ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୬ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୪.୨ ଡିଗ୍ରି ସହ ସୋନପୁର ଦେଶର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ସୋନପୁରରେ ଆଜି ୪୪.୨ ଡିଗ୍ରି ତାପମାତ୍ରା ସହ ସୋନପୁର ଦେଶର ସର୍ବାଧିକ ଉତ୍ତପ୍ତ ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ, ସୋନପୁରରେ ଆଜି ରେକର୍ଡ ତାପମାତ୍ରା ରେକର୍ଡ କରାଯାଇଛି।

ଗ୍ରୀଷ୍ମ ପ୍ରବାହ ଯୋଗୁ ସାରା ରାଜ୍ୟ ଜଳୁଥିବା ବେଳେ ଆଜି ସୋନପୁର ସମେତ ମୋଟ ୧୬ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି। ବଲାଙ୍ଗିରର ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୨.୫, ଝାରସୁଗୁଡ଼ାରେ ୪୨.୨, ବୌଦ୍ଧରେ ୪୨, ତାଳଚେରରେ ୪୧.୮, ଅନୁଗୋଳରେ ୪୧.୭, ସୁନ୍ଦରଗଡ଼ରେ ୪୧.୫ରେ, ଟିଟିଲାଗଡ଼ରେ ୪୧.୫, ପାରଳାଖେମୁଣ୍ଡିରେ ୪୧, ସମ୍ବଲପୁରରେ ୪୦.୮, ଭବାନୀପାଟଣାରେ ୪୦.୫, ନୟାଗଡ଼ରେ ୪୦.୫, ଛତ୍ରପୁରରେ ୪୦, ବାଲେଶ୍ୱରରେ ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି।


ସେହିପରି କଟକରେ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୭.୭, ଚାନ୍ଦବାଲିରେ ୩୮.୭, କେନ୍ଦୁଝରଗଡ଼ରେ ୩୬.୨, ହୀରାକୁଦରେ ୩୯.୯, ଫୁଲବାଣୀରେ ୩୯.୨, ରାୟଗଡ଼ାରା ୩୯.୧ ଓ ଭଦ୍ରକରେ ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ଅନ୍ୟପଟେ ପଶ୍ଚିମ ଓ ଆଭ୍ୟନ୍ତରୀଣରେ ତାତି ଆଗକୁ ଆହୁରି ବଢିବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓ ଦକ୍ଷିଣରେ ପାଗ ମେଘୁଆ ରହୁଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ଖରାର ଲୁଚକାଳୀ ଖେଳ ଜାରି ରହିବ । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେଉଛି ।ଆସନ୍ତା ୫ଦିନ ଯାଏ ଏପରି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୫ ତାରିଖ ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଏହି ସମୟ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୮ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.