ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ପ୍ରଭାବ: ଯାଇପାରେ ବିଶ୍ବରେ ୧ ଲକ୍ଷ ଲୋକଙ୍କ ଚାକିରି
ପ୍ରଭାବିତ ହୋଇପାରନ୍ତି ୧୦,୦୦୦ ଷ୍ଟାର୍ଟଅପ୍

ନୂଆଦିଲ୍ଲୀ: ଆମେରିକାର ଆଉ ଏକ ବଡ଼ ବ୍ୟାଙ୍କ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି) ଦେବାଳିଆ ହେବା ଖବର ସାରା ଦୁନିଆକୁ ବର୍ତ୍ତମାନ ଚିନ୍ତାରେ ପକାଇଦେଇଛି। କାରଣ ଏସ୍ଭିବି ହେଉଛି ଆମେରିକାର ୧୬ତମ ବଡ ବ୍ୟାଙ୍କ। ୨୦୦୮ରେ ଆର୍ଥିକ ମାନ୍ଦାବସ୍ଥା କାରଣରୁ ୱାଶିଂଟନ୍ ମ୍ୟୁଚୁଆଲ ଏବଂ ଲେହମ୍ୟାନ୍ ବ୍ରଦର୍ସ ଡୁବିଯିବା ପରେ ବିଶ୍ବରେ ଏହାକୁ ସବୁଠାରୁ ବଡ ଆର୍ଥିକ ସଙ୍କଟ ବୋଲି କୁହାଯାଉଛି। ଏଥିଯୋଗୁ ସାରା ବିଶ୍ବରେ ୧୦,୦୦୦ ଷ୍ଟାର୍ଟଅପ୍ ପ୍ରଭାବିତ ହୋଇପାରନ୍ତି ବୋଲି ଏବେଠାରୁ ଆକଳନ କରାଯାଉଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବାର ପ୍ରଭାବ ଭାରତ ଉପରେ ପଡିଛି। ଏହାକୁ ନେଇ ଭାରତରେ ମଧ୍ୟ ଲୋକେ ଚିନ୍ତିତ ହେବାକୁ ଲାଗିଲେଣି। ଖାସ୍କରି ଶିଳ୍ପ ଜଗତରେ ଏହା ହଇଚଇ ସୃଷ୍ଟି କରିସାରିଲାଣି। ‘ସିଲିକନ ଭ୍ୟାଲି ବ୍ୟାଙ୍କରୁ ଅନେକ ଭାରତୀୟ-ଆମେରିକୀୟ ଷ୍ଟାର୍ଟଅପ୍ ସଫ୍ଟୱେର କମ୍ପାନୀ ପାଇଁ ଋଣ ନେଉଥିବାରୁ ଅସୁବିଧାରେ ପଡ଼ିଯାଇଛନ୍ତି। ଭାରତ ସରକାର ଏହି ଉଦ୍ୟୋଗୀମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ଭାରତୀ ଇଲେକଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।
ୱାଇ କମ୍ବିନେଟର ହେଉଛି ଏକ ଆମେରିକୀୟ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ପ୍ରୋତ୍ସାହନକାରୀ, ଯେ କି ଭାରତରେ ୨୦୦ରୁ ଅଧିକ ଷ୍ଟାର୍ଟଅପ୍ରେ ପାଣ୍ଠି ବିନିଯୋଗ କରିଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କରେ ୱାଇ କମ୍ବିନେଟରର ନିବେଶ ରହିଛି। ୱାଇ କମ୍ବିନେଟରର ସିଇଓ ତଥା ସଭାପତି ଗ୍ୟାରି ଟେନ୍ ଆମେରିକାର ଟ୍ରେଜେରୀ ସଚିବ ଜାନେଟ୍ ୟେଲେନ୍ ଏବଂ ଅନ୍ୟ ପ୍ରଶାସକମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, ଏଭଳି ଆର୍ଥିକ ସଙ୍କଟ ଯୋଗୁ ବର୍ତ୍ତମାନ ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଚାକିରି ସଙ୍କଟରେ ପଡିଛି। ଏପରିକି ସେମାନେ ଛଟେଇ ହୋଇପାରନ୍ତି। ତେଣୁ ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଗ୍ୟାରି ଟେନ୍ଙ୍କ ଏହି ପଦକ୍ଷେପକୁ ଏବେ ୧୨୦୦ ରୁ ଅଧିକ ସିଇଓ ଏବଂ ୫୬,୦୦୦ରୁ ଅଧିକ କର୍ମଚାରୀଙ୍କ ସମର୍ଥନ ମିଳିସାରିଛି। ଟେନ୍ ଆହୁରି କହିଛନ୍ତି ଯେ, ଆଗାମୀ ୩୦ ଦିନ ମଧ୍ୟରେ ଷ୍ଟାର୍ଟଅପ୍ଗୁଡିକ ନଗଦ ଅର୍ଥ ପାଇବାରେ ବିଫଳ ହେବେ। ଏଥିରୁ ଏହା ଅନୁମାନ କରାଯାଉଛି ଯେ, ୧ ଲକ୍ଷରୁ ଅଧିକ ସେହି ଛୋଟ ବ୍ୟବସାୟ ଏବଂ ଷ୍ଟାର୍ଟଅପ୍ଙ୍କୁ ବର୍ତ୍ତମାନ କର୍ମଚାରୀଙ୍କୁ ବେତନ ଦେବା କଷ୍ଟକର ହୋଇପାରେ।
କେମିତି ଡୁବିଲା ଏସ୍ଭିବି
ଆମେରିକାର ନିୟାମକମାନେ ଶୁକ୍ରବାର ଏସଭିବିକୁ ବନ୍ଦ ଘୋଷଣା କରିଛନ୍ତି। ‹ସିଲିକନ ଭ୍ୟାଲି ବ୍ୟାଙ୍କ›କୁ କେହି ନ କିଣିଲେ, ଆମେରିକାର ସଂଘୀୟ ଜମା ବୀମା ନିଗମ ବା ଫେଡେରାଲ ଡିପୋଜିଟ ଇନ୍ସ୍ୟୁରାନ୍ସ କର୍ପୋରେସନ (ଏଫଡିଆଇସି) ବ୍ୟାଙ୍କର ବର୍ତ୍ତମାନର ସମ୍ପତ୍ତି ବିକି ଜମାକାରୀଙ୍କୁ ଫେରାଇବ ବୋଲି କହିଛି। ଏସ୍ଭିବି ବନ୍ଦ ହେବା ପରେ କାଲିଫର୍ଣ୍ଣିଆର ବ୍ୟାଙ୍କ ନିୟାମକ ଫେଡେରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନ (ଏଫଡିଆଇସି)କୁ ବ୍ୟାଙ୍କର ସମ୍ପତ୍ତି ଗ୍ରହୀତା ଭାବରେ ନିଯୁକ୍ତ କରିଛନ୍ତି। ଏସ୍ଭିବି ବନ୍ଦ ହେବାର ସବୁଠାରୁ ବଡ କାରଣ ହେଉଛି ଏହାର ନିବେଶକମାନଙ୍କ ଦ୍ବାରା ବ୍ୟାଙ୍କରୁ ଟଙ୍କା ଏକକାଳୀନ ପ୍ରତ୍ୟାହାର କରିନିଆଯିବା। ୨୦୨୧ରେ ଏସ୍ଭିବିର ୧୮୯ ବିଲିୟନ ଡଲାର ଜମା ଅର୍ଥ ଥିଲା। ବ୍ୟାଙ୍କ ଗତ ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କା ସହିତ କୋଟି କୋଟି ଡଲାର ମୂଲ୍ୟର ବଣ୍ଡ୍ କିଣିଥିଲା କିନ୍ତୁ ସ୍ୱଳ୍ପ ସୁଧ ହାର ହେତୁ ଏହି ପୁଞ୍ଜି ବିନିଯୋଗରେ ପର୍ଯ୍ୟାପ୍ତ ପରିମାଣର ରିଟର୍ଣ୍ଣ ପାଇଲାନାହିଁ। ଏହି ସମୟରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଟେକ୍ କମ୍ପାନୀଗୁଡିକ ପାଇଁ ସୁଧ ହାର ବଢ଼ାଇଲା। ଏହାଦ୍ୱାରା ବ୍ୟାଙ୍କର ସଙ୍କଟ ଆହୁରି ବଢ଼ିଯାଇଥିଲା। ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିବି) ଏକ ସପ୍ତାହ ପୂର୍ବରୁ ୨ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ସଂଗ୍ରହ କରିବାରେ ବିଫଳ ହୋଇଥିଲା। ଏହାପରେ ୨୦୦୮ ଆର୍ଥିକ ସଙ୍କଟ ପରେ ଏହା ଆମେରିକାର ବୃହତ୍ତମ ବ୍ୟାଙ୍କ ହୋଇଗଲା। ସିଲିକନ୍ ଭ୍ୟାଲି ବ୍ୟାଙ୍କର ମୁଖ୍ୟ ଗ୍ରେଗ ବେକର ମୁଖ୍ୟ ଗ୍ରେଗ ବେକର ତିନି ଦଶନ୍ଧି ପୂର୍ବରୁ କମ୍ପାନୀରେ ଋଣ ଅଧିକାରୀ ଭାବରେ ଯୋଗଦେଇଥିଲେ।
ମୁମ୍ବଇର ଏସ୍ଭିସି କୋ-ଅପରେଟିଭ୍ ବ୍ୟାଙ୍କକୁ ଦେବାକୁ ପଡିଲା ବିବୃତି
ଆମେରିକାରେ ଏକ ବ୍ୟାଙ୍କ ଡୁବିଯିବାର ପ୍ରଭାବ ଏବେ ଭାରତରେ ଜମାକାରୀଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି। ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଧରାଶାୟୀ ହେବା ଯୋଗୁ ଆମେରିକୀୟ ନିୟାମକମାନେ ଏହି ବ୍ୟାଙ୍କକୁ ବନ୍ଦ କରିଦେଇଛନ୍ତି। ଏହାର ସମସ୍ତ ସମ୍ପତ୍ତି ଏବଂ ଜମା ଅର୍ଥ ଜବତ କରାଯାଇଛି। ଏଥିସହିତ ଏହି ବ୍ୟାଙ୍କର ବର୍ତ୍ତମାନର ସ୍ଥିତି ଭାରତର ୧୧୬ ବର୍ଷ ପୁରୁଣା ଏକ ବ୍ୟାଙ୍କର ଗ୍ରାହକଙ୍କୁ ଅସୁବିଧାରେ ପକାଇଛି। ଏଥିପାଇଁ ବ୍ୟାଙ୍କକୁ ଏକ ବିବୃତ୍ତି ମଧ୍ୟ ଦେବାକୁ ପଡିଛି।
ବାସ୍ତବରେ ମୁମ୍ବଇର ଏସଭିସି କୋ-ଅପରେଟିଭ୍ ବ୍ୟାଙ୍କ ବିଷୟରେ ଗୁଜବ ପ୍ରଚାର ହେବାରେ ଲାଗିଛି ଯେ ଏହା ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିବି) ସହିତ ଜଡିତ। ଏହି କାରଣରୁ ଏହି ୧୧୬ ବର୍ଷ ପୁରୁଣା ବ୍ୟାଙ୍କକୁ ଏକ ବିବୃତ୍ତି ଜାରି କରିବାକୁ ଏବଂ ସ୍ପଷ୍ଟୀକରଣ ଦେବାକୁ ପଡିଛି। ଏସଭିସି ସମବାୟ ବ୍ୟାଙ୍କ ଏକ ଟୁଇଟ୍ କରି କହିଛି ଯେ, କାଲିଫର୍ଣ୍ଣିଆର ସିଲିକନ୍ ଭ୍ୟାଲି ବ୍ୟାଙ୍କ ସହିତ ଏସଭିସି ବ୍ୟାଙ୍କର କୌଣସି ସମ୍ପର୍କ ନାହିଁ। ବ୍ୟାଙ୍କ ଏହାର ଗ୍ରାହକ ଏବଂ ଅନ୍ୟ ହିତାଧିକାରୀଙ୍କୁ ଏପରି ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛି। ଅନେକ ରାଜ୍ୟରେ କାର୍ଯ୍ୟ କରୁଥିବା ଏସଭିସି ବ୍ୟାଙ୍କ ହେଉଛି ୧୧୬ ବର୍ଷ ପୁରୁଣା ବ୍ୟାଙ୍କ। ଏହା କେବଳ ଭାରତରେ କାମ କରେ। ଯେଉଁମାନେ ଏହାର ବ୍ରାଣ୍ଡ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଉଛନ୍ତି ସେମାନଙ୍କ ବିରୋଧରେ ବ୍ୟାଙ୍କ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି। ଏଠାରେ ସୂଚନାଯୋଗ୍ୟ ଯେ, ୧୯୦୬ରେ ଏସଭିସି ସମବାୟ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା।