ବିହାରର ଭାଇରାଲ ବୟ ସୋନୁର ଗୁହାରି ଶୁଣିଲେ ସୋନୁ ସୁଦ୍‌

ପାଟନା : କିଛି ଦିନ ପୂର୍ବେ ବିହାରର ଜଣେ ଶିଶୁଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ସେ ତାର ପାଠପଢା ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଗରେ ହାତ ଯୋଡି ନିବେଦନ କରିଥିଲେ। ସେ ସେତେବେଳେ ନିଜର ପାଠ ପଢାରେ କଣ ଅସୁବିଧା ରହିଛି ତାହାର ସମସ୍ତ ତଥ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାଲନ୍ଦା ଜିଲ୍ଲାର ତାଙ୍କ ପୈତୃକ ଗ୍ରାମ କଲ୍ୟାଣ ବିଗାହାକୁ ତାଙ୍କ ପତ୍ନୀ ମଞ୍ଜୁ ସିହ୍ନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଇଥିବାବେ‌ଳେ ପିଲାଟି ତାଙ୍କୁ ଭେଟିବାର ସୁଯୋଗ ପାଇଥିଲା। ହାତଯୋଡ଼ି ସୋନୁ କାନ୍ଦ କାନ୍ଦ ହୋଇ କହିଲା, ସାର୍ ମୋ ପାଠପଢ଼ା ପାଇଁ ଆପଣଙ୍କ ସହାୟତା ଲୋଡ଼ା। ମୋ ବାପା ମୋତେ ସାହାଯ୍ୟ କରନ୍ତି ନାହିଁ। ମୁଁ ଏକ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନର ମାନ ଦୟନୀୟ। ମୁଁ ପାଠ ପଢ଼ି ଆଇପିଏସ୍‌, ଆଇଏଏସ୍‌ ଭଳି ବଡ଼ ଚାକିରି କରିବାକୁ ଚାହୁଁଛି। ବାପା ଦହି ବ୍ୟବସାୟରୁ ଯାହା ଆୟ କରନ୍ତି ସେଥିରେ ମଦ ପିଅନ୍ତି। ଆପଣ ସହଯୋଗ ନକଲେ ମୁଁ ଘରୋଇ ସ୍କୁଲରେ ପାଠ ପଢ଼ି ପାରିବି ନାହିଁ। ସୋନୁଠାରୁ ସବୁ ଶୁଣିବା ପରେ ରାଜ୍ୟରେ ଶିକ୍ଷାର ବିକଳ ଚିତ୍ର ମୁଖ୍ୟମନ୍ତ୍ରୀ ଅନୁଭବ କରିଥିଲେ। ତୁରନ୍ତ ସୋନୁର ପାଠପଢ଼ା ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିହାରର ଶିକ୍ଷା ବିଭାଗ ଅଧିକାରୀ ସୋନୁର ଘରେ ପହଞ୍ଚି ସମସ୍ତ ତଥ୍ୟ ଯାଞ୍ଚ ମଧ୍ୟ କରିଥିଲେ। କିନ୍ତୁ ସରକାର କୌଣସି ସାହାର୍ଯ୍ୟ କରିବା ପୂର୍ବରୁ ୧୧ ବର୍ଷୀୟ ସୋନୁଙ୍କୁ ମିଳିଛି ସୋନୁ ସୁଦଙ୍କ ସାହାର୍ଯ୍ୟ। ବଲିଉଡ ଅଭିନେତା ସୋନୁ ସୁଦ ଏହି ଶିଶୁର ଶିକ୍ଷାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋନୁ ସୁଦ ପାଟନାରେ ଏକ ଘରୋଇ ବିଦ୍ୟାଳୟରେ ୧୧ ବର୍ଷୀୟ ସୋନୁର ନାମ ଲେଖାଇଛନ୍ତି। ସୋନୁ ଟୁଇଟ୍ କରି ଲୋକଙ୍କ ସହ ଏହି ସୂଚନା ସେୟାର କରିଛନ୍ତି। ସୋନୁ ସୁଦ ଲେଖିଛନ୍ତି, ସୋନୁ ଭାଇ ସୋନୁଙ୍କ କଥା ଶୁଣିଲେ। ସ୍କୁଲ୍ ବ୍ୟାଗ୍ ରେଡି କର, ତୁମର ସଂପୂର୍ଣ୍ଣ ଶିକ୍ଷା ଏବଂ ହଷ୍ଟେଲ ବ୍ୟବସ୍ଥା କରାଯାଇଛି । ଟୁଇଟ୍ ଅନୁଯାୟୀ, ପାଟନା ଜିଲ୍ଲାର ବିହାଟା ଆଇଡିଆଲ୍ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲରେ ସୋନୁଙ୍କ ଆଡମିଶନ କରାଯାଇଛି।


୧୧ ବର୍ଷୀୟ ସୋନୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପାଠ ପଢାପାଇଁ ଅନୁରୋଧ କରୁଥିବା ସମୟର ଭିଡିଓ ବେଶ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ଦିନଠାରୁ ଲୋକମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବା ଆରମ୍ଭ କରି ଦେଇଛନ୍ତି। ଗତକାଲି ପୂର୍ବତନ ସାଂସଦ ତଥା ଜନ ଅଧିକାରୀ ପାର୍ଟି ସଭାପତି ପପୁ ଯାଦବ ମଧ୍ୟ ତାଙ୍କୁ ଭେଟିବା ପାଇଁ ସୋନୁଙ୍କ ଗାଁରେ ପହଞ୍ଚିଥିଲେ। ସେ ସୋନୁଙ୍କୁ ୫୦ ହଜାର ଟଙ୍କା ସାହାଯ୍ୟ ଦେଇ କହିଥିଲେ । ଏହାପୂର୍ବରୁ ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ ମଧ୍ୟ ସୋନୁଙ୍କୁ ଭେଟିବାକୁ ଆସିଥିଲେ ଏବଂ ତାଙ୍କୁ ନବୋଦୟ ବିଦ୍ୟାରେ ନାମ ଲେଖାଇବା ବିଷୟରେ କହିଥିଲେ। ଏହା ସହିତ ପ୍ରତି ମାସରେ ଦୁଇ ହଜାର ଟଙ୍କା ସହାୟତା ମଧ୍ୟ ଦିଆଯିବାକୁ କହିଥିଲେ।  ଏଥି ସହ ଅଭିନେତ୍ରୀ ଗ୍ବହର ଖାନ ମଧ୍ୟ ଟ୍ୱିଟ କରି ସୋନୁଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Leave a comment