ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଇବାର ଭିଡିଓ ଭାଇରାଲକୁ ନେଇ ବଢୁଛି ଅସନ୍ତୋଷ, ପ୍ରତିକ୍ରିୟା ରଖିଲେ ନଚାଇଥିବା ସମାଜସେବୀ ମମତା ବେହେରା

ଭୁବନେଶ୍ବର: ଆଦିବାସୀ ମହିଳା ଚାଷୀ ତଥା ପଦ୍ମଶ୍ରୀ କମଳା ପୂଜାରୀ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‍ସିବି) ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିସଳାଧୀନ ଥିବା ବେଳେ ଆଇସିୟୁରେ ତାଙ୍କୁ ଢେମସା ନୃତ୍ୟ କରାଇବା ଭିଡିଓ ଭାଇରାଲକୁ ନେଇ ଏବେ ଅସନ୍ତୋଷ ବଢିବାର ଲାଗିଛି।  ପଦ୍ମଶ୍ରୀ କମଳାଙ୍କୁ ଅସୁସ୍ଥତା ପରେ କଟକସ୍ଥିତ ଏସସିବି ମେଡିକାଲ କଲେଜର ଭେଷଜ ବିଭାଗରେ ଭର୍ତ୍ତି କରାଯାଇ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ତାଙ୍କର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପରେ ସେ ସୁସ୍ଥ ହୋଇ ମଙ୍ଗଳବାର ନିଜ ଗ୍ରାମ ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପାତ୍ରପୁଟ ଗ୍ରାମକୁ ଫେରିଛନ୍ତି। ପଦ୍ମଶ୍ରୀ କଟକ ଆଇସିୟୁରେ ଚିକିତ୍ସା ହେଉଥିବା ବେଳେ ଜୟପୁର ନିକଟସ୍ଥ ବାରିଣିପୁଟ ସ୍ଥିତ ଜନୈକା ସ୍ୱେଚ୍ଛସେବୀ ମମତା ବେହେରା ଆଇସିୟୁ ଭିତରେ ପ୍ରବେଶ କରି ଅସୁସ୍ଥ ପଦ୍ମଶ୍ରୀ କମଳାଙ୍କୁ ଜୋର ଜବରଦସ୍ତ ଆଦିବାସୀ ନୃତ୍ୟ ଢେମସା କରିବାକୁ ବାଧ୍ୟକରିବା ସହ ଭିଡିଓ ଭାଇରାଲ କରିଥିଲେ। ସେ ନାଚିବା ଅବସ୍ଥାରେ ନଥିଲେ, କିନ୍ତୁ ସମାଜସେବୀ ଜଣକ ତାଙ୍କ ଅଣ୍ଟାକୁ ଧରି ନାଚିବାକୁ ବାଧ୍ୟ କରିଥିବା କମଳା ପୂଜାରୀ କହିଛନ୍ତି । ଜୟପୁରର କମଳା ପୂଜାରୀଙ୍କ ସହିତ ଯାଇଥିବା ସ୍ବେଚ୍ଛାସେବୀ ରାଜୀବ ହିଆଲ କହିଛନ୍ତି ଯେ ମହିଳା ଜଣଙ୍କ ହଠାତ ଫୋନ କରି କମଳା ପୂଜାରୀ ରହିଥିବା ଆଇସିୟୁକୁ ଆସି ତାଙ୍କ ସେବା କରିବାକୁ କହି ତାଙ୍କ ସହିତ ରହିଥିଲେ ।

ବିଭିନ୍ନ ସମୟରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ରାଜୀବ ହିଆଲ । ଅନ୍ୟପଟେ ଆଜି କୋରାପୁଟ ଜିଲ୍ଲାର ସମସ୍ତ ଆଦିବାସୀ ସଂଘର କର୍ମକର୍ତ୍ତା ଏକ ବୈଠକ କରି ଏହା ଉପରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏସସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଫୋନ୍ ଯୋଗେ ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି । ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ମହିଳା ଜଣକ ତାଙ୍କ ସହିତ ଥିଲେ । ତେବେ ସେ କେତେବେଳେ ଏପରି କରିଛନ୍ତି, କାହାକୁ ଜଣାନାହିଁ । ଗଣମାଧ୍ୟମରୁ ମେଡିକାଲ ପ୍ରଶାସନ ଏହା ଜାଣିବାକୁ ପାଇଛି । କେଉଁ ପରିସ୍ଥିତିରେ ଏହା ଘଟିଲା, ସେ ନେଇ ତଦନ୍ତ କରାଯିବ ବୋଲି ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।

ସେପଟେ, ସମାଜସେବୀ ମମତା ବେହେରା ଗଣମାଧ୍ଯମ  ଆଗରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ମୁଁ ଭୁଲ କରିନି । କମଳା ପୁଜାରୀ ସୁସ୍ଥ ହେବା ଖୁସିରେ ଆମେ ନାଚିଥିଲୁ । ଏହାକୁ କିଏ ମନ୍ଦ ଉଦେଶ୍ଯ ରଖି ଭାଇରାଲ କରିଥିବା କହିଛନ୍ତି ମମତା । ଅନ୍ୟପଟେ ମମତା କହିଛନ୍ତି କମଳା ପୂଜାରୀଙ୍କ ସହ ମୋର ସମ୍ପର୍କ ଆଜିର ନୁହେଁ । ଦୀର୍ଘ ୪ ବର୍ଷ ହେବ କମଳା ମାଆଙ୍କ ସହ ମୋର ସମ୍ପର୍କ । ବୟସରେ ୪୦ ବର୍ଷ ମୋ ଠାରୁ ବଡ଼ ହେଲେ ମଧ୍ୟ ୪ ବର୍ଷ୍ ହବ ଆମର ଘନିଷ୍ଠ ବନ୍ଧୁତା । କେବଳ ସେ ସୁସ୍ଥ ହେବାରୁ ଖୁସିରେ ଭିଡ଼ିଓ ଟି କରିଥିବା କହିଛନ୍ତି ମମତା ।

ସୂଚନାଯୋଗ୍ୟ, ପଦ୍ମଶ୍ରୀ କମଳା ଜ୍ୱର ଓ ଝାଡ଼ା ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଗତ ୨୧ ତାରିଖରେ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଏକ ଡାକ୍ତରୀ ଦଳ ଚିକିତ୍ସା ଆରମ୍ଭ କରିବା ସହ କିଡ୍‍ନୀ ସମସ୍ୟା ସନ୍ଦେହ କରି କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସ୍ଥାନାନ୍ତର ନିମନ୍ତେ ପ୍ରଶାସନକୁ ଅବଗତ କରିଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ପକ୍ଷରୁ ଆମ୍ୱୁଲାନ୍ସ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇ ପଦ୍ମଶ୍ରୀ କମଳାଙ୍କୁ ଗତ ୨୫ ତାରିଖରେ କଟକ ଶ୍ରାରାମ ଚନ୍ଦ୍ର ଭଞ୍ଜ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଭେଷଜ ବିଭାଗର ତିନିଜଣିଆ ଡାକ୍ତର ଦଳ ଚିକତ୍ସା କରିଥିଲେ। ରାଜ୍ୟ ସରକାରଙ୍କ ତତ୍ପରତା ଏବଂ ପ୍ରଶାସନର ତୁରନ୍ତ ପଦକ୍ଷପ ଯୋଗୁଁ ଗତ ୨୯ ତାରିଖରେ ସୁସ୍ଥ ହୋଇ ସେ ନିଜ ଘରକୁ ଫେରିଛନ୍ତି।

Leave a comment