୨୦୫୦ ସୁଦ୍ଧା ବୁଡ଼ିଯିବ ଦେଶର ୬ ସହର

ନୂଆଦିଲ୍ଲୀ : ଦିନକୁ ଦିନ ବିଶ୍ବ ତାପାୟନ ବଢିବାରେ ଲାଗିଛି। ଏହାର ପ୍ରତିକୂଳ ପ୍ରଭାବ ପ୍ରକୃତି ଉପରେ ପଡିବା ଆରମ୍ଭ ହୋଇଯାଇଛି। ଅଦିନିଆ ବର୍ଷା ସାଙ୍ଗକୁ ବନ୍ୟା ଆସୁଛି। ତାପମାତ୍ରା ବୃଦ୍ଧିଯୋଗୁଁ ବରଫ ତରଳିବା ସହିତ ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ଫଳରେ ଦେଶର ସମୁଦ୍ର କୂଳରେ ଥିବା ସହର ଗୁଡିକ ଉପରେ ବିପଦ ଘନେଇବାରେ ଲାଗିଛି। ୨୦୫୦ ସୁଦ୍ଧା ମୁମ୍ବାଇ, କୋଚି, ମାଙ୍ଗାଲୁରୁ, ଚେନ୍ନାଇ, ବିଶାଖାପାଟନମ ଏବଂ ତିରୁଅନନ୍ତପୁରମ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏହି ସହର ଗୁଡିକର ଅନେକ ବଡ଼ ବଡ଼ କୋଠା ଏବଂ ସଡ଼କ ସମୁଦ୍ରରେ ବୁଡିଯିବ।
ଗ୍ଲୋବାଲ ରିସ୍କ ମ୍ୟାନେଜମେଣ୍ଟ ଫାର୍ମ (ଆରଏମଏସଆଇ) ରିପୋର୍ଟ ଅନୁଯାୟୀ ମୁମ୍ବାଇର ହାଜି ଅଲି ଦରଘା, ଜବାହାରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ, ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ୱେ, ବାନ୍ଦ୍ରା-ୱଲି ସି-ଲିଙ୍କ ବିଡୁଯିବାର ସମ୍ଭାବନା ରହିଛି। ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ (ଆଇପିସିସି) ର ମୂଲ୍ୟାଙ୍କନ ରିପୋର୍ଟ ଆଧାରରେ ଆରଏମଏସିଆଇ ପକ୍ଷରୁ ଏହା କୁହାଯାଇଛି। ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନର ନୂତନ ତଥ୍ୟ ଏବଂ ପ୍ରଭାବକୁ ନେଇ ବନା ଯାଇଥିବା ମଡେଲର ମଧ୍ୟ ବ୍ୟବହାର କରାଯାଇଥିଲା। ଜଳବାୟୁ ପରିବର୍ତ୍ତନକୁ ନେଇ ରିପୋର୍ଟ ‘କ୍ଲାଇମେଟ ଚେଞ୍ଜ ୨୦୨୧: ଦ ଫିଜିକାଲ ସାଇନ୍ସ ବେସିସ’ ପ୍ରକାଶ ପାଇଛି।
ଏହି ବିଶ୍ଳେଷଣରେ ଉପରୋକ୍ତ ୬ଟି ସହରକୁ ସାମିଲ କରାଯାଇଥିଲା। ଉତ୍ତର ଭାରତ ମହାସାଗରର ଜଳସ୍ତର ୨୦୫୦ରେ ଏକ ଫୁଟ ବୃଦ୍ଧି ପାଇବ। ବିଶ୍ଳେଷଣ ଅନୁଯାୟୀ ଜଳସ୍ତର ବୃଦ୍ଧି ଯୋଗୁଁ ୨୦୫୦ ସୁଦ୍ଧା ମୁମ୍ବାଇର ପ୍ରାୟ ୯୯୮ କୋଠା ଏବଂ ୨୪ କିମି ପର୍ଯ୍ୟନ୍ତ ସଡ଼କ – ପ୍ରଭାବିତ ହେବ । ଉଚ୍ଚ ଜୁଆର ଯୋଗୁଁ ପ୍ରାୟ ୨୪୯୦ କୋଠା ଏବଂ ୧୨୬ କିମି ସଡ଼କ ଉପରେ ପ୍ରଭାବ ପଡିବ । ସେହିପରି ଚେନ୍ନାଇରେ ୫୫ କୋଠା ଏବଂ ୫ କିମି ରାସ୍ତା, କୋଚିରେ ୪୬୪ କୋଠା, ତିରୁବନନ୍ତପୁରମରେ ୩୮୭ କୋଠା, ବିଶାଖପାଟନମରେ ୨୦୬ ଘର ଏବଂ ୯ କିମି ରାସ୍ତା ସମୁଦ୍ରରେ ବୁଡିଯିବାର ସମ୍ଭାବନା ରହିଛି।