ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାହାଘର ସାରି ଫେରିବା ବେଳେ ଦୁର୍ଘଟଣା: ବୋଲେରୋ-ଟ୍ରକ ଧକ୍କାରେ ଗଲା ୫ ଜୀବନ, ଗୋଟିଏ ଜୁଇରେ ଜଳିଲା ବାପ ଝିଅଙ୍କ ଚିତା

ସୋନପୁର/ଉଲୁଣ୍ଡା : ଆଉ ମାତ୍ର ୫ କିଲୋମିଟର ଅତିକ୍ରମ କଲା ପରେ ନିଜ ଗାଁରେ ପହଞ୍ଚି ଯାଇଥାନ୍ତେ । ବାହାଘର ଖୁସିରେ ସମସ୍ତେ ମଜ୍ଜି ଯାଇଥାନ୍ତେ । ଆଜି ଭଳକି ଭଳି ଖାଦ୍ୟ ଦ୍ରବ୍ୟ ପ୍ରସ୍ତୁତ ହୋଇ ଭୋଜି ପରସା ଯାଇଥାନ୍ତା । ତେବେ ବିଧିର ବିଧାନ ବୋଧହୁଏ ସେଭଳି ନଥିଲା । ସବୁ ଓଲଟପାଲଟ ହୋଇଗଲା । ନିମ୍ନା ଗାଁର ପାଣ୍ଡିଆ ପରିବାରରେ ଦୁଖର ପାହାଡ ମାଡି ବସିଲା । ବାହାଘର ସାରି ଘରକୁ ନଫେରି ଶେଷଯାତ୍ରାରେ ମଶାଣିକୁ ଗଲେ ଗାଁର ୫ ଜଣ ବ୍ୟକ୍ତି  । ଏହାଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ଅଛନ୍ତି ।ଶୁକ୍ରବାର ଉଲୁଣ୍ଡା ଥାନା ଅନ୍ତର୍ଗତ  ନିମ୍ନା ଗ୍ରାମର ପ୍ରଦୀପ ପାଣ୍ଡିଆଙ୍କ ଜ୍ୟେଷ୍ଠ  ପୁଅ ମନିଷଙ୍କ ବିବାହ  ବିନିକା ବ୍ଲକର କଉଡିଆମୁଣ୍ଡା ଗାଁରେ ସଂପନ୍ନ ହୋଇଥିଲା । ବାହାଘର ସରିବା ପରେ  ବରଯାତ୍ରୀ ଦଳ ଏକ ବୋଲେରୋରେ କଉଡିଆମୁଣ୍ଡାରୁ ନିଜ ଗାଁ ନିମ୍ନାକୁ ଫେରୁଥିଲେ । ରାତି ପ୍ରାୟ ସାଢେ ଗୋଟାଏରେ ସମ୍ବଲପୁର ପଟୁ ଆସୁଥିବା ଓଆର୍ ୧୫ ଜି ୧୨୮୯ ନମ୍ବର ବିଶିଷ୍ଟ ଟ୍ରକ ସହିତ ଉକ୍ତ ବୋଲେରୋ ସୋନପୁର ମହାନଦୀ ବ୍ରିଜ ଉପରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଧକ୍କା ସମୟରେ ବାଣ ଫୁଟିଲା ଭଳି ଶବ୍ଦ ହୋଇଥିଲା । ବ୍ରିଜ ନିକଟରେ ମହାନଦୀରେ ଭୋଜି କରୁଥିବା କିଛି ଯୁବକ ଦୁର୍ଘଟଣାସ୍ଥଳକୁ ଧାଇଁ ଥିଲେ । ବୋଲେରୋଟି ଧ୍ବଂସ ବିଧ୍ବଂସ ହୋଇଯାଇଥିଲା । ବଡ କଷ୍ଟରେ ମୃତାହତଙ୍କୁ ଗାଡି ଭିତରୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ ଏହି ଯୁବକ ମାନେ ।

ଏହି ବୋଲେରୋରେ  ନବବିବାହିତ ମନିଷଙ୍କ କାକା ଆଶିଷ ପାଣ୍ଡିଆ , ଆଶିଷଙ୍କ ଦୁଇ ଝିଅ  ଏବଂ ତାଙ୍କ ପୁତୁରାଙ୍କ ସମେତ  ୧୦ ଜଣ ବସିଥିଲେ।  ଟ୍ରକ ସହ  ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେହିଁ ୫ ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତକ ମାନେ ହେଲେ  ଆଶିଷ ପାଣ୍ଡିଆ (୪୫),  ଝିଅ  ସିଦ୍ଧି ପାଣ୍ଡିଆ (୧୦) , ପୁତୁରା ଶୁଭମ ପାଣ୍ଡିଆ (୧୭),  ପଡୋଶୀ ତ୍ରୟଂବକମ ମେହେର (୪୪)ଏବଂ ଗାଡି ଚାଳକ ପଡୋଶୀ ଗ୍ରାମ ପଞ୍ଚମହଲାର ପ୍ରମୋଦ ପାଣ୍ଡିଆ (୪୫) ।  ଗୁରୁତର ଥିବା ଆଲିସା ପାଣ୍ଡିଆ (୧୬), ଅମିନ ବାଘ (୪୭), ଓମପ୍ରକାଶ ପାଣ୍ଡିଆ (୧୫) , ମାଧବ ପୁରୋହିତ (୩୫) ଓ ପ୍ରମୋଦ ହୋତାଙ୍କୁ(୪୦) ପ୍ରଥମେ ସୋନପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ  ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ଘଟଣା ସ୍ଥଳରେ ସୋନପୁର ପୁଲିସ ପହଞ୍ଚି ମୃତ ଦେହ ସବୁ ଜବତ କରିବା ସହିତ ବ୍ୟବଚ୍ଛେଦ କରାଇଥିଲା ।  ମାତ୍ର  ବ୍ୟବଚ୍ଛେଦ ପରେ ଶନିବାର ମଧ୍ୟାହ୍ନରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା।  ବିବାହ  ପାଇଁ ଗୋଟିଏ ଦିନ ପୂର୍ବରୁ ଖୁସିରେ ଗର୍ଜି ଉଠୁଥିବା ଘର ଏବଂ ଗାଁରେ ଆଜି ଶୋକାକୁଳ ପରିବେଶ ଛାଇ ଯାଇଛି। ଛୋଟ ପିଲାଙ୍କଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ  ସମସ୍ତଙ୍କ ଆଖି ଲୁହରେ ଭର୍ତି । ଗାଁରେ ଶନିବାର ଏକ ପ୍ରକାର ରୋଷେଇ ବନ୍ଦ ହୋଇଯାଇଥିଲା । ସବୁଠାରୁ ଦୁଃଖର ମୁହୂର୍ତ୍ତ ଥିଲା  ଭୋଜି ରୋଷେଇ ପାଇଁ ଥିବା କାଠରେ ଶବଦାହ କରାଗଲା। ଶନିବାର ଜ୍ଞାତି କୁଟୁମ୍ବଙ୍କୁ ପ୍ରୀତିଭୋଜନରେ ଆପାୟିତ କରିଥାନ୍ତେ ପାଣ୍ଡିଆ ପରିବାର ତେବେ ତାହା ନହୋଇ ପରିବାରର ତିନି ସଦସ୍ୟଙ୍କ ଜୁଇ ଜଳିଲା । ଗୋଟିଏ ଜୁଇରେ  ଆଶିଷ, ଝିଅ ସିଦ୍ଧି ଓ ପୁତୁରା ଶୁଭମଙ୍କ ଚିତା ଜଳୁଥିବା ବେଳେ ପରିବାର ସଦସ୍ୟ ମାନେ ମୁଣ୍ଡ ବାଡେଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।

ମୃତ ଶୁଭମ ପାଣ୍ଡିଆ(୧୭) ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ସେ ସୋନପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଥିଲେ । ତାଙ୍କ ବିୟୋଗରେ ସହପାଠୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତ ପରୀକ୍ଷାରେ ଶୁଭମ ଭଲ ନମ୍ବର ରଖୁଥିଲେ ବୋଲି ତାଙ୍କ ବନ୍ଧୁ ପ୍ରେମ କହିଛନ୍ତି । ତେବେ କିଛି ବର୍ଷ ପୂର୍ବରୁ ତାଙ୍କ ବାପାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ମାଙ୍କ ସହ ଶୁଭମ ସୋନପୁର ପଟାଭାଡିଠାରେ ଭଡାରେ ରହି ପାଠ ପଢୁଥିଲେ। ଅଟୋ ଯୋଗୁଁ ଦୁର୍ଘଟଣା ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଛି  । ବିଗିଡି ଯାଇଥିବାରୁ ମହାନଦୀ ବ୍ରିଜ ଉପରେ ଦୀର୍ଘ ତିନି ଦିନ ହେଲା ଗୋଟିଏ ଅଟୋ ରିକ୍ସା ଛିଡା ହୋଇଥିଲା । ତେବେ ଅଟୋ ରିକ୍ସା ଥିବାରୁ ବୋଲେରୋକୁ ଡାହାଣ ପାର୍ଶ୍ବକୁ କାଟୁଥିବା ବେଳେ ଟ୍ରକ ସହ ଧକ୍କା ହୋଇଗଲା । ଏହା ସୋନପୁର-ବୀରମହାରାଜ ପୁର ଏବଂ ସୋନପୁର-ସମ୍ବଲପୁର ମୁଖ୍ୟ ରାସ୍ତା ହୋଇଥିବା ବେଳେ ଅଟୋ ଉପରେ କୌଣସି ଅଧିକାରୀଙ୍କ କିଭଳି ନଜର ପଡିଲା ନାହିଁ ବୋଲି ସହରରେ  ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.