ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ତେବେ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପରେ ଆଜିଠୁ ପ୍ରକୃତି ପ୍ରେମୀ ପର୍ଯ୍ୟଟକ ଶିମିଳିପାଳ ଯାଇପାରୁଛନ୍ତି । ଶିମିଳିପାଳ ଜାତୀୟ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ଆଜି ସକାଳୁ ରାଜ୍ୟ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପ୍ରଥମ ଦିନରେ ପୀଠବଟା ଗେଟ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରାଯାଇଛି । ସକାଳ ୬ଟାରୁ ୯ଟା ଭିତରେ ପ୍ରବେଶ ଅନୁମତି ରହିଛି । ବନ୍ୟଜନ୍ତୁ, ଉଚ୍ଚ ପର୍ବତ, ଘଞ୍ଚ ଜଙ୍ଗଲ, ବିଭିନ୍ନ ଜଳପ୍ରପାତ ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇପାରିବେ ପର୍ଯ୍ୟଟକ। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଟି. ଅଶୋକ କୁମାର ଏହି ସୂଚନା ଦେଇଛନ୍ତି ।

ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଦୁଇଟି ରାସ୍ତାଦେଇ ଯାଇପାରିବେ ପର୍ଯ୍ୟଟକ । ଯଶିପୁର ପଟୁ କାଲିକାପ୍ରସାଦ ଗେଟ ଦେଇ ପ୍ରତ୍ୟେକ ଦିନ ୩୫ ଟି ଏବଂ ବାରିପଦାର ପିଠାବଟା ଗେଟ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ସକାଳ ୬ ଘଟିକା ଠାରୁ ୯ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ପତ୍ର ମିଳିପାରିବ । ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ OTDC କିମ୍ବା www.ecotourodisa.com ୱେବସାଇଟରେ ଅନଲାଇନରେ କଟେଜ ବୁକିଙ୍ଗ କରି ଏହି ସୁବିଧା ନେଇ ପାରିବେ ।

ଦେଶର ଅଷ୍ଟମ ଜୈବମଣ୍ଡଳ ଶିମିଳିପାଳର ଜୈବବିଭିଧତାକୁ ଉପଭୋଗ କରିବାକୁ ଶିମିଳିପାଳ ଅଭୟାରଣ୍ୟ ଭିତରେ 5 ଟି ଇକୋଟୁରିଜିମ କପ୍ଲେକ୍ସ ଯଥା ରାମତୀର୍ଥ, ଗୁଡୁଗୁଡିଅ।, କୁମାରୀ, ଜାମୁଅଣି ଏବଂ ବରେହିପାଣିରେ ରାତ୍ରୀ ରହଣୀର ବ୍ୟବସ୍ଥା ରଖାଯାଇଛି । ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳକୁ ଅଧିକ ଉପଭୋଗ୍ୟ କରିବାକୁ ସାଇକେଲ ରାଇଡିଂ ଏବଂ ପିଲାମାନଙ୍କ ପାଇଁ ଇନଡୋର ଗେମ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି । ୱାଚ ଟାୱାରରୁ ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଅନ୍ୟପକ୍ଷରେ ପ୍ରଥମ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ସୁଯୋଗ ପାଇ ଥିବାରୁ ପର୍ଯ୍ୟଟକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।

ପର୍ଯ୍ୟଟକଙ୍କୁ ପ୍ରାକୃତି ଅନୁଭୁତି ଦେବା ପାଇଁ ସାନ୍ତାଳୀ ସମ୍ପ୍ରଦାୟର କୁଟୀର, ଆଦିବାସୀ କୁଟୀର, ବାଉଁଶ କୁଟୀର ଓ ଟ୍ରି ହାଉସ ବ୍ୟବସ୍ଥା କରାଯାଇଛି । ଏହାକୁ ପର୍ଯ୍ୟଟକମାନେ ଶିମିଳିପାଳ ଡଟ୍‌ ଓଆରଜି ୱେବ ସାଇଡ ଜରିଆରେ ଆଗୁଆ ବୁକିଂ କରି ରହିବା ଓ ଖାଇବାର ମଜା ନେଇପାରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି । ସେହିପରି ନେଚର କେମ୍ପରେ ରାତ୍ର ରହଣୀ ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ବିଭାଗ ପକ୍ଷରୁ ମାଉଣ୍ଟେନ ସାଇକେଲିଂ, ଦୁଃସାହାସିକ କ୍ରୀଡ଼ା, ଜଙ୍ଗଲ ସଫାରୀ, ଟ୍ରୀ କୋର୍ସ, ହାର୍ଡଲ୍ସ, ରୋପ କୋର୍ସ ଓ କାନୋପି ୱାକ ଆଦି ସାମିଲ କରାଯାଇଛି । ତତସହିତ ଭଲିବଲ, ବ୍ୟାଡ଼ମିଣ୍ଟନ, କ୍ୟାରମ ଓ ଚେସ ଖେଳ ସୁବିଧା ସହିତ ନେଟୱାର୍କ ସୁବିଧା କରାଯାଇଛି ।

ପ୍ରକାଶ ଥାଉକି, ୫୫୯.୩୧ମିଟର ଦ୍ରାଘିମା ରେଖାରେ ଅବସ୍ଥିତ, ୨୭୫୦ବର୍ଗ କିମି ପରିବ୍ୟାପ୍ତ ଶିମିଳିପାଳ ଜୈବ ମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି (ଆହାର) ରହିଛି । ଯେଉଁଥିପାଇଁ ଏହା ଭାରତର ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତି ପ୍ରାଣୀର ବୃହତ୍ତ ବାସସ୍ଥଳୀ ହୋଇପାରିଛି । ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ସହିତ ୯୪ ପ୍ରଜାତିର ଅର୍‍କିଡ଼ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ବିଗତ ଦୁଇ ବର୍ଷ କରୋନା କଟକଣା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ଥିବା ବେଳେ ଗତ ୨୦୨୧-୨୨ରେ ମୋଟ ୨୯ହଜାର ୮୯୯ ଜଣ ପର୍ଯ୍ୟଟକ ଶିମିଳିପାଳକୁ ଆସିଥିଲେ । ତନ୍ମଧ୍ୟରୁ ୧୮ହଜାର ୯୩୦ଜଣ ଓଡିଶାରେ ପର୍ଯ୍ୟଟକ ଥିବା ବେଳେ ରାଜ୍ୟ ବାହାରୁ ୧୧ହଜାର ୬୧୦ ଓ ୩ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ଜଣାପଡିଛି । ସମସ୍ତଙ୍କ ନିକଟରୁ ମୋଟ ୪୩ଲକ୍ଷ ୩୧ହଜାର ୪୬୦ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା ।

Leave A Reply

Your email address will not be published.