ଜାନୁଆରୀରେ ଶୀତ ବଦଳରେ ପ୍ରଚଣ୍ଡ ରୌଦ୍ରତାପ, ୩୫ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର : ମାଘ ମାସରେ ଶୀତ ନୁହେଁ; ଖରା ବାଘ ଭଳି ଅନୁଭୂତ ହେଉଛି। ଜାନୁଆରୀ ଶେଷ ନ ହେଉଣୁ ଶୀତ ବଦଳରେ ପ୍ରଚଣ୍ଡ ରୌଦ୍ରତାପ ଆରମ୍ଭ ହୋଇଯାଇଛି। ସକାଳ ୧୦ରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଆରମ୍ଭ ହୋଇଯାଉଥିବା ବେଳେ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ପ୍ରଭାବ ଜାରି ରହୁଛି। ଯାହାଦ୍ୱାରା ଏବେଠାରୁ ଦିନ ବେଳା ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଶୁକ୍ରବାର ବୌଦ୍ଧରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଥିବା ବେଳେ ୧୧ସହରରେ ତାପମାତ୍ରା ୩୩ ଡିଗ୍ରୀ କିମ୍ୱା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ବୌଦ୍ଧରେ ରାଜ୍ୟ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତାଳଚେର ୩୪.୪, ଭୁବନେଶ୍ୱର ୩୪, ଗୋପାଳପୁର ୩୩.୮, ଝାରସୁଗୁଡ଼ା ୩୩.୬, ଟିଟଲାଗଡ଼ ୩୩.୫, ସୁନ୍ଦରଗଡ଼ ୩୩.୩, ଅନୁଗୁଳ ୩୩.୧, ମାଲକାନଗିରି ୩୩, ନବରଙ୍ଗପୁର ୩୩, ପୁରୀରେ ମଧ୍ୟ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି।
ଗୋପାଳପୁରରେ ଶୁକ୍ରବାର ସର୍ବୋଚ୍ଚ ଦିନ ତାପମାତ୍ରା ୩୩.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହାକି ଜାନୁଆରୀ ମାସର ଗୋପାଳପୁରର ଚତୁର୍ଥ ସର୍ବୋଚ୍ଚ ଦିନ ତାପମାତ୍ରାରେ ପରିଣତ ହୋଇଛି। ଗୋପାଳପୁର ପାଇଁ ଜାନୁଆରୀ ମାସର ସର୍ବକାଳୀନ ରେକର୍ଡ ୩୪.୩ ଡିଗ୍ରୀ ରହିଛି। ଏହା ୨୦ଜାନୁଆରୀ ୧୯୯୦ ମସିହାରେ ରେକର୍ଡ ହୋଇଥିଲା। ସେହିପରି ଗୁରୁବାର ଅର୍ଥାତ ୨୬ ଜାନୁଆରୀରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ରେକର୍ଡ ହୋଇଥିବା ବେଳେ ଏହା ଜାନୁଆରୀ ମାସର ନବମ ସର୍ବୋଚ୍ଚ ଦିନ ତାପମାତ୍ରାରେ ପରିଣତ ହୋଇଛି। ଭୁବନେଶ୍ୱରରେ୩୧ ଜାନୁଆରୀ ୨୦୦୭ରେ ସର୍ବକାଳୀନ ରେକର୍ଡ ଭାବେ ତାପମାତ୍ରା ୩୫.୮ ଡିଗ୍ରୀ ରେକର୍ଡ ରହିଛି।
ସେହିପରି ସମ୍ୱଲପୁରରେ ରେକର୍ଡ ହୋଇଥିବା ଦିନ ତାପମାତ୍ରା ୩୩.୯ ଡିଗ୍ରୀ ସମ୍ୱଲପୁରରେ ଜାନୁଆରୀ ମାସର ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୩୩.୯ ଡିଗ୍ରୀ ସହ ସମାନ ରହିଛି। ଏହା ପୂର୍ବରୁ ୨୮ଜାନୁଆରୀ ୨୦୦୯ ରେ ସମ୍ବଲପୁର ତାପମାତ୍ରା ୩୩.୯ ଡିଗ୍ରୀ ରେକର୍ଡ ହୋଇଥିଲା।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି। ବର୍ତ୍ତମାନ ଅଧା ଓଡ଼ିଶାରେ ତାପମାତ୍ରା ୩୩ ଡିଗ୍ରୀ ଉପରେ ରେକର୍ଡ ହେଉଥିବା ବେଳେ ଅଧିକାଂଶ ସହରରରେ ତାପମାତ୍ରା ସ୍ୱାଭାବିକଠାରୁ ୫-୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି। ଅନ୍ୟପଟେ ଶୁକ୍ରବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ସମ୍ଭବତଃ ଘନୀଭୂତ ହୋଇ ଶ୍ରୀଲଙ୍କା ଉପକୂଳକୁ ଗତି କରିପାରେ। ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।