ଶ୍ବଶୁର କୁରାଢୀ ଚୋଟରେ ଜ୍ବାଇଁ ମୃତ

ବାରିପଦା : ଶନିବାର ବାରିପଦା ଟାଉନଥାନା ଅନ୍ତର୍ଗତ ଗାଙ୍ଗରାଜ ମଙ୍ଗଳାମନ୍ଦିର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳହକୁ କେନ୍ଦ୍ରକରି ଶ୍ବଶୁର କୁରାଢୀ ଚୋଟରେ ଜ୍ବାଇଁର ମୃତ୍ୟୁ ଘଟିଛି । ଅଭିଯୁକ୍ତ ଶ୍ବଶୁର ଦାମଦୋର ପୃଷ୍ଟି (୬୫) ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ମୃତ ଜ୍ବାଇଁ ଜଣଙ୍କ ହେଲେ ଶ୍ୟାମସୁନ୍ଦର ଧଳ (୩୫)। ସୂଚନା ମୁତାବକ ଗାଙ୍ଗରାଜ ମଙ୍ଗଳାମନ୍ଦିର ସାହିର ଦାମଦୋର ପୃଷ୍ଟି ଙ୍କ ଝିଅ ଗୀତାଞ୍ଜଳୀ ଙ୍କୁ ଶୁଳିଆପଦା ଥାନା ଅନ୍ତର୍ଗତ ଖଡିଆଶୋଳ ଅଞ୍ଚଳର ଶ୍ୟାମସୁନ୍ଦର ଧଳ ପ୍ରେମବିବାବହ କରିଥିଲେ । ଶ୍ୟାମସୁନ୍ଦର ନିଚ୍ଚ ଜାତିର ହୋଇଥିବା ନେଇ ଶ୍ବଶୁର ଦାମଦୋର ପୁର୍ବରୁ ରାଗ ରଖିଥିଲେ । ଝିଅ ଗୀତାଞ୍ଜଳୀ ଓ ଜ୍ବାଇଁ ଶ୍ୟାମସୁନ୍ଦର କିଛି ଦିନ ହେବ ନିଜ ଗାଁ ଛାଡି ଶଶୁର ଘର ପାଖରେ ରହୁଥିଲେ ।
ତେବେ ଦାମଦୋର ଆଜି ଶ୍ୟାମସୁନ୍ଦରକୁ ଏକା ପାଇ କୁରାଢୀ ସାହାଯ୍ୟରେ ମୁଣ୍ଡରେ ହାଣି ଦେଇଥିଲେ । ଆହତ ଶ୍ୟାମସୁନ୍ଦର ମୁଣ୍ଡରୁ ପ୍ରବଳ ରକ୍ତଶ୍ରାବ ହେବା ସହ ଦୀର୍ଘସମୟ ଧରି ସେଠାରେ ପଡିରହିଥିଲେ । ପରେ ଜ୍ବାଇଁକୁ ଖାଇବା ପାଇଁ ଡାକିବାକୁ ଯାଇଥିବା ଶାଶୁ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ଗାଁ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ । ଖବର ପାଇ ବାରିପଦା ଟାଉନଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ବାରିପଦା ପିଆରଏମ ହସପିଟାଲରେ ଭର୍ତ୍ତି କରିଥିଲେ ହେଁ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟପଟେ ଅଭିଯୁକ୍ତ ଶ୍ବଶୁର ଦାମଦୋର ପୃଷ୍ଟି ବାରିପଦା ଟାଉନଥାନା ପୁଲିସ ପାଖରେ ଆତ୍ମସମର୍ପଣ କରିଛି । ଟାଉନଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଘଟଣା ଉପରେ ନଜର ରଖିବା ସହ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ।