିବାରୁ ଗାଏକ୍ୱାଡ (୪୨ ବଲ ୧୯ ରନ) ବଡ଼ ଶଟ ଖେଳିବା ଲୋଭରେ ତ୍ରାବାଇଜ ଶାମସୀଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ।

କେଶବ ମହାରାଜ ୩୭ ବଲରେ ୨୦ ରନ କରିଥିବା ଈଶାନ କିଶନ ଭାରତକୁ ୪ର୍ଥ ଝଟକା ଦେଇଥିଲେ। ୫୧ ରନରେ ୪ ୱିକେଟ ହରାଇ ଅଡ଼ୁଆରେ ପଡ଼ିଥିବା ଭାରତକୁ ଶ୍ରେୟସ ଆୟର ଓ ସଞ୍ଜୁ ସାମାସନ ସମ୍ଭାଳିଥିଲେ। ବିଶେଷ କରି ଶ୍ରେୟସ ଆୟରଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ୫ମ ୱିକେଟ ପାଇଁ ଦଳୀୟ ସ୍କୋରକୁ ୫୧ରୁ ନେଇ ୧୧୮ରେ ପହଞ୍ଚାଇ ଦେଇଥିଲେ।

ଶ୍ରେୟସ ଆୟର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୩୩ ବଲରେ ୫୦ ରନ ପୂରଣ କରିଥିବା ଆୟର କ୍ରମାଗତ ୩ଟି ବଲ ବିଟ ହୋଇଥିଲେ। ତେବେ ଲୁଙ୍ଗି ଏନଗିଡିଙ୍କ ୪ର୍ଥ ବଲରେ ସେ ଆଉଟ ହୋଇଯାଇଥିଲେ। ଭାରତ ୧୧୮ ରନରେ ୫ମ ୱିକେଟ ହରାଇଥିଲା। ୬ଷ୍ଠ ୱିକେଟ ପାଇଁ ସାମସନଙ୍କ ସହ ମିଶି ଶାର୍ଦ୍ଦୁଲ ଠାକୁର ସ୍ଥିତି ସମ୍ଭାଳିଥିଲେ। ଉଭୟ ବେଶ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ।

Leave a comment