ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାୟକ ନେଉଛନ୍ତି ଲକ୍ଷ ଲକ୍ଷ ଦରମା ଓ ଭତ୍ତା, ହେଲେ ସେମାନଙ୍କ ଆୟକର ଦେଉଛନ୍ତି ଜନତା

ନୂଆଦିଲ୍ଲୀ : ଅନେକ ସମୟରେ ନେତାମନ୍ତ୍ରୀମାନଙ୍କ ଦରମାକୁ ନେଇ ପ୍ରଶ୍ନ ଉଠୁଛି। ସାଧାରଣ ଜନତା ମହଙ୍ଗା ମାଡ଼ ଭୋଗୁଥିବାବେଳେ ନେତା ସେମାନଙ୍କ ଅର୍ଥରେ ଅୟେସ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଦରମା ଭତ୍ତା ପାଉଥିବା ନେତା ନିଜ ଆୟକର ନିଜେ ଦେଉନାହାନ୍ତି। ଲୋକଙ୍କ ଅର୍ଥରୁ ସେମାନଙ୍କ ଆୟକର ଦିଆଯାଉଛି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏବେ ଦେଶର ୭ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ସହିତ ସେମାନଙ୍କ ଆୟକର ମଧ୍ୟ ରାଜକୋଷର ଦିଆଯାଉଛି।

ପୂର୍ବରୁ ଏପରି ରାଜ୍ୟସଂଖ୍ୟା ୯ ଥିଲା। ୨୦୧୯ରେ ଉତ୍ତରପ୍ରଦେଶ ଏବଂ ୨୦୨୨ରେ ହିମାଚଳ ପ୍ରଦେଶ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଦେଇଥିଲା। ଜନତାଙ୍କ ପକେଟ ଉପରେ ଚାପ ପକାଉଥିବା ଏହି ରାଜ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାଣା, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ସାମିଲ ରହିଛି। ଏହି ସମସ୍ତ ରାଜ୍ୟ ଜନପ୍ରତିନିଧିଙ୍କ ଦରମା-ଭତ୍ତା ସମ୍ବନ୍ଧୀୟ ଆଇନରେ ପରିବର୍ତ୍ତନ କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟର ବିଧାୟକ ନିଜ ଦରମାରୁ ଆୟକର ଦେଇଥାନ୍ତି। ଅଧିକାଂଶ ରାଜ୍ୟ ବିଧାୟକଙ୍କ ଦରମା କମ୍‌ ରଖୁଥିବାରୁ ସେଥିରେ ଆୟକର ଲାଗେନାହିଁ, କିନ୍ତୁ ସେମାନଙ୍କ ଭତ୍ତା ବାବଦକୁ ଅଧିକ ଟଙ୍କା ମିଳୁଛି।

ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାରିଙ୍କ ଅନୁଯାୟୀ ସାମ୍ବାଧାନିକ ପଦରେ ବସିଥିବା ବ୍ୟକ୍ତିର ଆୟ ବ୍ୟକ୍ତିଗତ ହୋଇଥାଏ। ଏଥିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ମିଳୁଥିବା ଦରମା ମଧ୍ୟ ସାମିଲ ରହିଛି। ଆୟ ଉପରେ ଟିକସ ଦେବାର ଦାୟିତ୍ବ ମଧ୍ୟ ବ୍ୟକ୍ତିଗତ ହୋଇଥାଏ। ଏହାକୁ ସରକାରୀ ପାଣ୍ଠିରୁ ଦିଆଯାଇପାରିବ ନାହିଁ। କୌଣସି ପଦରେ ବସିଥିବା ବ୍ୟକ୍ତିଙ୍କ ଆୟକର ସରକାରୀ ପାଣ୍ଠିରୁ ଦେବା ଆଇନ ଏବଂ ସମ୍ବିଧାନ ବିରୋଧୀ। ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି, ଉପ-ବାଚସ୍ପତି ଏବଂ ବିରୋଧୀ ଦଳ ନେତାଙ୍କ ଆୟକର ରାଜକୋଷରୁ ଦିଆଯାଉଛି। ତେବେ ବିଧାୟକଙ୍କ ମୂଳ ଦରମା ୩୦ ହଜାର ରହିଥିବାରୁ ଏହା ଆୟକର ଅଧିନରେ ଆସୁନାହିଁ। ଛତିଶଗଡରେ ସମସ୍ତ ବିଧାୟକଙ୍କ ଆୟକର ରାଜ୍ୟ ସରକାର ପ୍ରଦାନ କରିଥାନ୍ତି। ୨୦୦୦ ମସିହାରୁ ଏହି ବ୍ୟବସ୍ଥା କାର୍ଯ୍ୟାକାରୀ ହେଉଛି। ହରିୟାଣାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି, ଉପ-ବାଚସ୍ପତି, ବିରୋଧୀ ଦଳ ନେତା ଏବଂ ବିଧାୟକଙ୍କ ଭତ୍ତା ଉପରେ ସରକାର ଆୟକର ଦେଉଛନ୍ତି।

ଝାଡ଼ଖଣ୍ଡରେ ୨୦୧୫ରୁ ସରକାର ବିଧାୟକଙ୍କ ଆୟକର ଦେଇଆସୁଛନ୍ତି। ଏଥିପାଇଁ ସରକାର ବର୍ଷକୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପଞ୍ଜାବରେ ୧୧୭ ବିଧାୟକଙ୍କ ପାଇଁ ସରକାର ୧୧.୦୮ କୋଟି ଟଙ୍କାର ଆୟକର ଦେଉଛନ୍ତି। ଚଳିତ ବଜେଟ ଅଧିବେଶନରେ ଆପ୍‌ ସରକାର ଏହା ଉପରେ ପ୍ରସ୍ତାବ ଆଣିପାରନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବାଚସ୍ପତି ଏବଂ ଉପ-ବାଚସ୍ପତିଙ୍କ ଆୟକର ଲୋକଙ୍କ ଅର୍ଥରୁ ଦିଆଯାଉଛି। ଏଠାକାର କ୍ଷମତାସୀନ ଦଳ କେବେ ବି ଏହି ପ୍ରସଙ୍ଗ ଉଠାଇନାହାନ୍ତି।

Leave A Reply

Your email address will not be published.