ବାପାକୁ ଜେଲ୍ ପଠାଇବା ପାଇଁ ପୁଅ ରଚିଥିଲା ଷଡ଼ଯନ୍ତ୍ର

ଭୁବନେଶ୍ୱର: ନିଜ ବାପାକୁ ଫସାଇବାକୁ ଜାଲ ବିଛାଇଥିଲା ପୁଅ। ଶେଷରେ କୁଳାଙ୍ଗାର ପୁଅକୁ ଗିରଫ କରିଛି ବାଲିଅନ୍ତା ପୁଲିସ। ଉକ୍ତ ପୁଅର ନାଁ ବିଶ୍ୱଜିତ ଦାସ।

ସୂଚନା ଅନୁଯାୟୀ, ବିଶ୍ୱଜିତ ନଜ ବାପାଙ୍କ ଗାଡ଼ିରେ ବନ୍ଧୁକ ରଖି ପୁଲିସକୁ ଖବର ଦେଇଥିଲା। ଚୋରା ବନ୍ଧୁକ ଧରି ବାପା ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି ଅପରାଧ ଘଟାଇବାକୁ କାମ କରୁଥିବା ଅଭିଯୋଗରେ ଲେଖିଥିଲା ଏହାକୁ ଭିତ୍ତିକରି ଭୁବନେଶ୍ୱର ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍ ସହ ବାଲିଅନ୍ତା ପୁଲିସ ମିଶି ତଦନ୍ତ ଆରମ୍ଭ କରିଥିଲା। ଚଢ଼ଉ ବେଳେ ସୁରେଶଙ୍କ ଗାଡ଼ିରୁ ଏକ ବନ୍ଧୁକ ଜବତ ହୋଇଥିଲା। ତେବେ ଜେରା ବେଳେ ସୁରେଶ ନିଜର ପୁଅର ଅଭିସନ୍ଧି ବିଷୟରେ କହିଥିଲେ। ପରେ ତାଙ୍କ ଗାଡ଼ିର ଡ୍ରାଇଭରକୁ ପଚରାଉଚରା କରାଯାଇଥିଲା। ଡ୍ରାଇଭର ମଧ୍ୟ ପୁଲିସକୁ ସୂଚନା ଦେଇ ଗାଡ଼ି ନେଇ ପୁଅ ସହିତ ଯାଇଥିବା ବେଳେ ତାର ଅଜଣାତରେ ବନ୍ଧୁକ ରଖିଥିବା କହିଥିଲା। ଏହି ବୟାନକୁ ଭିତ୍ତି କରି ପୁଲିସ ବିଶ୍ୱଜିତକୁ ପୁନଶ୍ଚ ଜେରା କରିବା ବେଳେ ସେ ସତ ମାନି ଯାଇଥିଲା। ସବୁ କାମରେ ରୋକ ଲଗାଉଥିବାରୁ ସେ ତା’ର ସହଯୋଗୀ ସହ ମିଶି ବାପାଙ୍କୁ ଜେଲ ପଠାଇବାକୁ ଇଛା କରି ଏଭଳି ଚକ୍ରାନ୍ତ ରଚିଥିବା ପ୍ରକାଶ କରିଥିଲା। ତଦନ୍ତ ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବିଶ୍ୱଜିତ ଓ ତାର ସହଯୋଗୀ ଅଭିନ୍ନ ମହାପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେମାନେ ବ୍ୟବହାର କରିଥିବା ୭.୬ ଏମଏମ ମାଉଜର ସହ ଦୁଇଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତ ଏହି ବନ୍ଧୁକ କେଉଁଠୁ ଆଣିଲା ସେନେଇ ମଧ୍ୟ ପୁଲିସ ତଦନ୍ତ କରୁଥିବା କହିଛି।

Leave a comment