ଦେଶରେ କରୋନା ସ୍ଥିତି ଭୟଙ୍କର, ବିପଦ ବଢ଼ାଇଲେ ୬ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଏବେ ଭୟଙ୍କର। ବିଶେଷ ଭାବରେ ପଶ୍ଚିମ ଓ ମଧ୍ୟ ଭାରତରେ ସଂକ୍ରମଣ ଅତ୍ୟନ୍ତ ଦ୍ରୁତଗତିରେ ବୃଦ୍ଧି ପାଉଛି। ଶୁକ୍ରବାର ଦେଶରେ ୨,୧୭,୩୫୩ ନୂଆ ସଂକ୍ରମିତ ଠାବ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ୭ ଦିନ ମଧ୍ୟରେ ହାରାହାରି ଦୈନିକ ୧,୭୫,୯୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, ଗୁଜରାଟ, ରାଜସ୍ଥାନର ସ୍ଥିତି ଦିନକୁ ଦିନ ଅଧିକ ସ୍ପର୍ଶକାତର ହେବାରେ ଲାଗିଛି।

 

ମହାରାଷ୍ଟ୍ରରେ ଶୁକ୍ରବାର ୬୧୫୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୩୪୯ ମୃତ୍ୟୁବରଣ କରିଛନ୍ତି। ଦିଲ୍ଲୀରେ ୧୬,୬୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ମୃତ୍ୟୁ ସଂଖ୍ୟା ୧୧୨ ବୃଦ୍ଧି ପାଇ ୧୧୬୫୨ରେ ପହଞ୍ଚିଛି। ଗୁଜରାଟରେ ୮୧୫୨, ମଧ୍ୟପ୍ରଦେଶରେ ୧୦୧୬୬, ଛତିଶଗଡ଼ରେ ୧୫୨୫୬ ଲୋକ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ଏହି ସବୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶର କିଛି ସହରରେ କୋଭିଡ୍‌ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଶବ ଦାହ କରିବା ପାଇଁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। କିଛି ସ୍ଥାନରେ ଡାକ୍ତରଖାନାରେ ଶଯ୍ୟା ନାହିଁ। ଭର୍ତ୍ତି ହେଉଥିବା ରୋଗୀଙ୍କୁ ଭେଣ୍ଟିଲେଟର ଓ ଅକ୍ସିଜେନ ସିଲିଣ୍ଡର ମିଳୁନାହିଁ। କରୋନାର ପ୍ରଥମ ଲହର ସମୟରେ ସୃଷ୍ଟି ହୋଇଥିବା ସ୍ଥିତିରୁ ଏହି ରାଜ୍ୟଗୁଡ଼ିକ କିଛି ଶିକ୍ଷା ଲାଭ କରି ନ ଥିବା ପରି ମନେ ହେଉଛି। ପ୍ରଥମ ଲହରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା, ଦ୍ୱିତୀୟ ଲହରରେ ତାହା ଅଧିକ ସଙ୍ଗିନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶରେ କୁମ୍ଭମେଳା ଆୟୋଜନ ମହାମାରୀର ଗତିକୁ ଆହୁରି ତୀବ୍ର କରିଥିବା କୁହାଯାଉଛି।

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ରର ପରିସ୍ଥିତି ଅତ୍ୟନ୍ତ ଗୁରୁତର। ସାରା ଦେଶରେ ମୋଟ ସଂକ୍ରମଣର ୭୦% ଏହି ରାଜ୍ୟଗୁଡ଼ିକରୁ ଠାବ ହେଉଛନ୍ତି। ଦିଲ୍ଲୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦%ରୁ ଅଧିକ। ଗୁରୁବାର ଦିଲ୍ଲୀରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତି ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ସପ୍ତାହାନ୍ତ କର୍ଫ୍ୟୁ ଘୋଣୋ କରିଛନ୍ତି। ତଥାପି ପରିସ୍ଥିତି ନିୟନ୍ତ୍ରରକୁ ଆସୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୬୬୯୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ପରିସ୍ଥିତି ଅତ୍ୟନ୍ତ ସ୍ପର୍ଶକାତର ସ୍ଥିତିରେ ପହଞ୍ଚିଛି।
ମଧ୍ୟପ୍ରଦେଶର ଭୋପାଳ ଓ ଇନ୍ଦୋର ସହରର ଦୃଶ୍ୟ ମଣିଷ ହୃଦୟକୁ ବିଗଳିତ କରିବାକୁ ଯଥେଷ୍ଟ। ଏହା ସମ୍ପୃକ୍ତ ରାଜ୍ୟର ବିକଳ ସ୍ୱାସ୍ଥ୍ୟ ସେବାର ଚିତ୍ରକୁ ପ୍ରତିଫଳିତ କରିଛି। ଶବ ସତ୍କାର କରିବାକୁ ଶ୍ମଶାନରେ ସ୍ଥାନ ନାହିଁ, ସଂସ୍କାର ହେବା ନିମନ୍ତେ ଶବକୁ ଧାଡ଼ିଧାଡ଼ି କରି ଷ୍ଟ୍ରେଚରରେ ରଖାଯାଉଛି। ଏଥିପାଇଁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସମ୍ପର୍କୀୟମାନଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଅକ୍ସିଜେନ ସିଲିଣ୍ଡରର ଅଭାବ ଦେଖା ଦେଇଛି। କରୋନା ମୃତ୍ୟକୁ ଲୁଚାଇବା ପାଇଁ ସରକାର ରୀତିମତ ପ୍ରୟାସ କରୁଛନ୍ତି। ରାୟପୁର ଓ ଦୁର୍ଗରେ ମଧ୍ୟ ସମାନ ସ୍ଥିତି। କିଛିଦିନ ତଳେ ଉତ୍ତରପ୍ରଦେଶ ନଦୀପଠାରେ ଶବ ସତ୍କାରର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାଜ୍ୟରେ କରୋନା ସ୍ଥିତି କେତେ ଗମ୍ଭୀର ତାହା ଏଥିରେ ଜଳଜଳ ଦିଶୁଥିଲା। ନଦୀ ପଠାରେ ମୃତକଙ୍କ ସଂସ୍କାରର ଦୃଶ୍ୟ ଜଙ୍ଗଲ ନିଆଁ ପରି ଜଳୁଥିବା ଦେଖା ଯାଇଥିଲା। ଗୁଜରାଟରେ ପରିସ୍ଥିତି ଆହୁରି ଗୁରୁତର। ଡାକ୍ତରଖାନାରେ ଶଯ୍ୟାଭାବ ଯୋଗୁଁ ଆମ୍ବୁଲାନ୍ସକୁ ଶଯ୍ୟା ଭାବରେ ବ୍ୟବହାର କରାଯାଇ ଚିିକିତ୍ସା କରାଯାଉଛି। ଶ୍ମଶାନ, କବରସ୍ଥାନରେ ମଧ୍ୟ ସମାନ ସ୍ଥିତି। କୋଭିଡ୍‌ର ପ୍ରଥମ ଲହର ସମୟରେ ଇଟାଲୀ, ଗ୍ରୀସ, ଆମେରିକା, ବ୍ରାଜିଲ, ଫ୍ରାନ୍ସ,ରୋମ ଆଦି ସହରରେ ଯେପରି ଦୃଶ୍ୟ ଦେଖାଯାଇଥିଲା ଏବେ ମଧ୍ୟ ଓ ପଶ୍ଚିମ ଭାରତ ରାଜ୍ୟରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ରାସ୍ତାରେ ଶବ ପଡ଼ିଛି, ଶବ ସଂସ୍କାର କରିବା ନିମନ୍ତେ ଜେସିବିରେ ଖାତ ଖୋଳା ଯାଉଛି।

ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହର ଅଧିକ ସାଂଘାତିକ ହେବ ବୋଲି ପୂର୍ବରୁ ବିଶେଷଜ୍ଞମାନେ ସତର୍କ କରାଇଦେଇଥÒଲେ। ହେଲେ ଅନେକସ୍ତରରେ କରୋନା କଟକଣାକୁ ଠିକଣା ଢଙ୍ଗରେ ଅନୁପାଳନ କରାଯାଇନଥିବାରୁ ଏବେ ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, ରାଜସ୍ଥାନ, ଛତିଶଗଡ଼ ଭଳି ବିଭିନ୍ନ ରାଜ୍ୟରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିବା କୁହାଯାଉଛି। ଗତ ମାସ ତୁଳନାରେ ଚଳିତମାସର ସଂକ୍ରମଣ ରିପୋର୍ଟ ମଧ୍ୟ ଏଭଳି କାରଣକୁ ଦର୍ଶାଉଛି। ତେବେ ବର୍ଦ୍ଧିତ ସଂକ୍ରମଣକୁ ନେଇ କେବଳ ଏହିସବୁ ରାଜ୍ୟ କଠିନ ସ୍ଥିତିର ସମ୍ମୁଖୀନ ହୋଇନାହାନ୍ତି; ଅନ୍ୟରାଜ୍ୟମାନଙ୍କ ପାଇଁ ମଧ୍ୟ ପରୋକ୍ଷରେ ବିପଦ ସୃଷ୍ଟି କରିଛନ୍ତି। ଦ୍ବିତୀୟ ଲହର ସାଂଘାତିକ ହେବା ଏବଂ ସଂପୃକ୍ତ ରାଜ୍ୟଗୁଡିକରେ କରୋନା କଟକଣା ଲାଗୁ କରାଯିବା ପରେ ଏଠାକାର ପ୍ରବାସୀ ସେମାନଙ୍କ ଘର ମୁହାଁ ହେବା ଦ୍ବାରା ଅନ୍ୟ ରାଜ୍ୟମାନଙ୍କ ପାଇଁ ବିପଦ ବଢିଛି। ଯାହାର ନିଚ୍ଛକ ଉଦାହାରଣ ଏବେ ମୁମ୍ବଇ ରେଳ ଷ୍ଟେସନରେ ଦେଖିବାକୁ ମିଳୁଛି। ସଂକ୍ରମଣକୁ ନେଇ ଖୋଦ୍‌ ମୁମ୍ବଇର ସ୍ଥିତି ବେହାଲ ହୋଇପଡ଼ିଥବବା ବେଳେ ନିଜ ରାଜ୍ୟକୁ ଯିବା ପାଇଁ ମୁମ୍ବଇର ବିଭିନ୍ନ ଷ୍ଟେସନରେ ଦିନ ଦିନ ଧରି ହଜାର ହଜାର ପ୍ରବାସୀ ରୁଣ୍ଡ ହୋଇଛନ୍ତି।

ସେମାନେ ଫେରିଲେ ନିଜ ରାଜ୍ୟମାନଙ୍କ ପାଇଁ ବିପଦ ହୋଇପାରନ୍ତି ବୋଲି କୁହାଯାଉଛି। ସଂକ୍ରମଣକୁ ନେଇ ବର୍ତ୍ତମାନ ସବୁଠୁ ଗମ୍ଭୀର ସ୍ଥିତି ରହିଥିବା ମହାରାଷ୍ଟ୍ର ରାଜ୍ୟରେ ପ୍ରାୟ ମାସକ ତଳେ( ମାର୍ଚ୍ଚ ୧୮) ଦୈନିକ ସଂକ୍ରମଣ ସଂଖ୍ୟା ୨୫ ହଜାର ୮୩୩ ରହିଥିବା ବେଳେ ଚଳିତ ମାସ ୧୫ ତାରିଖ ସୁଦ୍ଧା ଏହି ସଂଖ୍ୟା ୬୧ ହଜାର ୬୯୫ରେ ପହଞ୍ଚିଛି।

ସେହିପରି କର୍ଣ୍ଣାଟକରେ ଗତ ମାସ ୨୦ ତାରିଖ ସୁଦ୍ଧା ଦୈନିକ ସଂକ୍ରମଣ ସଂଖ୍ୟା ୧୧୩୫ ରହିଥିବା ବେଳେ ଗୁରୁବାର ସୁଦ୍ଧା ଏହି ସଂଖ୍ୟା ୧୪ ହଜାର ୭୩୮ରେ ପହଞ୍ଚିଛି। ତାମିଲନାଡୁରେ ଏହି ସଂଖ୍ୟା ୧୭୭୯ ରୁ ବୃଦ୍ଧି ପାଇଁ ବର୍ତ୍ତମାନ ୭ ହଜାର ୯୮୭ ଛୁଇଁଛି।

ଅନ୍ୟାନ୍ୟ ରାଜ୍ୟ ମଧ୍ୟରେ କେରଳ, ପଞ୍ଜାବ, ଛତିଶଗଡ଼, ରାଜସ୍ଥାନ,ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦୈନିକ ସଂକ୍ରମଣ ବହୁଗୁଣିତ ହୋଇଛି। ବର୍ତ୍ତମାନ କେରଳର ଦୈନିକ ସଂକମ୍ରଣ ସଂଖ୍ୟା ୮ ହଜାର ୧୨୬ରେ ପହଞ୍ଚିଥିଲା ବେଳେ ଆନ୍ଧ୍ରପ୍ରଦେଶ ୫ ହଜାର ୮୬ ଏବଂ ଉତ୍ତରପ୍ରଦେଶ ସଂକ୍ରମଣ ସଂଖ୍ୟା ୨୨ ହଜାର ୪୪୦ ଛୁଇଁଛି। ତେବେ ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି।

 

ଗତ ମାର୍ଚ୍ଚ ମାସରେ ଏଠାରେ ମୋଟ ୨୩ ହଜାର ୧୪୧ ଜଣ କରୋନା ସଂକ୍ରମିତ ହୋଇଥିଲା ବେଳେ ବର୍ତ୍ତମାନ ଦୈନିକ ସଂକ୍ରମଣ ସଂଖ୍ୟା ୧୭ ହଜାର ଟପିଛି। ଏପରିକି ମୁମ୍ବଇ ସହରର ଦୈନିକ ସଂକ୍ରମଣ ଠାରୁ ଦିଲ୍ଲୀ ଟପିଯାଇଛି। ଗତ ମାର୍ଚ୍ଚ ୨୫ ତାରିଖରେ ଭାରତର ଦୈନିକ ସଂକ୍ରମଣ ସଂଖ୍ୟା ୫୩ ହଜାର ୪୭୬ ରହିଥିଲା। ହେଲେ ଏବେ ଏହି ସଂଖ୍ୟା ୨ ଲକ୍ଷ ୧୭ ହଜାର ଟପିଛି। ଫଳରେ ଦ୍ବିତୀୟ ଲହର କେତେ ସାଂଘାତିକ ତାହା ସ୍ପଷ୍ଟ ହୋଇଛି। ସାଂପ୍ରତିକ ସଂକ୍ରମଣ ସ୍ଥିତିକୁ ନେଇ ଏବେ ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ଠାରୁ ଆରମ୍ଭ କରି ଆଂଶିକ ଲକଡାଉନ୍‌ ଏବଂ କଣ୍ଟେନମେଣ୍ଟ ଜୋନଗୁଡିକର ଉତ୍ତମ ପରିଚାଳନକୁ ଗୁରୁତ୍ବ ଦିଆଯାଉଛି। ମାସ୍କ ବ୍ୟବହାର, କାର୍ଯ୍ୟସ୍ଥଳରେ କରୋନା କଟକଣାକୁ ଗୁରୁତ୍ବ ଏବଂ ଆନୁଷଙ୍ଗିକ ନିୟମ ମାନିବାକୁ ସତର୍କ କରାଯାଉଛି। ହେଲେ ପୂର୍ବରୁ ବିଭିନ୍ନ ରାଜ୍ୟ ଏଭଳି କଟକଣାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିଥÒଲେ ହୁଏତ ସାଂପ୍ରତିକ ସ୍ଥିତି ଏଭଳି ସଙ୍ଗିନ ହୋଇ ନ ଥା’ନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Leave a comment