ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପବିତ୍ର ମହାଶିବରାତ୍ରୀରେ ଶିବଙ୍କ ମହିମା ଓ ଶିବରାତ୍ରୀର କ’ଣ ରହିଛି ତାତ୍ପର୍ଯ୍ୟ, ଆସନ୍ତୁ ଜାଣିବା…..

ଶିବର ଅର୍ଥ ‘କଲ୍ୟାଣକାରୀ’ ବା ‘ଶୁଭକାରୀ’। ଯଜୁର୍ବେଦରେ ଶିବଙ୍କୁ କୁହାଯାଇଛି ‘ଶାନ୍ତିଦାତା’। ‘ଶି’ର ଅର୍ଥ ‘ପାପକୁ ନାଶ କରିବା’ ଓ ‘ବ’ର ଅର୍ଥ ‘ଦାତା’। ତେବେ ମହାଦେବଙ୍କର ସବୁଠୁ ବଡ଼ ଉତ୍ସବ ହେଉଛି ‘ମହାଶିବରାତ୍ରୀ।’ ଏହିଦିନ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଅନ୍ୟପଟେ ଶିବରାତ୍ରୀ ଓ ମହାଶିବରାତ୍ରୀ ଭିନ୍ନ ଭିନ୍ନ ମାସ ଓ ଦିନରେ ପଡ଼ିଥାଏ। ତେବେ ଅନେକ ଏକଥା ଜାଣନ୍ତି ନାହିଁ ‘ଶିବରାତ୍ରୀ’ ଓ ‘ମହାଶିବରାତ୍ରୀ’ ମଧ୍ୟରେ ପାର୍ଥକ୍ୟ କ’ଣ? ହିନ୍ଦୁ ପୁରାଣ ଶାସ୍ତ୍ରରେ ଭଗବାନ ଭୋଳାଶଙ୍କରଙ୍କ ମହିମା ସମ୍ପର୍କରେ ରହିଛି ଅନେକ ବର୍ଣ୍ଣନା । ଶିବଙ୍କ ମହିମା ଓ ଶିବରାତ୍ରୀର ତାତ୍ପର୍ଯ୍ୟକୁ ନେଇ ଏହି ଉପସ୍ଥାପନା।

ବର୍ଷକୁ ବାରଟି ଶିବରାତ୍ରୀ

ଶିବରାତ୍ରୀ ପ୍ରତିମାସରେ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ପଡ଼ିଥାଏ । ଏହି ପ୍ରକାରେ ବର୍ଷକୁ ପଡ଼ିଥାଏ ୧୨ଟି ଶିବରାତ୍ରୀ । ଶିବରାତ୍ରୀ ‘ବୋଧୋତ୍ସବ’ ନାଁରେ ପରିଚିତ। ଏହା ଏମିତି ଏକ ଉତ୍ସବ, ଯେଉଁଥିରେ ଜ୍ଞାତ ହୁଏ, ଆମେମାନେ ଶିବଙ୍କ ଅଂଶ ଓ ତାଙ୍କ ସଂରକ୍ଷଣରେ ରହିଛୁ। କୁହାଯାଏ, ସୃଷ୍ଟି ପ୍ରାରମ୍ଭରେ ଉକ୍ତ ଦିନ ଅଧରାତିରେ ଭଗବାନ ଶିବ ନିରାକାରରୁ ସାକାର ରୂପ ବା ବ୍ରହ୍ମାରୁ ରୁଦ୍ର ରୂପରେ ଅବତରଣ କରିଥିଲେ।

ବର୍ଷକରେ ଥରେ ମହାଶିବରାତ୍ରୀ

ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ମହାଶିବରାତ୍ରୀ। ଏହା ବର୍ଷକୁ ଥରେ ପଡ଼ିଥାଏ। ଭୋଳାନାଥଙ୍କ ଭକ୍ତମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରନ୍ତି। ଏହି ଦିନ ଭକ୍ତମାନେ ରାତିରେ ଉଜାଗର ରହି ଦୀପ ପ୍ରଜ୍ବଳନ କରୁଥିବାରୁ ଏହାକୁ ‘ଜାଗର’ ବୋଲି କୁହାଯାଏ |

ଶିବଲିଙ୍ଗ ଧାରଣ

ଧର୍ମଗ୍ରନ୍ଥ ଅନୁଯାୟୀ ଫାଲ୍‌ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଭଗବାନ ଭୋଳାନାଥ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ। କୁହାଯାଏ, ସୃଷ୍ଟି ପ୍ରାରମ୍ଭରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ଝଗଡ଼ା ହୋଇଥିଲା । ଦୁହିଁଙ୍କ ବିବାଦ ଚାଲୁଥିବା ବେଳେ ଏକ ବିଶାଳ ଅଗ୍ନି ସ୍ତମ୍ଭ କୋଟି ସୂର୍ଯ୍ୟଙ୍କ ଚମକରେ ପ୍ରକଟ ହୋଇଥିଲେ । ଏହାକୁ ଦେଖି ଚକିତ ହୋଇଥିଲେ ବ୍ରହ୍ମା ଓ ବିଷ୍ଣୁ । ଏହି ଅଗ୍ନିସ୍ତମ୍ଭରେ ଶିବ ପ୍ରଥମଥର ପାଇଁ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ।

ଶିବରାତ୍ରୀ ବ୍ରତ ପ୍ରାରମ୍ଭ

ତ୍ରୟୋଦଶୀରୁ ହିଁ ମହାଶିବରାତ୍ରୀ ବ୍ରତ ପ୍ରାରମ୍ଭ ହୋଇଥାଏ। ଆଉ ବ୍ରତଧାରା ଏହି ଦିନରୁ ସାନ୍ତ୍ରିକ ଖାଦ୍ୟ ଆହରଣ କରନ୍ତି । ଅନେକେ ଏହି ଦିନରୁ ବ୍ରତ ବି ରଖନ୍ତି। ଏହା ପରେ ଚତୁର୍ଦ୍ଦଶୀ ତିଥିରେ ପୂଜା ସହ ବ୍ରତ ରଖିବା ସଂକଳ୍ପ କରାଯାଏ । ଏହିଦିନ ଶିବଙ୍କୁ ଭାଇ, ଦୁଦୁରା, କ୍ଷୀର, ଆଖୁ, ଚନ୍ଦନ ଅର୍ପଣ କରାଯାଏ। ଅନ୍ୟପଟେ ମାତା ପାର୍ବତୀଙ୍କୁ ଅର୍ପଣ କରାଯାଏ ଶାଢ଼ି, ଶଙ୍ଖା, ସିନ୍ଦୂର। ଉପବାସ ଦିନ ଭକ୍ତମାନେ ଫଳାହାର କରିପାରିବେ, କିନ୍ତୁ ଲୁଣ ଖାଇବା ମନା। କେହି କେହି ନିର୍ଜଳା ମଧ୍ୟ ରହିଥାନ୍ତି । ମହାଦୀପ ସଂଦର୍ଶନ ପରେ ବ୍ରତ ଭାଙ୍ଗିଥାନ୍ତି।

ବ୍ରତ ବିଧି

ଶିବରାତ୍ରୀ ଦିନ ଚାରି ପହର ଯାକ ପୂଜା କରାଯାଏ । ପ୍ରତି ପହର ପୂଜାରେ ‘ଓଁ ନମ୍ ଶିବାୟ’ ପଞ୍ଚାକ୍ଷରୀ ମନ୍ତ୍ର ଉଚ୍ଚାରଣ କରି ଜପ ଜାରି ରଖିବା ଉଚିତ । ଯଦି ଏହି ଜପ ଶିବ ମନ୍ଦିରରେ ସମ୍ଭବ ନ ହୁଏ ଘରର ପୂର୍ବ ଦିଶାର ଶାନ୍ତ ପରିବେଶରେ କରାଯାଇପାରିବ।

ବ୍ରତରୁ ଲାଭ

ଶିବରାତ୍ରୀ ବ୍ରତ ଖୁବ୍ ପ୍ରଭାବଶାଳୀ । ବିଶେଷକରି ଅବିବାହିତାଙ୍କ ଲାଗି ଏହା ଅତି ଗୁରୁତ୍ବ ବହନ କରେ। କୁହାଯାଏ ଯେଉଁ କନ୍ୟାମାନେ ଶିବରାତ୍ରୀ ଉପବାସ କରନ୍ତି, ସେମାନଙ୍କୁ ବ୍ରତର ଶୁଭଫଳ ଶୀଘ୍ର ମିଳିଥାଏ । ଅର୍ଥାତ୍ ସେମାନଙ୍କ ବିବାହ ଶୀଘ୍ର ହୁଏ। ବ୍ରତ ରଖୁଥିବା ବିବାହିତା ମହିଳାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୁଏ ଓ ସେମାନଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।

ଶିବଙ୍କ ନାମକରଣ

ସାଧାରଣତଃ ଶିବଙ୍କ ନାଁ ଶଙ୍କର ସହ ଯୋଡ଼ା ଯାଏ। ତେବେ ଲୋକମାନେ ହିଁ କହିଥାନ୍ତି ଶିବ, ଶଙ୍କର, ଭୋଳାନାଥ। ଅଜାଣତରେ ଅଧିକାଂଶ ଶିବ ଓ ଶଙ୍କରଙ୍କୁ ଗୋଟିଏ ସତ୍ତାର ଦୁଇଟି ନାଁ କହନ୍ତି। ଅସଲରେ କିନ୍ତୁ ଦୁହିଁଙ୍କ ପ୍ରତିମା ଓ ଆକୃତି ଭିନ୍ନ ଭିନ୍ନ। ଶଙ୍କରଙ୍କୁ ସର୍ବଦା ତପସ୍ବୀ ରୂପରେ ଦର୍ଶାଯାଇଥାଏ। ଶିବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ନାମରେ ତିନି ସୂକ୍ଷ୍ମ ଦେବତାଙ୍କ ସଂରଚନା କରିଥିଲେ। ଏହିପ୍ରକାରେ ଶିବ ବ୍ରହ୍ମାଣ୍ଡର ରଚୟିତା ଏବଂ ଶଙ୍କର ତାଙ୍କର ହିଁ ରଚନା। ଏଥିପାଇଁ ଭଗବାନ ଶିବଙ୍କୁ ‘ମହାଦେବ’ ବୋଲି କୁହାଯାଏ।

ପାରସ୍ପରିକତାର ପ୍ରତୀକ ଅର୍ଦ୍ଧନାରୀଶ୍ୱର

ମହାଦେବଙ୍କୁ ଅର୍ଦ୍ଧନାରୀଶ୍ବର ମଧ୍ୟ କୁହାଯାଏ। ଏହାର ଅର୍ଥ ନୁହେଁ ଯେ, ଶିବ ଅଧା ପୁରୁଷ ବା ତାଙ୍କଠାରେ ସମ୍ପୂର୍ଣ୍ଣତା ନାହିଁ । ତେବେ ଶିବ ଅର୍ଦ୍ଧ ସ୍ବରୂପ ହେଲେ ମଧ୍ୟ ସମ୍ପୂର୍ଣ I ସେ ସ୍ତ୍ରୀ-ପୁରୁଷ, ଶିବ ଓ ଶକ୍ତିର ହିଁ ସ୍ବରୂପ । ତାଙ୍କରି ଦ୍ବାରା ହିଁ ସଂସାର ସଂଚାଳିତ ଓ ସନ୍ତୁଳିତ ହୋଇଥାଏ । ଦୁହେଁ ଦୁହିଁଙ୍କ ପୂରକ । ନାରୀ ପ୍ରକୃତି ଓ ନର ପୁରୁଷ । ପ୍ରକୃତି ବିନା ପୁରୁଷ ସତ୍ତାହୀନ ଓ ପୁରୁଷ ବିନା ପ୍ରକୃତିର ଅସ୍ତିତ୍ବ ନାହିଁ I ଅର୍ଦ୍ଧନାରାଷ୍ଟ୍ରର ଶିବ ମଧ୍ୟ ଏହି ପାରସ୍ପରିକତାର ପ୍ରତୀକ ।

ଶିବ ଓ ଶିକାରୀ

ଶିବ ପୁରାଣରେ ଜଣେ ଶିକାରୀ କଥା ବର୍ଣ୍ଣିତ ଅଛି | ଥରେ ଜଙ୍ଗଲରେ ଶିକାର କରିବା ସମୟରେ ତା’ର ବିଳମ୍ବ ହୋଇଗଲା । ସେଇଠୁ ସେ ଏକ ବେଲ ବୃକ୍ଷରେ ରାତି କାଟିବା ପାଇଁ ନିଷ୍ପତି ନେଲା। ଜଙ୍ଗଲୀ ଜୀବଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ଉଜାଗର ରହିବାକୁ ଚିନ୍ତା କଲା । ସେଥିପାଇଁ ସେ ଏକ ଉପାୟ ପାଞ୍ଚିଲା | ସେ ତମାମ ରାତି ଗୋଟିଏ ଗୋଟିଏ ବେଲ ପତ୍ର ତଳେ ପକାଇଲା। ବେଲ ବୃକ୍ଷ ତଳେ ଥିଲା ଏକ ଶିବଳିଙ୍ଗ । ଶିବଲିଙ୍ଗ ଉପରେ ପ୍ରିୟ ପତ୍ର ଅର୍ପଣ ହେବା ଦେଖି ଶିବ ପ୍ରସନ୍ନ ହେଲେ। ଅବଶ୍ୟ ଶିକାରୀ ଏଭଳି ଏକ ଶୁଭ କାମ କରିଥିବା ନେଇ ଅଜ୍ଞ ଥିଲା I ଶିକାରୀକୁ ଶିବ ଦର୍ଶନ ଦେଲେ ଓ ମନସ୍କାମନା ପୂରଣ ନେଇ ତାକୁ ବର ପ୍ରଦାନ କଲେ । ଏହି କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଶିବ କେତେ ସହଜରେ ପ୍ରସନ୍ନ ହୋଇଯାଆନ୍ତି । ସେଥିପାଇଁ ତାଙ୍କ ନାମ ‘ଆଶୁତୋଷ’ । ଏହିଭଳି ଏକାଧିକ କଥା ଶିବ ପୁରାଣରେ ରହିଛି ।

Leave A Reply

Your email address will not be published.