କେନ୍ଦୁଝର ଜିଲ୍ଲାର ବାଂଶପାଳରେ ଖୋଲିବ ‘ଆଇଟିଆଇ’, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ରାଜ୍ୟ ସରକାର ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର

ଯୋଡ଼ା: ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବାଂଶପାଳ ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)କୁ ଯୁଗ୍ମ ଭାବେ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ଆଜି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ରାଜ୍ୟରେ ଏକ ନିରନ୍ତର ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ଗଠନ କରିବା ଯାହା ଯୁବପିଢ଼ିଙ୍କୁ ସେମାନଙ୍କ ବୈଷୟିକ ଜ୍ଞାନ ଓ କୌଶଳରେ ଉନ୍ନତି ଆଣିବାରେ ସହାୟକ ହେବ। ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ, କଟକ, ଓଡ଼ିଶାର ନିର୍ଦେଶକ ଆଇଏଏସ୍ ରେଘୁ ଜି ଏମ୍‌ଓୟୁରେ ସ୍ୱାକ୍ଷର କରିଛନ୍ତି ।

ପାଞ୍ଚ ବର୍ଷୀୟ ବୁଝାମଣାର ଅଂଶସ୍ୱରୂପ, ପ୍ରତିଷ୍ଠାନର କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବୈଷୟିକ ଶିକ୍ଷା ଓ ତାଲିମ ମହାନିର୍ଦେଶାଳୟ (ଡିଟିଇଆଣ୍ଡ୍‌ଟି) ସହ ସହଯୋଗିତା ସ୍ଥାପନ କରିବ ଟିଏସ୍‌ଏଫ୍। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ କହିଛନ୍ତି ଯେ, “ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ରହିଥିବା ଅନ୍ତର ଦୂର କରିବା ଲାଗି ଆମ ଦେଶରେ ଦକ୍ଷତା ବିକାଶ କ୍ଷମତାର ବ୍ୟାପକ ସମ୍ପ୍ରସାରଣ, ନିବେଶକୁ ସୁହାଇବା ଭଳି ଏବଂ ଅଭିନବ ଉପାୟର ଆବଶ୍ୟକତା ରହିଛି ।’’

ଏହି ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ନିର୍ଦେଶକ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, “ବାଂଶପାଳରେ ଆଟିଆଇ ସ୍ଥାପନ କରିବା ଲାଗି ଓଡ଼ିଶା ସରକାରଙ୍କ ସହିତ ଏମ୍‌ଓୟୁ ରାଜ୍ୟରେ ଦାୟିତ୍ୱବାନ ଶିଳ୍ପାୟନ ପ୍ରତି ଆମ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ନିଯୁକ୍ତି ହାସଲ କ୍ଷମତା ଏବଂ ଉଦ୍ୟମିତା ସୁଯୋଗକୁ ବ୍ୟାପକ କରି ଏହି ସହଯୋଗିତାକୁ ସୁଦୃଢ଼ କରିବା ସହ ଏହି ତାଲିମ ଆବଶ୍ୟକ କରୁଥିବା ଯୁବପିଢ଼ିଙ୍କ ମଧ୍ୟରେ ସହାନୁଭୂତିକୁ ବଢ଼ାଇବ ।’’

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭ ରାୟ କହିଛନ୍ତି ଯେ, “ଓଡ଼ିଶାର ଯଥା ସମ୍ଭବ ଅଧିକ ଯୁବପିଢ଼ିଙ୍କୁ ସେମାନଙ୍କ ବାସ୍ତବ ସମ୍ଭାବନାକୁ ସାକାର କରିବା ଏବଂ ଏକ ଉତମ ଜୀବନ ପାଇଁ ସେମାନଙ୍କ ଅଭିଳାଷକୁ ପୂରଣ କରିବା ଲାଗି ଜରୁରୀ ସହାୟତା ପ୍ରଦାନ କରିବାକୁ ଫାଉଣ୍ଡେସନ୍ ପ୍ରତିବଦ୍ଧ ରହିଛି । ଶତ ପ୍ରତିଶତ ପ୍ଲେସ୍‌ମେଂଟ୍ ଟ୍ରାକ୍ ରେକର୍ଡ ସମେତ ବିଦେଶ ନିଯୁକ୍ତି, ଜାତୀୟ ମାନର ଉନ୍ନତ ଉପକରଣ ଏବଂ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ପାଇଁ ଅର୍ଥପୂର୍ଣ୍ଣ ଅନୁଭୂତି ସୃଷ୍ଟି କରିବା ଆଦିକୁ ନିଶ୍ଚିତ କରି ଆଟିଆଇରେ ଦକ୍ଷତା ବିକାଶ ପାଇଁ ସଂସ୍ଥାଗତ ଭିତିଭୂମିକୁ ବ୍ୟାପକ କରିବା ଦିଗରେ ଫାଉଣ୍ଡେସନ୍ କାର୍ଯ୍ୟ କରିବ । ଲକ୍ଷ୍ୟ ହେଉଛି ଆଇଟିଆଇକୁ ଏକ ପ୍ଲାଟ୍‌ଫର୍ମରେ ପରିଣତ କରିବା ଯେଉଁଠାରେ ଯୁବପିଢ଼ି ନିଯୁକ୍ତି ସୁଯୋଗ ହାସଲ କରିପାରିବେ ଏବଂ ସେମାନଙ୍କ ପରିବାରର ଆୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରି ନିଜ ସ୍ୱପ୍ନକୁ ପୂରଣ କରିପାରିବେ । ଓଡ଼ିଶା ପାଇଁ ଫାଉଣ୍ଡେସନ୍ ପକ୍ଷରୁ ଯେଉଁ ଦକ୍ଷତା ବିକାଶ ରୋଡମ୍ୟାପ୍ ରହିଛି ସେଦିଗରେ ଏହା ହେଉଛି ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ।’’

ଏହି ସହଯୋଗିତାରେ ଓଡ଼ିଶା ସରକାରଙ୍କ ଭୂମିକା ହେବ ଜମି ଏବଂ ଅନ୍ୟାନ୍ୟ ଭିତିଭୂମି ଜନି଼ତ ସହାୟତା ପ୍ରଦାନ କରିବା । ରାଜ୍ୟ ସରକାରଙ୍କ ସହ ଆଲୋଚନାରେ ଟିଏସ୍‌ଏଫ୍ ପକ୍ଷରୁ ପାଠ୍ୟକ୍ରମରେ ସାମିଲ କରିବା ଲାଗି ବିଷୟବସ୍ତୁ ଚିହ୍ନଟ କରାଯିବ ଓ ତା’ ସହିତ ଆପ୍ରେଟିଂସିପ୍‌, କର୍ମଶାଳା, ନିଯୁକ୍ତିରେ ଥିବା ବେଳେ ପ୍ରଶିକ୍ଷଣ ପାଇଁ ସଂସ୍ଥା ଓ ଶିଳ୍ପ ଭିତରେ ସମ୍ପର୍କ ସ୍ଥାନ କରିବା, କର୍ମଶାଳା ଓ କାର୍ଯ୍ୟକ୍ରମ ପାଇଁ ସୁବିଧା ପ୍ରଦାନ କରିବା ଯାହା ଛାତ୍ରଛାତ୍ରୀଙ୍କ ନିଯୁକ୍ତି ହାସଲ କ୍ଷମତାରେ ଉନ୍ନତି ଆଣିପାରିବ । ସୁଲଭ ଓ ଗୁଣାତ୍ମକ ଧନ୍ଦାମୂଳକ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରଦାନ କରି ଓଡ଼ିଶାର ଯୁବପିଢ଼ିଙ୍କ ବୈଷୟିକ ଦକ୍ଷତା ବିକାଶ କରିବା ଉପରେ ଆଇଟିଆଇ ବାଂଶପାଳ କାର୍ଯ୍ୟ କରିବ।

Leave a comment