ସଂଘବଦ୍ଧ ଆକ୍ରମଣରେ ୬ଗୁରୁତର, ପୁଲିସର ବୁଝାସୁଝା ପରେ ରାସ୍ତାରୁ ହଟିଲେ ଉତ୍ତେଜିତ ଲୋକେ

ବାରିପଦା: ମଙ୍ଗଳବାର ସନ୍ଧ୍ୟା ୯ଟା ସମୟରେ ସ୍ଥାନୀୟ ଟାଉନ ଥାନା ଅଧୀନ ବାରିପଦା ପୌରପାଳିକା ଓ୍ବାର୍ଡ ନଂ ୨୨ ରଘୁନାଥପୁର ଅଞ୍ଚଳରେ ସଂଘବଦ୍ଧ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଜନସାଧାରଣ ପିଆରଏମ ମେଡିକାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଉତ୍ତେଜିତ ଜନତା ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ପୁଲିସର ବୁଝାସୁଝା ପରେ ଉତ୍ତେଜିତଲୋକେ ରାସ୍ତା ରୋକରୁ ହଟିଥିବା ଜଣାପଡ଼ିଛି।
୪୦ରୁ ଉର୍ଦ୍ଧ୍ବ ଆକ୍ରମଣ କାରୀ ମାନେ ବାଇକରେ ବିଭିନ୍ନ ମାରଣାସ୍ତ୍ର ସହିତ ସଂଘବଦ୍ଧ ଭାବେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ଆହତଙ୍କୁ ଲହୁଲୁହାଣ ଅବସ୍ଥାରେ ରାସ୍ତା ପାର୍ଶ୍ବ ବୁଦାମୂଳକୁ ପିଙ୍ଗି ଫେରାର ହୋଇଯାଇଥିଲେ ।

ପୂର୍ବରୁ ଏକ ଦୁର୍ଘଟଣା ମାମଲାକୁ ନେଇ ଶତୃତାରୁ ଏପରି ଘଟଣା ଘଟିଥିବା କୁହାଯାଇଛି । ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀ ପୂର୍ବରୁ ବିପକ୍ଷ ଗୋଷ୍ଠୀର ସଦସ୍ୟଙ୍କୁ ଆକ୍ରମଣ କରିବା ସହିତ ଆକ୍ରମଣ ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପ୍ରଘଟ କରିଥିଲେ । ଘଟଣାକୁ ନେଇ ଟାଉନ ଥାନାରେ ଅଭିଯୋଗ ସତ୍ତ୍ୱେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଫଳରେ ଆକ୍ରମଣର ଶିକାର ହୋଇଥିବା ଗୋଷ୍ଠୀ ପାଲଟା ଆକ୍ରମଣ ପାଇଁ ଯୋଜନା କରି ଉପରୋକ୍ତ କାଣ୍ଡ ଭିଆଇଛନ୍ତି । ପୁଲିସର ନୀରବତା ପାଇଁ ବାରିପଦା ଦିନକୁ ଦିନ ଗୋଷ୍ଠୀ ବିବାଦକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ହେଉଛି । ଏସପି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି 

Leave a comment